କୃତଜ୍ଞତା ସୌଭାଗ୍ୟ ଆଣିଥାଏ

Gratitude Can Change Your Destiny 

ଗୁଣ – ସଦାଚରଣ 

ଉପଗୁଣ -କୃତଜ୍ଞତା 

କୌଣସି ଏକ ମରୁଭୂମିରେ ଛୋଟ ଚଢେଇଟିଏ ରହୁଥିଲା | ସବୁଜିମା ତ ଦୂରର କଥା ଆଖପାଖରେ ଗଛଟିଏ ବି ନଥିଲା | ଚଢେଇଟି ତାତିଲା ବାଲି ଉପରେ ଡେଇଁ ଡେଇଁ ଦିନ କାଟୁଥିଲା | ଦିନେ ଜଣେ ଦେବଦୂତ ସେଇ ବାଟ ଦେଇ ଭଗବାନଙ୍କ ସହ ସାକ୍ଷାତ କରିବାକୁ ଯାଉଥିଲେ | ଚଢେଇର ଦୂରବସ୍ଥା ଦେଖି ତାଙ୍କ ହୃଦୟରେ ଦୟା ଜାଗ୍ରତ ହେଲା | ସେ ଚଢେଇକୁ ପଚାରିଲେ,”ତୁ ଏଇ ଉତ୍ତପ୍ତ ମରୁଭୂମିରେ କଣ କରୁଛୁ ? ମୁଁ ତୋ ପାଇଁ କିଛି କରି ପାରିବି କି ?”

ଚଢେଇ କହିଲା,”ମୁଁ ମୋ ଜୀବନରେ ବହୁତ ଖୁସି ଅଛି | କିନ୍ତୁ ଗରମ ସହି ହେଉନି | ମୋର ପାଦ ଦୁଇଟି ଜଳି ଯାଉଛି | ଯଦି ଗଛଟିଏ ଥାଆନ୍ତା ,ମୁଁ ଆଉରି ଖୁସିରେ ରହି ପାରନ୍ତି |”

ଦେବଦୂତ କହିଲେ,”ମରୁଭୂମିରେ ଗଛ ଉପୁଜେଇବା ମୋର ଶକ୍ତିର ବାହାରେ | କିନ୍ତୁ ଭଗବାନଙ୍କୁ ଦେଖା କରି ମୁଁ ତୁମ ସମସ୍ୟା ବିଷୟରେ କଥାବାର୍ତ୍ତା କରିବି ଓ ତୋର ଅଭିଳାଷ ପୂରଣ କରିବାକୁ ଅନୁରୋଧ କରିବି |”

ଭଗବାନଙ୍କ ଦରବାରରେ ପହଁଚି ଦେବଦୂତ ଚଢେଇର ସମସ୍ୟା ଉପସ୍ଥାପନ କଲେ ଓ ତାର ଦୁଃଖ ଦୂର କରିବାକୁ ଅନୁରୋଧ କଲେ | ଭଗବାନ କହିଲେ,”ମରୁଭୂମିରେ ଗଛଟିଏ ଉପୁଜେଇବା ମୋ  ପାଇଁ ବଡ଼ କଥା ନୁହେଁ | କିନ୍ତୁ ଚଢେଇର ଭାଗ୍ୟରେ ଏଇ ସୁଖ ନାହିଁ | ତେଣୁ ମୁଁ କିଛି କରି ପାରିବି ନାହିଁ | “

ତଥାପି ସେ ଚଢେଇ ପାଇଁ ଗୋଟିଏ ବାର୍ତ୍ତା ଦେବଦୂତଙ୍କ ହାତରେ ପଠାଇଲେ | ସେଇ ବାର୍ତ୍ତାଟି ଏପରି ଥିଲା:ଗରମରୁ ରକ୍ଷା ପାଇବା ପାଇଁ ତୁ ସବୁବେଳେ ଗୋଟିଏ ପାଦରେ ଡ଼େଇଁଥିବୁ ଓ ଆର ପାଦଟିକୁ ସେଇ ସମୟରେ ବିଶ୍ରାମ ଦେଉଥିବୁ | ତାହେଲେ ଗୋଟିଏ ପାଦକୁ ବିଶ୍ରାମ ମିଳୁଥିବ ଓ ଅନ୍ୟଟି ଟିକେ ସମୟ ପାଇଁ ଖରା ତାତିକୁ ସହୁଥିବ | ତା ଛଡା ସେ ଦେବଦୂତଙ୍କୁ ଚଢେଇକୁ ଆଉ ଗୋଟିଏ କଥା କହିବା ପାଇଁ ଆଦେଶ ଦେଲେ ଯେ ତା ଜୀବନରେ ଏବେ ପର୍ଯ୍ୟନ୍ତ ଯାହା ସବୁ ଭଲ ଘଟଣା ଘଟିଛି,ତାକୁ ମନେ ପକାଇ ସେ ଯେମିତି ସବୁବେଳେ ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଉଥିବ |

ଦେବଦୂତ ଫେରି ଆସି ଚଢେଇକୁ ଭଗବାନଙ୍କ ବାର୍ତ୍ତା ଦେଇଦେଲେ | ଭଗବାନଙ୍କ ପାଖରେ ତାର ଦୁଃଖ ପହଁଚି ଯାଇଛି ଜାଣି ଚଢେଇଟି ଭାରି ଖୁସି ହୋଇଗଲା ଓ ତାଙ୍କୁ ଧନ୍ୟବାଦ ଜଣାଇଲା |

କିଛି ଦିନ ପରେ ଦେବଦୂତ ପୁଣିଥରେ ସେଇ ରାସ୍ତା ଦେଇ ଯାଉଥିଲେ | ତାଙ୍କୁ ଚଢେଇର ଖବର ଜାଣିବାକୁ ଇଚ୍ଛା ହେଲା | ସେ ମରୁଭୂମିରେ ପହଁଚି ଦେଖିଲେ,ପକ୍ଷୀଟି ଗୋଟିଏ ବିରାଟ ବଡ଼ ସବୁଜ ପତ୍ରରେ ଭରା ଗଛରେ ବସି ଆରାମ କରୁଛି  | ତାର ଖୁସି ଦେଖି ଦେବଦୂତ ମଧ୍ୟ ପ୍ରସନ୍ନ ହେଲେ | କିନ୍ତୁ ଭଗବାନ ତାଙ୍କୁ ଚଢେଇର ଭାଗ୍ୟରେ ଗଛଟି ନାହିଁ କହି ଭ୍ରମିତ କରିଥିବାରୁ ମନେ ମନେ ବିରକ୍ତ ହେଲେ | ତାପରେ ଭଗବାନଙ୍କ ପାଖରେ ପହଁଚି ସବୁ କଥା ବର୍ଣ୍ଣନା କଲେ | ଭଗବାନ କହିଲେ,”ମୁଁ କେବେ ମିଛ କହେ ନାହିଁ | ସତରେ ଚଢେଇର ଭାଗ୍ୟରେ ଗଛ ନଥିଲା | କିନ୍ତୁ ଯେହେତୁ ସେ ତୁମ କଥା ମାନି ତା ଜୀବନର ସବୁ ସକାରାତ୍ମକ ଘଟଣା ପାଇଁ ପବିତ୍ର ମନରେ ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଇଲା,ମୁଁ ଦୟାରେ ବିଗଳିତ ହୋଇ ତା ଭାଗ୍ୟକୁ ବଦଳାଇ ଦେଲି |”

ଦେବଦୂତଙ୍କୁ ଭଗବାନଙ୍କ ଉତ୍ତର ଭାରି ମନ ପାଇଗଲା |

ଶିକ୍ଷା – ଯଦି ଆମ ଜୀବନର ପ୍ରତ୍ୟେକ ଭଲମନ୍ଦ ଘଟଣା ପାଇଁ ଭଗବାନଙ୍କ ପାଖରେ କୃତଜ୍ଞ ରହିବା,ତାହେଲେ ଭଗବାନଙ୍କ କୃପା ନିଶ୍ଚିତ ଭାବରେ ମିଳିବ ଓ ଆମ ପାଇଁ ସୌଭାଗ୍ୟ ଆଣିବ |

କଳି ଯୁଗ 


ଗୁଣ – ଭକ୍ତି 

ଉପଗୁଣ – ଭଗବାନଙ୍କ ନାମ ସ୍ମରଣ 

ଯୁଧିଷ୍ଠିରଙ୍କ ରାଜୁତି ସମୟରେ ଭୀମ ପ୍ରଜାଙ୍କ ସମସ୍ୟା ସମାଧାନ କରୁଥିଲେ | ତେଣୁ କୌଣସି ସମସ୍ୟା ଉତ୍ପନ୍ନ ହେଲେ ଲୋକମାନେ ତାଙ୍କ ପାଖରେ ପହଁଚୁଥିଲେ | ଦିନେ ଜଣେ ଭୀମଙ୍କ ପାଖରେ ପହଁଚି ଏକ ଅଦ୍ଭୁତ ଘଟଣା ବିଷୟରେ ବର୍ଣ୍ଣନା କରିଥିଲା | ତାର କହିବା ଅନୁସାରେ ତାର ଜମିର ହିଡ଼ ପାଖ ଜମି ଆଡକୁ ମାଡ଼ି ଚାଲିଥିଲା ଅଥଚ ସେ ତାର କାରଣ ବୁଝିପାରୁ ନଥିଲା  ! ଭୀମ ମଧ୍ୟ ତାର କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇ ଉଠିଥିଲେ | ସେ ଲୋକମାନଙ୍କୁ ରାକ୍ଷସ କବଳରୁ ଉଦ୍ଧାର କରିବାରେ ଅତ୍ୟନ୍ତ ସକ୍ଷମ,କିନ୍ତୁ ଏ ପ୍ରକାର ସମସ୍ୟାର ସମାଧାନ ତାଙ୍କୁ ଦେଖା ଯାଇ ନଥିଲା | ସେ ତାକୁ ଯୁଧିଷ୍ଠିରଙ୍କ ପାଖକୁ ପଠାଇ ଦେଇଥିଲେ |

