ସ୍ୱାଦ ବଦଳିଗଲା !

Bitter Tastes Sweet

ଗୁଣ – ସତ୍ୟ 

ଉପଗୁଣ – ଆଶାବାଦୀ ରହିବା ,ଶୁଦ୍ଧ ଭାବନା 

ଗୋଟିଏ ଗାଆଁରେ ରାମୁ ନାମକ ଜଣେ ବ୍ୟକ୍ତି ରହୁଥିଲେ | ସେ ଅତ୍ୟନ୍ତ ଭଲ ସ୍ୱଭାବର ଲୋକ ଥିଲେ | କିନ୍ତୁ ତାଙ୍କୁ ସବୁବେଳେ ବଦହଜମୀର ସମସ୍ୟା ଲାଗି ରହୁଥିଲା | ବହୁତ ପ୍ରକାର ଔଷଧ ଖାଉଥିଲେ | କିନ୍ତୁ କିଛି କାମ କରୁ ନଥିଲା  |

ଥରେ ଜଣେ ସାଧୁ ପୂଜା ଉତ୍ସବ ସମୟରେ ତାଙ୍କ ଗାଆଁରେ ପହଁଚିଥିଲେ | ସାଧୁ ଜଣକ ବଡ଼ ଜ୍ଞାନୀ ଥିଲେ | ତାଙ୍କ ପ୍ରବଚନ ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା | ରାମୁ ତାଙ୍କୁ ଦେଖା କରି ନିଜର ପେଟ ସମସ୍ୟା ବିଷୟରେ ଜଣାଇ ଥିଲେ | ସାଧୁ ତାଙ୍କୁ ଏକ ସରଳ ଉପାୟ ବତାଇ ଥିଲେ | ସେ ପ୍ରତ୍ୟେକ ଦିନ ରାମୁଙ୍କୁ ଅଳ୍ପ ମାତ୍ରାରେ ସୈନ୍ଧବ ଲବଣ ସେବନ କରିବାକୁ କହିଥିଲେ | ତାଙ୍କ କଥା ମାନି ରାମୁ ସବୁ ଦିନ ଟିକେ ଟିକେ କରି ସୈନ୍ଧବ ଲବଣ ସେବନ କରିବା ଆରମ୍ଭ କରିଥିଲେ | ଫଳରେ ତାଙ୍କର ମିଠା ଖାଇବା ଅଭ୍ୟାସ ଦୂର ହୋଇଯାଇଥିଲା ଓ ପେଟ ଭଲ ହେବାରେ ଲାଗିଥିଲା |

କିଛି ଦିନ ପରେ ଅନ୍ୟ ଏକ ପୂଜା ଉତ୍ସବରେ ରାମୁ ଗାଆଁରେ ଗରିବ ଲୋକମାନଙ୍କୁ ଓ ପିଲାମାନଙ୍କୁ ମିଠା ବାଣ୍ଟିବା ପାଇଁ ମନସ୍ଥ କରିଥିଲେ | ସେ ବଜାରରୁ ମିଠା କିଣି ବିତରଣ କରିବା ପୂର୍ବରୁ ମିଠା ଉତ୍ତମ ମାନର କି ନୁହଁ ଜାଣିବାକୁ ଚାଖିଥିଲେ | ଆଶ୍ଚର୍ଯ୍ୟର କଥା ତାଙ୍କୁ ମିଠା ସବୁ ପିତା ଲାଗିଥିଲା !

ତାଙ୍କୁ ଲାଗିଲା ବୋଧହୁଏ ସେଇ ମିଠା ଦୋକାନର ମିଠା ଭଲ ନୁହଁ ସେଥିପାଇଁ ଏମିତି ପିତା ଲାଗୁଛି ! 

ସେ ଅନ୍ୟ ଦୋକାନଗୁଡ଼ିକରୁ ମଧ୍ୟ ମିଠା କିଣି ତାର ସ୍ୱାଦ ପରୀକ୍ଷା କଲେ | ସବୁ ମିଠା ପିତା ଲାଗୁଥିଲା | ସେ ଭୁଲି ଯାଇଥିଲେ ଯେ ସେ ଯେଉଁ ସବୁଦିନ ସୈନ୍ଧବ ଲବଣ ଖାଉଛନ୍ତି ତାରି ଫଳରେ ମିଠା ସବୁ ତାଙ୍କ ପାଟିକୁ ପିତା ଲାଗୁଛି | 

ଗୋଟିଏ ମିଠା ଦୋକାନୀ ତାଙ୍କର ଏଇ ଅଭ୍ୟାସ ବିଷୟରେ ଜାଣିଥିଲେ | ସେ ତାଙ୍କୁ ମିଠା ଚାଖିବା ପୂର୍ବରୁ ପାଟିକୁ ଭଲ ଭାବରେ ଧୋଇ ଖାଇବାକୁ ଅନୁରୋଧ କଲେ | ସେ ତାଙ୍କ କଥା ମାନି ମୁହଁ ଧୋଇ ମିଠା ଚାଖିଲେ | ଏଥର ମିଠାର ସ୍ୱାଦ ମିଠା ଭଳି ଥିଲା | ଏଇ ପରିବର୍ତ୍ତନରେ ସେ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ |

ଶିକ୍ଷା : ଆମର ବଦ ଅଭ୍ୟାସ ଆମକୁ ସତ ପଥରେ ଚାଲିବାକୁ ଦେଇ ନଥାଏ | ଆମର ମନ ସଫା ରହିଲେ ହିଁ ଆମେ ଭଲ କଥା ଶିଖି ପାରିବା | ଆମର ବିଚାର ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ ଅଟେ | ଆମେ ଯାହା ଭାବୁ ,ଶେଷରେ ଆମେ ସେଇଆ ହିଁ ବନିଯାଉ | ତେଣୁ ଉତ୍ତମ ବିଚାରକୁ ମନରେ ସ୍ଥାନ ଦେବା ଓ ଖରାପ ଜିନିଷରୁ ଦୂରରେ ରହିବା | ତାହେଲେ ଆମକୁ ମାନସିକ ଶାନ୍ତି ମିଳି ପାରିବ ଓ ସନ୍ଥମାନଙ୍କ ଉପଦେଶ ଠିକ ଭାବରେ ଗ୍ରହଣ କରି ପାରିବା | ନିଶ୍ଚିତ ଭାବରେ ଆମକୁ ଉଚିତ ଦିଗ ଦର୍ଶନ ମିଳିପାରିବ |

https://saibalsanskaar.wordpress.com