ସେଇଦିନ ଆଉ ଗୋଟିଏ ଲୋକ ତାଙ୍କ ପାଖରେ ପହଁଚିଥିଲା | ତାର ସମସ୍ୟା ମଧ୍ୟ ଅଦ୍ଭୁତ ଥିଲା | ତାର କହିବା ଅନୁସାରେ ସେ ଗୋଟିଏ ପୂର୍ଣ୍ଣ କୁମ୍ଭରୁ ସମ୍ପୂର୍ଣ୍ଣ ରୂପେ ଜଳ କାଢ଼ି କେତେଗୁଡ଼ିଏ ଛୋଟ ଛୋଟ ମାଠିଆରେ ପୁରାଇଥିଲା | କିନ୍ତୁ ଯେତେବେଳେ ସେ ସେଗୁଡ଼ିକରୁ ପାଣି କାଢି ନେଇ ପୁଣି ସେଇ ପୂର୍ବ ମାଠିଆରେ ପୁରାଇଲା,ସେଇ ବଡ଼ ମାଠିଆରେ ପାଣି କେବଳ ଅଧା ଭର୍ତ୍ତି ହେଲା,ବାକି ଅଧା ଖାଲି ରହିଲା | ଭୀମ ଏଥର ମଧ୍ୟ ତାର ରହସ୍ୟ ବୁଝି ପାରି ନଥିଲେ ଓ ତାକୁ ଯୁଧିଷ୍ଠିରଙ୍କ ପାଖକୁ ପଠାଇ ଦେଇଥିଲେ |

କିଛି ସମୟ ଯାଇଛି କି ନାହିଁ ଆଉ ଗୋଟିଏ ଲୋକ ଭୀମଙ୍କ ପାଖରେ ପହଁଚି ପୁଣି ଗୋଟିଏ ନୂଆ ଅଦ୍ଭୁତ ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲା | ଲୋକଟି ଏକ ଅଦ୍ଭୁତ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲା | ତା ସାମନାରେ ଗୋଟେ ବଡ଼ ହାତୀ ଛୁଞ୍ଚିର ଛିଦ୍ର ଦେଇ ବାହାରକୁ ବାହାରି ଯାଇଥିଲା,କିନ୍ତୁ ତାର ଲାଞ୍ଜ ସେଇ ବାଟେ ବାହାରି ନପାରି ଅଟକି ଯାଇଥିଲା | ଭୀମ ତାକୁ ମଧ୍ୟ ଯୁଧିଷ୍ଠିରଙ୍କ ପାଖକୁ ପଠାଇ ଦେଇଥିଲେ   |

ସେଇ ସାଙ୍ଗେ ସାଙ୍ଗେ ଅନ୍ୟ ଏକ ଲୋକ ଭୀମଙ୍କୁ ସାକ୍ଷାତ କରି ଆଉ ଏକ ଅଦ୍ଭୂତପୂର୍ବ ଘଟଣା ବଖାଣିଥିଲା  | ତାର ଆଖି ସାମନାରେ କିଛି ବଳବାନ ଲୋକ ରାସ୍ତାରେ ପଡିଥିବା ଏକ ବଡ଼ ପଥରକୁ ଘୁଞ୍ଚାଇ ପାରି ନଥିଲେ,କିନ୍ତୁ ଜଣେ ସାଧୁ ତାଙ୍କର ହାତରେ ଧରିଥିବା ସାମାନ୍ୟ ବାଡ଼ି ହଲାଇ ପଥରକୁ ହଟାଇବାରେ ସମର୍ଥ ହେଇଥିଲେ | ଏସବୁ ଘଟଣା ଶୁଣି ଭୀମଙ୍କ କୌତୁହଳ ବଢି ଯାଇଥିଲା | ସେ ଅପେକ୍ଷା ନକରି ବଡ଼ ଭାଇ ଯୁଧିଷ୍ଠିରଙ୍କ ପାଖକୁ ଚାଲି ଯାଇଥିଲେ  | ତାଙ୍କୁ ମଧ୍ୟ ଏସବୁ ଘଟଣା ପଛରେ ଥିବା ରହସ୍ୟ ଜାଣିବାକୁ ପ୍ରବଳ ଇଚ୍ଛା ଜାଗୃତ ହୋଇଥିଲା |

ସେମାନେ ସମସ୍ତେ ଏକାଠି ଯୁଧିଷ୍ଠିରଙ୍କ ଦରବାରରେ ପହଁଚି ନିଜ ନିଜ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ | 

ଯୁଧିଷ୍ଠିର କହିଲେ,ଏସବୁ ଘଟଣା କଳି ଯୁଗର ଆଗମନର ସଙ୍କେତ ଦେଉଛି | ତାପରେ ପ୍ରତ୍ୟେକ ଘଟଣାର ମହତ୍ତ୍ୱ ବୁଝାଇଲେ | 

ପ୍ରଥମ ଘଟଣାରେ ଜଣଙ୍କ ବାଡ଼ ଅନ୍ୟ ଲୋକର ଜାଗା ଆଡକୁ ମାଡ଼ି ଚାଲିଛି | ଏହାର ଅର୍ଥ ହେଲା ଲୋକମାନେ ନିଜ ବିଷୟ ଛାଡି ଅନ୍ୟମାନଙ୍କ ପାଖରେ କଣ ଅଛି,ସେ ବିଷୟରେ ବେଶି ମୁଣ୍ଡ ଖେଳାଉଛନ୍ତି | ସେମାନଙ୍କ ପାଖରେ କଣ ନାହିଁ,ସେଇ କଥା ଭାବି ଭାବି କୁଟିଳ ରାସ୍ତାରେ ଯାଉଛନ୍ତି ଓ ସେଇ ସବୁକୁ ପାଇବାକୁ ନିରନ୍ତର ଚେଷ୍ଟା ଚଳାଉଛନ୍ତି | ଫଳ ସ୍ୱରୂପ ଅଶାନ୍ତି ଓ ଦ୍ୱେଷ ଭାବ ବଢ଼ି ଚାଲୁଛି  | 

ଦ୍ଵିତୀୟ ଘଟଣାଟି ମାଠିଆର ପାଣି ଭରିବା ସମ୍ପର୍କରେ କୁହାଯାଇଛି | ଏହାର ଅର୍ଥ ହେଉଛି କଳିଯୁଗରେ ଲୋକମାନେ ଅନ୍ୟମାନଙ୍କଠୁ ଭଲ ପାଇବାର ବା ସ୍ନେହମମତାର ବା ସାହାଯ୍ୟର ଆଶା ରଖୁଛନ୍ତି | କିନ୍ତୁ ତାହା ସମ୍ପୂର୍ଣ୍ଣ ରୂପେ ପୂରଣ ହେଉନାହିଁ | ଅଧାଅଧୁରିଆ ରହିଯାଉଛି | 

ତୃତୀୟ ଘଟଣାରେ ଗୋଟେ ବଡ଼ ହାତୀ ଛୁଞ୍ଚି ମୁନ ଦେଇ ପ୍ରବେଶ କରିଗଲା,କିନ୍ତୁ ତାର ଲାଞ୍ଜ ଯାଇପାରିଲା ନାହିଁ  | ଏହାର ଅର୍ଥ ହେଲା ଲୋକମାନେ ନିଜ ଇନ୍ଦ୍ରିୟ ସୁଖ ପାଇଁ,ନିଜ ପରିବାର ଓ ସାଙ୍ଗସାଥୀ ପାଇଁ ଓ ପ୍ରିୟାପ୍ରୀତି ପାଇଁ କୋଟି କୋଟି ତାଙ୍କ ଖର୍ଚ୍ଚ କରି ଦେଇ ପାରନ୍ତି,କିନ୍ତୁ ଯେତେବେଳେ ଭଗବାନଙ୍କ କାମ ପାଇଁ ବା ଜନ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ପଡେ,ସେମାନେ ପଛଘୁଞ୍ଚା ଦେଇଥାନ୍ତି ବା ରାଜି ହୋଇ ନଥାନ୍ତି | 

ଚତୁର୍ଥ ଘଟଣାରେ ବଳୁଆ ଲୋକମାନେ ମିଶି ଗୋଟେ ବଡ଼ ପଥରକୁ ହଟାଇ ପାରିଲେ ନାହିଁ,କିନ୍ତୁ ଜଣେ ସାଧୁ କେବଳ ତାଙ୍କର ବାଡ଼ି ଦ୍ୱାରା ତାକୁ ହଟାଇ ଦେଇ ପାରିଲେ | ତାର ଅର୍ଥ ହେଲା ଏଇ ଜନ୍ମରେ ତୁମେ କେବଳ ନାମ ସ୍ମରଣ ଦ୍ୱାରା ସବୁ ପାପରୁ ମୁକ୍ତି ପାଇପାରିବ | ଯୁଧିଷ୍ଠିର ପୁଣି ବୁଝାଇ କହିଲେ କଳି ଯୁଗରେ ବହୁତ ଦୋଷଗୁଣ ଥିବା ସତ୍ତ୍ୱେ ଏଇ ଯୁଗର ସବୁଠୁ ଭଲ କଥା ହେଉଛି ଯେ ତୁମେ କେବଳ ନାମ ସ୍ମରଣ କରି ସହଜରେ ମୁକ୍ତି ପାଇ ପାରିବ |

ଶିକ୍ଷା – ଅନ୍ୟ ଯୁଗମାନଙ୍କରେ ଭଗବାନଙ୍କୁ ପାଇବାକୁ ହେଲେ ଲୋକମାନଙ୍କୁ କଠୋର ତପସ୍ୟା କରିବାକୁ ପଡୁଥିଲା | କିନ୍ତୁ କଳି ଯୁଗରେ ଭଗବାନଙ୍କ କୃପା ପ୍ରାପ୍ତି ପାଇଁ ସବୁଠୁ ସହଜ ଉପାୟ ହେଲା ଅବିରତ ଭଗବାନଙ୍କ ନାମ ସ୍ମରଣ କରିବା |

https://saibalsanskaar.wordpress.com

ଜିଭ ଓ କାନ ଭିତରେ ଯୁଦ୍ଧ 

The Great Battle 

ଗୁଣ – ସଦାଚରଣ 

ଉପଗୁଣ – ଚୁଗୁଲି କରିବା ଓ ବଦନାମ କରିବାଠୁ ଦୂରରେ ରହିବା 

କୌଣସି ଏକ ସମୟରେ ଗୋଟିଏ ଦୁଷ୍ଟ ଯାଦୁଗର ରହୁଥିଲା | ଦିନେ ରାତିରେ ସେ ଗୋଟିଏ ସହରରେ ପହଁଚିଲା ଓ ସେଇଠୁ ଶୋଇଥିବା ହଜାର ହଜାର ଲୋକଙ୍କ ଜିଭକୁ ଚୋରାଇନେଲା | ସେଇ ଜିଭଗୁଡିକ ଉପରେ ସେ ଯାଦୁ କଲା | ଯାହାଫଳରେ ଜିଭ କେବଳ ନିନ୍ଦା କରିବା,ସମାଲୋଚନା କରିବା,ଅପବାଦ ପ୍ରଚାର କରିବା,ପରସ୍ପରର ବଦନାମ କରିବା ଆଦି ଖରାପ ଗୁଣ ଶିଖିଗଲା | ତାପରେ ସେ ଜିଭଗୁଡିକ ଯେଉଁମାନଙ୍କଠୁ ନେଇଥିଲା,ସେମାନଙ୍କୁ ଫେରାଇ ଦେଲା | ଏତେ ବଡ଼ ଘଟଣା ଘଟିଗଲା ଅଥଚ କାହା ମନରେ କିଛି ବି ସନ୍ଦେହ ହେଲା ନାହିଁ |

କିନ୍ତୁ ଅଳ୍ପ ଦିନ ଭିତରେ ସହରରେ ବିରାଟ ପରିବର୍ତ୍ତନ ଘଟିବାରେ ଲାଗିଲା | ସେଠାକାର ଲୋକମାନେ ପରସ୍ପର ବିଷୟରେ କେବଳ ଖରାପ କଥା କହିବାରେ ଲାଗିଲେ | ଫଳରେ ସହରର ଶାନ୍ତିଭଙ୍ଗ ହେଲା | ଅଶାନ୍ତି ଚାରିଆଡେ ଖେଳିଗଲା | ରାଗଦ୍ଵେଷ ବଢ଼ିବାରେ ଲାଗିଲା | ଏସବୁ ଦେଖି ଦୁଷ୍ଟ ଯାଦୁଗର ମନରେ ସନ୍ତୋଷ ଆସିଗଲା | ସେ ଭାରି ଖୁସି ହୋଇଗଲା | ଆଉ ଗୋଟିଏ ଭଲ ଯାଦୁଗର ଏସବୁ ବିଷୟରେ ନଜର ରଖିଥିଲା | ତାକୁ ଏସବୁ ଭଲ ଲାଗୁ ନଥିଲା | ତେଣୁ ସେ ନିଜ ଯାଦୁ ଶକ୍ତିର ପ୍ରୟୋଗ କରି ସହରର ସବୁ ଲୋକଙ୍କ କାନକୁ ବଶ କଲା | ଏହା ଦ୍ୱାରା କାନ ଯେତେବେଳେ ଲୋକମାନଙ୍କୁ ଖରାପ କଥା କହିବା ଶୁଣୁଥିଲା,ସେ ସାଙ୍ଗେ ସାଙ୍ଗେ ନିଜକୁ ବନ୍ଦ କରି ଦେଉଥିଲା | ତେଣୁ କାନକୁ ଆଉ ଖରାପ କଥା ଶୁଣା ଯାଉ ନଥିଲା |

ବର୍ତ୍ତମାନ ସହରରେ କାନ ଆଉ ଜିଭ ଭିତରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା | ଜିଭ ଜୋରସୋରରେ କଦର୍ଯ୍ୟ କଥା କହି ଚାଲୁଥିଲା ବେଳେ କାନ ନିଜକୁ ବନ୍ଦ କରି ଏହାକୁ ଅବରୁଦ୍ଧ କରି ଦେଉଥିଲା | ବହୁତ ଦିନ ପର୍ଯ୍ୟନ୍ତ ଏହା ଚାଲୁ ରହିଲା | କିନ୍ତୁ ଧୀରେ ଧୀରେ ସମୟ ସହ ପରିସ୍ଥିତି ବଦଳିବାକୁ ଲାଗିଲା | ଜିଭ ଫିକା ପଡ଼ିବାକୁ ଲାଗିଲା | କାରଣ ତା କଥା ଶୁଣିବାକୁ କେହି ନଥିଲେ | ଜିଭର ବୁଦ୍ଧି ହେଲା ସେ କଥା କହୁଥିବ ଓ ଅନ୍ୟମାନେ ତା କଥା ଶୁଣୁଥିବେ  | ଏଥିରେ ତାକୁ ଭାରି ମଜା ଲାଗେ ଓ ସେ ସନ୍ତୁଷ୍ଟ ହୋଇଯାଏ | ସେ ଏଥରକ ନିଜକୁ ବଦଳାଇବାକୁ ସ୍ଥିର କଲା | ତେଣୁ ସେ ଖରାପ କଥା କହିବା ବନ୍ଦ କରି ଭଲ କଥା କହିବା ଆରମ୍ଭ କଲା | ଲୋକମାନେ ମଧ୍ୟ ପୂର୍ବ କଥା ଭୁଲି ତା କଥା ଶୁଣିବାରେ ଲାଗିଲେ | କାନ ପାଖରେ ନିଜକୁ ବନ୍ଦ କରିବାର ଆବଶ୍ୟକତା ରହିଲା ନାହିଁ | ଯାଦୁ କାମ କରିବା ବନ୍ଦ କରିଦେଲା  |

କିନ୍ତୁ ଏବେ ବି ଦୁଷ୍ଟ ଯାଦୁଗରକୁ ସୁଯୋଗ ମିଳିଲା କ୍ଷଣି ସେ ତାର ଯାଦୁ କରିବାକୁ ଭୁଲେ ନାହିଁ | କିନ୍ତୁ ଭଲ ଯାଦୁଗର ଠିକ ସମୟରେ ତାର ଯାଦୁ ପ୍ରୟୋଗ କରିଏହାକୁ  ନିଷ୍ଫଳ କରିଦିଏ | ଲୋକମାନେ ମଧ୍ୟ ଧୀରେ ଧୀରେ ବୁଝିବାରେ ଲାଗିଲେ ଯେ ଖରାପ କଥା ଶୁଣିବା ବନ୍ଦ କରିବାକୁ ପଡ଼ିବ |

ଶିକ୍ଷା – ସବୁବେଳେ ଭଲ କଥା କୁହ ଓ ଭଲ କଥା ଶୁଣ |

ଆମ ଆଖପାଖ ଲୋକ ସବୁବେଳେ ଭଲ କହିବେ ଓ ଚୁଗୁଲି କରିବେ ନାହିଁ,ଏ କଥା ଆଶା କରିବା ମୂର୍ଖାମୀ ଛଡ଼ା ଆଉ କିଛି ନୁହେଁ | କିନ୍ତୁ ଏଭଳି ପରିସ୍ଥିତିରେ ପ୍ରକୃତରେ ଆମକୁ କଣ ଶୁଣିବା ଦରକାର,ତାହା ଆମକୁ ଚୟନ କରିବାକୁ ପଡ଼ିବ ଓ ତା ସହିତ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ | ଏହି ଶିକ୍ଷାକୁ ଆମ ଜୀବନରେ ବାସ୍ତବରେ ପ୍ରୟୋଗ କରିବାକୁ ପଡ଼ିବ |

https://saibalsanskaar.wordpress.com

ସମସ୍ତେ ଖୁସିରେ ରହନ୍ତୁ 

ଗୁଣ – ଶାନ୍ତି 

ଉପଗୁଣ – ବୈରାଗ୍ୟ 

ଦିନେ ଭିକାରୀଟିଏ ରାଜ ମହଲ ପାଖ ଦେଇ ଯାଉଥିଲା | ସେତେବେଳେ ପ୍ରବେଶ ଦ୍ୱାର ପାଖରେ ରାଜାଙ୍କ ତରଫରୁ ଘୋଷଣା ହେଉଥିଲା ଯେ ବହୁତ ଶୀଘ୍ର ରାଜା ଭୋଜି ଦେବାକୁ ଯାଉଛନ୍ତି,କିନ୍ତୁ ରାଜ ପୋଷାକ ପିନ୍ଧିଥିବା ବ୍ୟକ୍ତି କେବଳ ଭୋଜିକୁ ଆସି ପାରିବେ | 

ଭିକାରୀ ଚିନ୍ତାରେ ପଡ଼ିଗଲା | ଜାଣିଗଲା ଯେ ସେ ତାର ଚିରା,ଫଟା ପୋଷାକ ପିନ୍ଧି ଭିତରକୁ ଯାଇ ପାରିବନି ଓ ଏଇ ଭୋଜିଟି କେବଳ ରାଜ ପରିବାର ପାଇଁ ଉଦ୍ଦିଷ୍ଟ | ତଥାପି ସାହସ କରି ସେ ରାଜ ପ୍ରାସାଦର ପ୍ରବେଶ ଦ୍ୱାରରେ ପହଁଚିଲା ଓ ତାକୁ ଭିତରକୁ ଛାଡିବା ପାଇଁ ଦ୍ୱାର ରକ୍ଷୀକୁ ଅନୁରୋଧ କଲା,କାରଣ ସେ ରାଜାଙ୍କୁ ଦେଖା କରି ତାଙ୍କର ପୁରୁଣା ପୋଷାକ ନିଜ ପାଇଁ ମାଗିବାକୁ ଚାହୁଁଥିଲା | ତା ଭାଗ୍ୟକୁ ଦ୍ୱାର ରକ୍ଷୀ ରାଜି ହୋଇଗଲା | ସେ ଭାରି ଖୁସି ହୋଇ ରାଜାଙ୍କୁ ଦେଖା କଲା | ଯେତେବେଳେ ତାକୁ ରାଜା ଆସିବାର କାରଣ ପଚାରିଲେ,ସେ ନିଜ ଇଚ୍ଛା ବ୍ୟକ୍ତ କଲା | ରାଜା ରାଜି ହୋଇଗଲେ ଓ ନିଜର ଏକ ପୁରୁଣା ପୋଷାକ ଦେଇ ପଠାଇ ଦେଲେ | ବାହାରକୁ ଆସି ଭିକାରୀ ତୁରନ୍ତ ରାଜ ପୋଷାକ ପିନ୍ଧି ନେଲା ଓ କାନ୍ଥରେ ଲାଗିଥିବା ଦର୍ପଣରେ ନିଜକୁ ଦେଖି ପ୍ରୀତ ପ୍ରୀତ ହୋଇଗଲା | 

ରାଜା ତାକୁ ଭୋଜିକୁ ନିମନ୍ତ୍ରଣ ଦେଇଥିଲେ ଓ ପୋଷାକର ବିଶେଷତ୍ୱ ବତାଇଥିଲେ | ସେଇ ପୋଷାକର ଗୁଣ ଥିଲା ଯେ ସେଇଟି କେବେ ବି ମଇଳା ହୁଏନି କି ଫାଟି ଯାଏନି ! ସେ ରାଜାଙ୍କୁ ଅଶେଷ ଧନ୍ୟବାଦ ଦେଇ ଫେରିଥିଲା | କିନ୍ତୁ ରାଜାଙ୍କ କଥା ଉପରେ ତାର ସମ୍ପୂର୍ଣ୍ଣ ବିଶ୍ୱାସ ନଥିଲା | ସେ ଭାବିଲା ଯଦି ତାର ଏଇ ପୋଷାକ ଚିରି ଗଲା ବା ଫାଟି ଗଲା,ତାହେଲେ ତାକୁ ତାର ପୁରୁଣା ପୋଷାକ ଦରକାର ପଡିବ ! ତେଣୁ ସେ ତାର ପୁରୁଣା ପୋଷାକକୁ ଭଲ ଭାବରେ ବାନ୍ଧିବୁନ୍ଧି ନିଜ ପାଖରେ ରଖିଲା | ଭିକାରୀ ଭୋଜିକୁ ଗଲା | କିନ୍ତୁ ତା ନଜର ସବୁବେଳେ ଏଇ ବୁଜୁଳା ଉପରେ ଥିଲା | ତେଣୁ ସେ ଭୋଜିକୁ ଉପଭୋଗ କରି ପାରିଲା ନାହିଁ  | ତା ପାଖରେ ଘର ନଥିଲା | ତେଣୁ ସେ ଯେତେବେଳେ ଯେଉଁଠିକୁ ଯାଉଥିଲା,ସେଠିକୁ ଏଇ ବୁଜୁଳା ଧରି ଯାଉଥିଲା |

କିଛି ଦିନ ପରେ ସେ ରାଜାଙ୍କ କଥାର ସତ୍ୟତା ଅନୁଭବ କରିଥିଲା | ରାଜା ଦେଇଥିବା ପୋଷାକ କେବେ ବି ମଇଳା ହେଉ ନଥିଲା କି ଫାଟୁ ନଥିଲା | ଯେମିତି ସେମିତି ରହିଥିଲା | ତଥାପି ସେ ତାର ପୁରୁଣା ପୋଷାକ ପ୍ରତି ଏତେ ମୋହ ରଖିଥିଲା ଯେ ତାକୁ ଛାଡି ପାରୁ ନଥିଲା | ସବୁବେଳେ ତାକୁ ନିଜ ସହ ଧରି ଚାଲୁଥିଲା | ତାର ଏମିତି କାର୍ଯ୍ୟ ଦେଖି ଲୋକମାନେ ତାର ନାଁ ରଖିଥିଲେ ‘ବୁଜୁଳାଧାରୀ ଭିକାରୀ’ | ରାଜା ତାର ଏଇ ମୋହ ବିଷୟରେ ଲୋକଙ୍କଠୁ ଶୁଣିଥିଲେ | ତାର ଶେଷ ସମୟରେ ସେ ତାକୁ ଦେଖା କରିବାକୁ ଆସିଥିଲେ | ଭିକାରୀର ତକିଆ ପାଖରେ ପୁରୁଣା ଲୁଗାର ବୁଜୁଳା ଦେଖି ଦୁଃଖିତ ହୋଇଥିଲେ | 

ପୁରୁଣା ଲୁଗାର ବୁଜୁଳା ତା ଜୀବନର ସବୁ ମଜାକୁ ନଷ୍ଟ କରି ଦେଇଥିଲା | ସେ ରାଜାଙ୍କ ପୋଷାକକୁ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରି ପାରି ନଥିଲା |

ଶିକ୍ଷା – ଅତୀତର ସ୍ମୃତିକୁ ଧରି ବସିବାର ଅଭ୍ୟାସ ପ୍ରାୟ ଆମ ସମସ୍ତଙ୍କର ଅଛି  | ସେମିତି ଆମେ ଘର ଭିତରେ ପୁରୁଣା ଅଦରକାରୀ ଜିନିଷ ସବୁ ଜମା କରି ରଖିଥାଉ | ତେଣୁ ଆମ ମନ ଓ ଘର ଉଭୟ ଅଦରକାରୀ ଜିନିଷର ଗୋଦାମ ଘର ହୋଇ ଯାଇଥାଏ | ଯାହାକୁ ପ୍ରାଧାନ୍ୟ ଦେବା କଥା ତାକୁ ଭୁଲି ଯାଇ ଇଆଡୁ ସିଆଡ଼ୁ ଅଯଥା ମୂଲ୍ୟହୀନ କଥାରେ ସମୟ ଅପଚୟ କରିଥାଉ | 

କିନ୍ତୁ ମନେ ରଖ,ପୁରୁଣା ରାଗ ଓ ତିକ୍ତତା ପୂର୍ଣ୍ଣ ଅନୁଭୁତିସବୁ ତ୍ୟାଗ କରି ଭଲ ଭାବରେ ବଞ୍ଚିବାର ଶକ୍ତି ଆମ ପାଖରେ ଅଛି | ଖୁସି ରହିବାକୁ କୌଣସି କାରଣର ଆବଶ୍ୟକତା ନାହିଁ | ଖୁସି ସବୁବେଳେ ଆମ ଭିତରେ ଅଛି | ଚାଲ,ଆମେ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରିବା |

https://saibalsanskaar.wordpress.com

ତିନି ପ୍ରକାର ଲୋକ 

ଗୁଣ – ସଦାଚରଣ,ସତ୍ୟ 

ଉପଗୁଣ – ବିଶ୍ୱାସ,ନିଷ୍ଠା 

ଶିକ୍ଷକ ଜଣକ ତାଙ୍କର ଛାତ୍ରଙ୍କୁ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେବାକୁ ଚାହୁଁଥିଲେ | 

ଦିନେ ସେ ଗୋଟିଏ ପିଲାକୁ ପାଖକୁ ଡାକି ଏକାଭଳି ଦେଖା ଯାଉଥିବା ତିନିଟା ଖେଳନା ହାତରେ ଧରାଇ ଦେଲେ | ପିଲାର କାମ ଥିଲା ସେ ତିନିଟି ଖେଳନା ଭିତରେ କଣ ପ୍ରଭେଦ ଅଛି ବାହାର କରି ସମସ୍ତଙ୍କୁ କହିବ |

ବାହାରୁ ତିନୋଟିଯାକ ଏକା ଭଳି ଲାଗୁଥିଲେ | ତିନୋଟିଯାକର ସାଇଜ୍ ମଧ୍ୟ ସମାନ ଥିଲା | ଏକା ଜିନିଷରୁ ତିଆରି ହୋଇଥିଲେ | ଏପରିକି ସେଗୁଡିକର ଆକାର ମଧ୍ୟ ସମାନ ଥିଲା | ପିଲାଟି ଖେଳଣା ତିନୋଟିକୁ ହାତରେ ଧରି ଭଲ ଭାବରେ ଏପଟ ସେପଟ କରି ଦେଖିଲା | ବହୁତ ନିରୀକ୍ଷଣ କଲା ପରେ ତାକୁ ଜଣା ପଡିଲା ଯେ ଗୋଟିକରେ ଦୁଇଟି ଯାକ କାନରେ କାନରେ କଣା ଅଛି | ଆଉ ଗୋଟିକରେ କାନ ଓ ପାଟିରେ କଣା ଅଛି | ବାକି ଖେଳଣାଟିରେ କେବଳ ଗୋଟିଏ କାନରେ କଣା ଅଛି |

ପରୀକ୍ଷା କରିବା ପାଇଁ ପିଲାଟି ପ୍ରଥମ ଖେଳଣାର ଗୋଟିଏ କାନ ଭିତରେ ଗୋଟିଏ ସରୁ ନଳୀ ପୁରାଇଲା | ନଳୀଟି ଆର କାନ ବାଟ ଦେଇ ବାହାରି ଆସିଲା | ସେ ଟିକେ ଚମକି ଗଲା | କୌତୂହଳୀ ହୋଇ ସେ ଆର ଖେଳଣାର କାନ ଭିତରେ ନଳୀଟି ପୁରାଇଲା | ଏଥର ନଳୀଟି ପାଟି ଭିତର ଦେଇ ବାହାରି ଆସିଲା | ତାକୁ ମଜା ଆସିଗଲା | 

ଶେଷରେ ସେ ତୃତୀୟ ଖେଳଣାର କାନ ଭିତରେ ନଳୀ ପୁରାଇଲା | ଆଶ୍ଚର୍ଯ୍ୟର କଥା ନଳୀ ବାହାରକୁ ବାହାରିଲା ନାହିଁ | ଭିତରେ ରହିଗଲା |

ଏଥର ଶିକ୍ଷକ ପିଲାଙ୍କୁ ଏହାର ମହତ୍ତ୍ୱ ବୁଝାଇଲେ |

ପ୍ରଥମ ଖେଳନା ସେପରି ଲୋକଙ୍କ ବିଷୟରେ କହିଥାଏ ଯେଉଁମାନେ ତୁମର ସବୁ କଥା ଉପରୁ ଉପରୁ ଶୁଣନ୍ତି,ତୁମକୁ ଲାଗେ ଯେ ସେମାନେ ତୁମ କଥା ସବୁ ମନ ଦେଇ ଶୁଣୁଛନ୍ତି,କିନ୍ତୁ ତାହା ପ୍ରକୃତରେ ସତ ନୁହେଁ | ସବୁ ଭୁଲି ଯାଆନ୍ତି | କିଛି ବି ମନେ ରଖି ପାରନ୍ତି ନାହିଁ | ତେଣୁ ଏମିତିଆ ଲୋକଙ୍କ ସହ କଥା ହେଲା ବେଳେ ସାବଧାନ ରହିବା ଦରକାର |

ଦ୍ଵିତୀୟ ଖେଳନା ସେଇ ପ୍ରକାର ଲୋକଙ୍କ ବିଷୟରେ କହିଥାଏ ଯେଉଁମାନେ ତୁମେ କହିଥିବା କଥା ଶୁଣନ୍ତି ଓ ତୁମକୁ ଵି ଲାଗେ ସେମାନେ ତୁମର ଶୁଭଚିନ୍ତକ,କିନ୍ତୁ ସେମାନେ ତୁମେ ବିଶ୍ୱାସର ସହ କହିଥିବା କଥା ପେଟରେ ରଖି ପାରନ୍ତି ନାହିଁ | ଅନ୍ୟମାନଙ୍କୁ ଜଣାଇ ଦେଇଥାନ୍ତି | ଏମିତିଆ ହୀନ କାମ କଲା ପରେ ବି ସେମାନଙ୍କୁ କିଛି ଫରକ ପଡ଼େ ନାହିଁ  |

ତୃତୀୟ ଖେଳନାରେ ଛଣ ନଳୀ ବାହାରକୁ ବାହାରି ନଥିଲା | ଏହା ସେଇପରି ଲୋକଙ୍କ ବିଷୟରେ କହିଥାଏ ଯେଉଁମାନେ ବିଶ୍ଵାସଯୋଗ୍ୟ ଅଟନ୍ତି | ସେମାନଙ୍କ ଉପରେ ତୁମେ ଆରାମରେ ନିର୍ଭର କରି ପାରିବ |

ଶିକ୍ଷା – ସବୁବେଳେ ବିଶ୍ଵାସଯୋଗ୍ୟ ତଥା ନିଷ୍ଠାବାନ ଲୋକଙ୍କ ସହ ରହିବାକୁ ଚେଷ୍ଟା କର |

https://saibalsanskaar.wordpress.com

ଅହଙ୍କାର – ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ 

ଗୁଣ – ସଦାଚରଣ 

ଉପଗୁଣ – ଅହଂକାର ତ୍ୟାଗ କରିବା

ପିଲା ଦିନରୁ ସେଇ ଦୁଇଜଣ ବଡ଼ ସାଙ୍ଗ ଥିଲେ | କିନ୍ତୁ ବଡ଼ ହେଲା ପରେ ସେମାନଙ୍କ ରାସ୍ତା ବଦଳି ଯାଇଥିଲା | ସେମାନଙ୍କ ମଧ୍ୟରୁ ଜଣେ ସାଧୁ ପାଲଟି ଯାଇଥିଲା  | ପାହାଡ଼ ଜଙ୍ଗଲ ଭିତରେ ଏକ ଗୁମ୍ଫାରେ ବସି ତପସ୍ୟାରତ ରହୁଥିଲା | ଭଗବାନଙ୍କ ପାଦ ତଳେ ନିଜକୁ ସମର୍ପଣ କରି ଦେଇଥିଲା | ଅନ୍ୟ ଜଣକ ପୁରା ଓଲଟା ଥିଲା | ସେ କଠିନ ପରିଶ୍ରମ କରି ବହୁତ ଧନ ଉପାର୍ଜନ କରି ପାରିଥିଲା | ରାଜାଙ୍କ ଭଳି ଚଳୁଥିଲା | ବଡ଼ ମହଲରେ ରହୁଥିଲା | ପ୍ରଥମ ଜଣକ କୌପୁନି ପିନ୍ଧି ରହୁଥିଲା ବେଳେ ଆରଟି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲା |

ଦିନେ ଧନୀ ସାଙ୍ଗଟି ତାର ସାଧୁ ସାଙ୍ଗ ସହ ଦେଖା କରିବାକୁ ମନ ବଳାଇଲା | ସେ ତାକୁ ଖୋଜି ଖୋଜି ଶେଷରେ ଗୋଟିଏ ନିର୍ଜନ ପାହାଡ଼ ଗୁମ୍ଫାରେ ପାଇଲା | ତା ସହ ଦେଖା କରି ସେ ଭାରି ଖୁସି ହୋଇଗଲା | ତା ସାଙ୍ଗ ଆଧ୍ୟାତ୍ମିକ ପଥରେ ଅଳ୍ପ ସମୟ ଭିତରେ ଏତେ ଉନ୍ନତି କରିଥିବା ଦେଖି ସେଦିନ ସେ ବଡ଼ ଗର୍ବିତ ଅନୁଭବ କରିଥିଲା | ସେ ବିଳମ୍ବ ନ କରି ସାଙ୍ଗକୁ ମଧ୍ୟାହ୍ନ ଭୋଜନ ପାଇଁ ନିଜ ଘରକୁ ଡାକିଥିଲା | ତପସ୍ୱୀ ମଧ୍ୟ ସାଙ୍ଗ ଘରକୁ ଯିବା ପାଇଁ ରାଜି ହୋଇ ଯାଇଥିଲେ |

ଧନୀ ସାଙ୍ଗ ଭାରି ଖୁସି ହୋଇ ସାଙ୍ଗର ଅଭ୍ୟାର୍ଥନା କରିବା ପାଇଁ ଘରକୁ ବଢିଆ ଭାବରେ ସଜାଇ ଥିଲା ଓ ସୁନ୍ଦର କୋମଳ ଗାଲିଚା ବିଛାଇ ଥିଲା ଯେମିତି ସାଙ୍ଗର ପାଦକୁ କଷ୍ଟ ହେବ ନାହିଁ |

ଧନୀ ସାଙ୍ଗ ଘରେ ପହଁଚି ସାଧୁ ଜଣକ ସାଙ୍ଗର ଆଦର ଅଭ୍ୟର୍ଥନା ଦେଖି ଭାରି ଖୁସି ହୋଇ ଯାଇଥିଲେ | କିନ୍ତୁ ତାଙ୍କ ଖୁସି ବେଶୀ ସମୟ ରହି ପାରି ନଥିଲା | ଯେତେବେଳେ ସେ ମୁଖ୍ୟ ଦ୍ୱାରରେ ପହଁଚିଲେ,ସେଠି ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କୁ କହିଲେ,”ଜାଣିଛ, ତୁମ ସାଙ୍ଗ ତୁମକୁ ଛୋଟ ଦେଖାଇବା ପାଇଁ ଏସବୁ ସାଜ ସରଞ୍ଜାମ କରିଛି ! ସେ ଜୀବନରେ କେତେ ଉନ୍ନତି କରି ପାରିଛି ଆଉ ତୁମେ ତା ସାମନାରେ କିଛି ନୁହଁ ,ଏଇ କଥା ପ୍ରମାଣିତ କରିବା ପାଇଁ ଆଜି ସେ ତୁମକୁ ନିମନ୍ତ୍ରଣ କରିଛି ! “

ଏଇ କଥା ଶୁଣି ସାଧୁଙ୍କ ମୁଣ୍ଡ ଖରାପ ହୋଇଗଲା | ତାଙ୍କୁ ଭାରି ବାଧିଲା | ତାଙ୍କ ଭିତରେ ରାଗ ଓ ଅହଂକାର ଭୟଙ୍କର ଭାବରେ ଦୁଇ ମୁଣ୍ଡିଆ ସାପ ଭଳି ଫଣା ଟେକି ଉଠିଲା | ଖରାପ ଖରାପ ଭାବନା ସବୁ ତାଙ୍କ ମୁଣ୍ଡରେ ଢୁକିଲା | ସେ ଭାବିଲେ,”ମୋର ଆଧ୍ୟାତ୍ମିକ ଜ୍ଞାନ ସହ ସେ କେମିତି ତାର ଧନକୁ ତୁଳନା କରି ପାରୁଛି ! “

ରାଗରେ ସେ ପାଖ ନର୍ଦ୍ଦମା ପଙ୍କରେ ଗୋଡ଼ ବୁଡାଇ ସାଙ୍ଗ ଘରକୁ ଆସିଲେ ଓ ବିଛା ଯାଇଥିବା ଗାଲିଚାକୁ ମଇଳା କରିଦେଲେ |

ତପସ୍ୱୀଙ୍କୁ ଦେଖି ଧନୀ ସାଙ୍ଗଟି  ଖୁସିରେ ତାଙ୍କୁ ପାଛୋଟି ନେବାକୁ ଦୌଡ଼ି ଆସିଲା | କିନ୍ତୁ ତାଙ୍କ ଭିତରେ ଜଳୁଥିବା ରାଗକୁ ଦେଖି ଓ ତାଙ୍କ ଦ୍ୱାରା ଗାଲିଚାକୁ ମଇଳା କରିବା ଦେଖି ତାକୁ ମଧ୍ୟ ସାଙ୍ଗ ଉପରେ ରାଗ ଓ ବିରକ୍ତି ଆସିଲା | 

ସାଧୁ କହିଲେ,”ମୁଁ ତୋର ଗାଲିଚାକୁ ଜାଣିଶୁଣି ମଇଳା କରିଛି | ତୁ ତୋର ପଇସା ମୋତେ ଦେଖେଇବାକୁ ଚାହୁଁଥିଲୁ ,କିନ୍ତୁ ଜାଣିଥା,ମୁଁ ତୋଠୁ ଅଧିକ ଜ୍ଞାନ ଲାଭ କରି ପାରିଛି ! ମୁଁ ଜଣେ ତପସ୍ୱୀ ଓ ଜ୍ଞାନୀ | ମୋର ସ୍ଥାନ ତୋ’ଠୁ ଯଥେଷ୍ଟ ଉପରେ ! “

ତାଙ୍କର ଅହଂକାରର ସୀମା ନଥିଲା |

ଧନୀ ସାଙ୍ଗଟି ଏସବୁ ଶୁଣି ସ୍ତମ୍ଭୀଭୂତ ହୋଇଗଲା | ତଥାପି ନମ୍ର ଭାବରେ କ୍ଷମା ପ୍ରାର୍ଥନା କରି କହିଲା,”ହେ ସାଙ୍ଗ ! ଦୁନିଆର ସବୁ ମୋହ ତ୍ୟାଗ କରି ସାଧୁ ସନ୍ନ୍ୟାସୀ ହେଲା ପରେ ବି ତୁ ଅହଂକାରକୁ ଛାଡି ପାରିନାହୁଁ ! ମୁଁ ତୋତେ ସମ୍ମାନ କରୁଥିଲି ଓ ତୋର କାମ ଦେଖି ମୋତେ ଇର୍ଷା ଆସୁଥିଲା | କିନ୍ତୁ ବର୍ତ୍ତମାନ ମୁଁ ଜାଣି ପାରୁଛି ଯେ ତୋର ଓ ମୋ ଭିତରେ ବେଶୀ ତଫାତ ନାହିଁ | ମୋର ଯଦି ପଇସାର ଅହଂକାର ଅଛି,ତୋ ପାଖରେ ବି ଜ୍ଞାନ,ତପସ୍ୟା ଓ ସାଧୁ ହେବାର ଅହଂକାର ଭର୍ତ୍ତି ହୋଇ ରହି ଅଛି | ଏମିତି କାମ କରି ବର୍ତ୍ତମାନ ତୁ ଯାହା ଅର୍ଜନ କରିଥିଲୁ,ତାକୁ ପାଣିରେ ମିଳାଇ ଦେଲୁ | ହଜାଇ ଦେଲୁ |”

ଶିକ୍ଷା – ଆମେ ଆମର ଅହଂକାର ଦ୍ୱାରା ପରିଚାଳିତ ନ ହେବା ଭଲ | ଆମ ପାଖରେ ଯେଉଁ ଜ୍ଞାନ,ଧନ,ବା ଯାହା କିଛି ଭଲ ଜିନିଷ / ଗୁଣ ଅଛି ତାହା ଭଗବାନଙ୍କର ବରଦାନ ବୋଲି ମନେ କରି ଜୀବନ କାଟିବା ଉଚିତ ହେବ |‘ ମୁଁ ‘ ଭାବଟା ଆମର ସବୁଠୁ ବଡ଼ ଶତ୍ରୁ | କାଲି ଯଦି ଆମ ସହିତ କୌଣସି ଦୁର୍ଘଟଣା ଘଟିଯାଏ ବା ସାଙ୍ଘାତିକ ବିମାରୀରେ ଆମେ ପୀଡ଼ିତ ହେଉ, ତାହେଲେ ଆମର ସବୁ ପ୍ରାପ୍ତି ମୂଲ୍ୟହୀନ ହୋଇଯିବ | ତେଣୁ ସବୁବେଳେ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଦରକାର | କାରଣ ତାଙ୍କ ଆଶୀର୍ବାଦରୁ ଆମକୁ ସୁସ୍ଥ ଶରୀର,ମନ ଓ ଆତ୍ମା ପ୍ରାପ୍ତ ହୋଇଛି ଓ ସେଇଥି ପାଇଁ ଦୁନିଆରେ ଆମେ କିଛି କାମ କରି ନିଜ ସ୍ଥାନ ତିଆରି କରି ପାରିଛୁ | ପରସ୍ପର ପ୍ରତି ଇର୍ଷା କରିବା ବା ରାଗ ରଖିବା ଅନୁଚିତ | ଚାଲ,ସଚ୍ଚୋଟ ଭାବରେ ଆମେ ଆମର କାମ କରି ଚାଲିବା | ଏ କଥା ସୁନିଶ୍ଚିତ ଯେ ସମୟ ଆସିଲେ ଭଗବାନ ଆମକୁ ଯଥୋଚିତ ଭାବରେ ପୁରସ୍କୃତ କରିବେ |

https://saibalsanskaar.wordpress.com

ଅଭିଜ୍ଞତା କାମରେ ଆସେ 

Only Experience Can Make One Wise 

ଗୁଣ – ସତ୍ୟ 

ଉପଗୁଣ – ଭଲମନ୍ଦ ବାଛିବାର ଶକ୍ତି 

ଶିଷ୍ୟଟି ସବୁବେଳେ ଗୁରୁଙ୍କ ପାଖରେ ରହି ସେବା କରି ଆସୁଥିଲା | ସେ କେବେ ବି ଗାଈ ଦେଖି ନଥିଲା କି କ୍ଷୀର କେମିତି ଲାଗେ ଚାଖି ନଥିଲା | କିନ୍ତୁ ସେ ଶୁଣିଥିଲା ଯେ ଗାଈ କ୍ଷୀର ଏକ ପୁଷ୍ଟିକର ପାନୀୟ |

ଥରେ ସେ ଗୁରୁଙ୍କୁ ଗାଈ ବିଷୟରେ ପଚାରି ଥିଲା | ଗୁରୁ ତାକୁ ଗାଈର ରୂପ ବର୍ଣ୍ଣନା କରିଥିଲେ | ତାକୁ କହିଥିଲେ ଯେ ଗାଈ ଏକ ଗୃହପାଳିତ ପଶୁ | ତାର ଚାରିଟା ଗୋଡ଼ ଥାଏ | ଲାଞ୍ଜଟି ପଛରେ ଝୁଲୁ ଥାଏ | ତାର ଆଖି,କାନ,ପେଟ,ଚୀର ,ଶିଙ୍ଘ ଆଦି ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ | ତାକୁ ଏ କଥା ମଧ୍ୟ କହିଥିଲେ ଯେ ଗାଈ କ୍ଷୀର ଦେଇଥାଏ | ଗାଈ କ୍ଷୀର ଦେଖିବାକୁ ଧଳା ଓ ଆମ ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ |

ଶିଷ୍ୟ ମନରେ ଏଇ କଥାଟି ଲାଖି ରହିଥିଲା |

ଥରେ ସେ ଗୋଟିଏ ଗାଁ’କୁ ଯାଇଥିଲା | ସେଠି ଜଣେ ଚିତ୍ରକାର କାନ୍ଥରେ ଚକ୍ ବ୍ୟବହାର କରି ଗାଈର ଚିତ୍ର ଅଙ୍କନ କରିଥିଲେ | ପାଖରେ ବାଲ୍ଟିରେ ବାଲଟିଏ ଚୁନା ପାଣି ଛାଡି ଚାଲି ଯାଇଥିଲେ  | ଶିଷ୍ୟ ଜଣକ ଭଲ ଭାବରେ ଚିତ୍ରଟିକୁ ନିରୀକ୍ଷଣ କରିଥିଲା | ଗାଈର ରୂପ ବିଷୟରେ ଗୁରୁଙ୍କ ବର୍ଣ୍ଣନାକୁ ମନେ ପକାଇ ଥିଲା | ପାଖରେ ବାଲ୍ଟିରେ ଥିବା ଧଳା ଚୁନ ପାଣିକୁ ଦେଖି ସେ ନିଶ୍ଚିତ ହୋଇ ଯାଇଥିଲା ଯେ ଏଇଟି ଗୋଟିଏ ଗାଈ ଓ ଗାଈ କ୍ଷୀର ବାଲ୍ଟିରେ ଅଛି | ସେ ଆଉ ଚିନ୍ତା ନ କରି ବାଲଟିରୁ କିଛି ଧଳା ପାଣି ପିଇ ଦେଇଥିଲା | ଟିକେ ସମୟ ଯାଇଛି କି ନାହିଁ ସେ କଷ୍ଟରେ ଚିତ୍କାର କରିଥିଲା | ତାର ଚିତ୍କାର ଶୁଣି ସେଇ ଜାଗା ପାଖରେ କାମ କରୁଥିବା ଲୋକମାନେ ତାକୁ ନେଇ ଡାକ୍ତରଖାନାରେ ପହଁଚାଇଥିଲେ |

ଗୁରୁଙ୍କୁ ତା ବିଷୟରେ ଖବର ମିଳିଥିଲା | ସେ ଶିଷ୍ୟଙ୍କୁ ଦେଖା କରିବାକୁ ଡାକ୍ତରଖାନାରେ ପହଁଚି ଥିଲେ | ତାଙ୍କୁ ଦେଖି ଶିଷ୍ୟ ଭୀଷଣ ରାଗି ଯାଇଥିଲା | ଗୁରୁ ‘ଗାଈ ବା କ୍ଷୀର’ ବିଷୟରେ ବାସ୍ତବରେ କିଛି ଜାଣନ୍ତି ନାହିଁ ବୋଲି ଅଭିଯୋଗ କରିଥିଲା |

ଗୁରୁ ତାକୁ ସବୁ କିଛି ଭଲ ଭାବରେ ବୁଝାଇ କହିବାକୁ କହିଥିଲେ | ତା’ଠୁ ସବୁ କଥା ଶୁଣିଲା ପରେ ଗୁରୁ ପଚାରିଥିଲେ କଣ ସେ ନିଜେ ଗାଈର କ୍ଷୀର ଦୁହିଁ ଥିଲା ? ଶିଷ୍ୟ ମନା କରିଥିଲା | ଗୁରୁ କହିଲେ,”ତୋର ଭୁଲ ସେଇଠି | ଶୁଣିଥିବା କଥା ସତ କି ମିଛ ନିଜେ ପରୀକ୍ଷା ନ କରି ଅନ୍ୟର କଥାରେ ଭାସିଗଲୁ | “ 

ଶିଷ୍ୟ ଏକଥା ଶୁଣି ନିଜ ମୂର୍ଖାମୀ ବିଷୟରେ ଜାଣି ପାରିଥିଲା | ତାକୁ ଭାରି ଲାଜ ମାଡ଼ିଥିଲା | ସେ ତୁରନ୍ତ  ଗୁରୁଙ୍କୁ କ୍ଷମା ମାଗିଥିଲା |

ଶିକ୍ଷା – ଅନ୍ଧ ଭାବରେ ଅନ୍ୟକୁ ଅନୁସରଣ କରିବା ଅନୁଚିତ | କୌଣସି ଜିନିଷକୁ ଆଦରିବା ପୂର୍ବରୁ ଥରେ ନିଜେ ପରୀକ୍ଷା କରି ଦେଖି ନେବା ଉଚିତ | ନିଜ ଅଭିଜ୍ଞତା ପ୍ରାୟତଃ ସବୁ କ୍ଷେତ୍ରରେ ସଠିକ ମାର୍ଗ ଦର୍ଶାଇଥାଏ |

https://saibalsanskaar.wordpress.com

ଶାନ୍ତି ଦୂତ କୃଷ୍ଣ 

ଗୁଣ – ଶାନ୍ତି 

ଉପଗୁଣ -ନିରପେକ୍ଷତା, ନ୍ୟାୟ 

ମହାଭାରତ ଯୁଦ୍ଧ ଆରମ୍ଭ ହେବେ ପୂର୍ବର ଘଟଣା …..

ବହୁତ ଲୋକ ଯୁଦ୍ଧର ପରିଣାମ କଣ ହେବ ଜାଣି ପାରୁଥିଲେ | ତେଣୁ ସେମାନେ ଯୁଦ୍ଧ ହେଉ ଚାହୁଁ ନଥିଲେ | ଯୁଦ୍ଧକୁ ଏଡାଇବାକୁ ଯେତେ ସମ୍ଭବ ସେତିକି ଚେଷ୍ଟା କରୁଥିଲେ | ପାଣ୍ଡବଙ୍କ ସହ ଯୁଦ୍ଧ ନ କରିବାକୁ ସଞ୍ଜୟ ଦୁର୍ଯ୍ୟୋଧନଙ୍କୁ ଯେତେ ବୁଝାଇଲେ ମଧ୍ୟ ଦୁର୍ଯ୍ୟୋଧନ ଶୁଣିବାକୁ ନାରାଜ ଥିଲେ | ଏଇ ପରିସ୍ଥିତିରେ କୃଷ୍ଣ ପାଣ୍ଡବଙ୍କ ଦୂତ ଭାବରେ ହସ୍ତିନା ପୁରକୁ ଯିବାକୁ ନିର୍ଣ୍ଣୟ କରିଥିଲେ |

ହସ୍ତିନା ପୁରରେ କୃଷ୍ଣଙ୍କୁ ଅତି ସୁନ୍ଦର ଭାବରେ ସ୍ୱାଗତ ତଥା ଅଭ୍ୟର୍ଥନା କରା ଯାଇଥିଲା | କୃଷ୍ଣ ପାଣ୍ଡବଙ୍କ ତରଫରୁ ଦୁର୍ଯ୍ୟୋଧନଙ୍କ ସାମନାରେ ଏକ ପ୍ରସ୍ତାବ ରଖିଥିଲେ | ଏଇ ପ୍ରସ୍ତାବ ଅନୁସାରେ ହସ୍ତିନା ପୁର ବଦଳରେ ପାଣ୍ଡବଙ୍କୁ ପାଞ୍ଚୋଟି ଗ୍ରାମ ଦେବାକୁ ଦୁର୍ଯ୍ୟୋଧନଙ୍କୁ ଅନୁରୋଧ କରିଥିଲେ | ତାଙ୍କ କହିବା ଅନୁସାରେ ସେତିକିରେ ପାଣ୍ଡଵ ଖୁସି ରହିବେ | ତେଣୁ ଯୁଦ୍ଧର ଆବଶ୍ୟକତା ରହିବ ନାହିଁ |

କିନ୍ତୁ ଦୁର୍ଯ୍ୟୋଧନ ନିଜ କଥାରେ ଅଟଳ ଥିଲେ |

ସେ କହିଲେ,” ପୁରା ରାଜ୍ୟ ମୋର | ମୁଁ ପାଣ୍ଡବଙ୍କୁ କିଛି ବି ଦେବାକୁ ରାଜି ନୁହେଁ | ଏମିତିକି ଛୁଞ୍ଚି ମୁନରେ ଯେତିକି ଜାଗା ହେବ ସେତିକି ମଧ୍ୟ ସେମାନଙ୍କୁ ଦେବି ନାହିଁ |  “

“ କୃଷ୍ଣ ! ତୁମେ ସବୁବେଳେ ପକ୍ଷପାତିତା କରି ଆସିଛ ! ସବୁବେଳେ ପାଣ୍ଡବଙ୍କୁ ସମର୍ଥନ କରି ଆସିଛ ! ସେଇ ଅପରାଧରେ ବର୍ତ୍ତମାନ ମୁଁ ତୁମକୁ କାରାଗାରରେ ବନ୍ଦ କରିବି |“ 

କୃଷ୍ଣଙ୍କୁ ବନ୍ଦୀ ବନାଇବାକୁ ସେ ନିଜ ସୈନିକମାନଙ୍କୁ ନିର୍ଦ୍ଦେଶ ଦେଲେ |

କୃଷ୍ଣ ସେଇ ସମୟରେ ନିଜର ବିରାଟ ରୂପ ଧାରଣ କଲେ | ସମସ୍ତେ ତାଙ୍କର ଏଇ ରୂପକୁ ଦେଖି ଭୟଭୀତ ହୋଇ ଯାଇଥିଲେ | ତାପରେ ସାଙ୍ଗେ ସାଙ୍ଗେ କୃଷ୍ଣ ସେଇ ଜାଗା ଛାଡି ଫେରି ଯାଇଥିଲେ | ଶାନ୍ତି ପ୍ରସ୍ତାବ ଆଗକୁ ବଢି ପାରି ନଥିଲା | ଯୁଦ୍ଧ ଆଡକୁ ଉଭୟ ପକ୍ଷ ପାଦ ବଢ଼ାଇ ଥିଲେ |

ଶିକ୍ଷା – ଯେତେବେଳେ ଜଣଙ୍କ ମନ ଭିତରେ ହିଂସା ,ଦ୍ୱେଷ ,ଈର୍ଷା ,ଲୋଭ ,ଅହଂକାର ଆଦି ଭରିଯାଏ ,ସେତେବେଳେ ସେ ଭଲମନ୍ଦର ବାଛ କରିବାର ଶକ୍ତି ହରାଇ ବସେ | ଏମିତିଆ ମାନସିକ ପରିସ୍ଥିତିରେ ସେ ନା ନିଜର ଭଲ କରେ ନା ଆଉ କାହାର ! କେବଳ ଧ୍ବଂସକୁ ଆହ୍ବାନ କରିଥାଏ | ଗୀତାରେ କୃଷ୍ଣ କହିଛନ୍ତି ,” ଯେତେବେଳେ ଧର୍ମର ପତନ ଘଟେ,ସେତେବେଳେ ଧର୍ମ ସଂସ୍ଥାପନ ପାଇଁ ଭଗବାନ ବାରମ୍ବାର ପୃଥିବୀରେ ଅବତରଣ କରିଥାନ୍ତି ଓ ଅଧର୍ମର ବିନାଶ ଘଟାଇଥାନ୍ତି | “

ଉପରୋକ୍ତ କାହାଣୀଟି କୃଷ୍ଣଙ୍କ ଏଇ ଧର୍ମ ସଂସ୍ଥାପକର ଭୂମିକା ବିଷୟରେ ଆମକୁ ଅବଗତ କରାଉଛି |

https://saibalsanskaar.wordpress.com

ସ୍ୱାଦ ବଦଳିଗଲା !

Bitter Tastes Sweet

ଗୁଣ – ସତ୍ୟ 

ଉପଗୁଣ – ଆଶାବାଦୀ ରହିବା ,ଶୁଦ୍ଧ ଭାବନା 

ଗୋଟିଏ ଗାଆଁରେ ରାମୁ ନାମକ ଜଣେ ବ୍ୟକ୍ତି ରହୁଥିଲେ | ସେ ଅତ୍ୟନ୍ତ ଭଲ ସ୍ୱଭାବର ଲୋକ ଥିଲେ | କିନ୍ତୁ ତାଙ୍କୁ ସବୁବେଳେ ବଦହଜମୀର ସମସ୍ୟା ଲାଗି ରହୁଥିଲା | ବହୁତ ପ୍ରକାର ଔଷଧ ଖାଉଥିଲେ | କିନ୍ତୁ କିଛି କାମ କରୁ ନଥିଲା  |

ଥରେ ଜଣେ ସାଧୁ ପୂଜା ଉତ୍ସବ ସମୟରେ ତାଙ୍କ ଗାଆଁରେ ପହଁଚିଥିଲେ | ସାଧୁ ଜଣକ ବଡ଼ ଜ୍ଞାନୀ ଥିଲେ | ତାଙ୍କ ପ୍ରବଚନ ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା | ରାମୁ ତାଙ୍କୁ ଦେଖା କରି ନିଜର ପେଟ ସମସ୍ୟା ବିଷୟରେ ଜଣାଇ ଥିଲେ | ସାଧୁ ତାଙ୍କୁ ଏକ ସରଳ ଉପାୟ ବତାଇ ଥିଲେ | ସେ ପ୍ରତ୍ୟେକ ଦିନ ରାମୁଙ୍କୁ ଅଳ୍ପ ମାତ୍ରାରେ ସୈନ୍ଧବ ଲବଣ ସେବନ କରିବାକୁ କହିଥିଲେ | ତାଙ୍କ କଥା ମାନି ରାମୁ ସବୁ ଦିନ ଟିକେ ଟିକେ କରି ସୈନ୍ଧବ ଲବଣ ସେବନ କରିବା ଆରମ୍ଭ କରିଥିଲେ | ଫଳରେ ତାଙ୍କର ମିଠା ଖାଇବା ଅଭ୍ୟାସ ଦୂର ହୋଇଯାଇଥିଲା ଓ ପେଟ ଭଲ ହେବାରେ ଲାଗିଥିଲା |

କିଛି ଦିନ ପରେ ଅନ୍ୟ ଏକ ପୂଜା ଉତ୍ସବରେ ରାମୁ ଗାଆଁରେ ଗରିବ ଲୋକମାନଙ୍କୁ ଓ ପିଲାମାନଙ୍କୁ ମିଠା ବାଣ୍ଟିବା ପାଇଁ ମନସ୍ଥ କରିଥିଲେ | ସେ ବଜାରରୁ ମିଠା କିଣି ବିତରଣ କରିବା ପୂର୍ବରୁ ମିଠା ଉତ୍ତମ ମାନର କି ନୁହଁ ଜାଣିବାକୁ ଚାଖିଥିଲେ | ଆଶ୍ଚର୍ଯ୍ୟର କଥା ତାଙ୍କୁ ମିଠା ସବୁ ପିତା ଲାଗିଥିଲା !

ତାଙ୍କୁ ଲାଗିଲା ବୋଧହୁଏ ସେଇ ମିଠା ଦୋକାନର ମିଠା ଭଲ ନୁହଁ ସେଥିପାଇଁ ଏମିତି ପିତା ଲାଗୁଛି ! 

ସେ ଅନ୍ୟ ଦୋକାନଗୁଡ଼ିକରୁ ମଧ୍ୟ ମିଠା କିଣି ତାର ସ୍ୱାଦ ପରୀକ୍ଷା କଲେ | ସବୁ ମିଠା ପିତା ଲାଗୁଥିଲା | ସେ ଭୁଲି ଯାଇଥିଲେ ଯେ ସେ ଯେଉଁ ସବୁଦିନ ସୈନ୍ଧବ ଲବଣ ଖାଉଛନ୍ତି ତାରି ଫଳରେ ମିଠା ସବୁ ତାଙ୍କ ପାଟିକୁ ପିତା ଲାଗୁଛି | 

ଗୋଟିଏ ମିଠା ଦୋକାନୀ ତାଙ୍କର ଏଇ ଅଭ୍ୟାସ ବିଷୟରେ ଜାଣିଥିଲେ | ସେ ତାଙ୍କୁ ମିଠା ଚାଖିବା ପୂର୍ବରୁ ପାଟିକୁ ଭଲ ଭାବରେ ଧୋଇ ଖାଇବାକୁ ଅନୁରୋଧ କଲେ | ସେ ତାଙ୍କ କଥା ମାନି ମୁହଁ ଧୋଇ ମିଠା ଚାଖିଲେ | ଏଥର ମିଠାର ସ୍ୱାଦ ମିଠା ଭଳି ଥିଲା | ଏଇ ପରିବର୍ତ୍ତନରେ ସେ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ |

ଶିକ୍ଷା : ଆମର ବଦ ଅଭ୍ୟାସ ଆମକୁ ସତ ପଥରେ ଚାଲିବାକୁ ଦେଇ ନଥାଏ | ଆମର ମନ ସଫା ରହିଲେ ହିଁ ଆମେ ଭଲ କଥା ଶିଖି ପାରିବା | ଆମର ବିଚାର ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ ଅଟେ | ଆମେ ଯାହା ଭାବୁ ,ଶେଷରେ ଆମେ ସେଇଆ ହିଁ ବନିଯାଉ | ତେଣୁ ଉତ୍ତମ ବିଚାରକୁ ମନରେ ସ୍ଥାନ ଦେବା ଓ ଖରାପ ଜିନିଷରୁ ଦୂରରେ ରହିବା | ତାହେଲେ ଆମକୁ ମାନସିକ ଶାନ୍ତି ମିଳି ପାରିବ ଓ ସନ୍ଥମାନଙ୍କ ଉପଦେଶ ଠିକ ଭାବରେ ଗ୍ରହଣ କରି ପାରିବା | ନିଶ୍ଚିତ ଭାବରେ ଆମକୁ ଉଚିତ ଦିଗ ଦର୍ଶନ ମିଳିପାରିବ |

https://saibalsanskaar.wordpress.com

ଶିବ ଭକ୍ତ ନନ୍ଦନାର 

A Great Devotee Nandanar

ଗୁଣ : ପ୍ରେମ 

ଉପଗୁଣ : ବିଶ୍ୱାସ ,ଭକ୍ତି 

ତାମିଲ ନାଡୁ ରାଜ୍ୟର ଏକ ଛୋଟ ଗାଁ ଆଥନୁରରେ ଶିବଙ୍କର ପରମ ଭକ୍ତ ନନ୍ଦନାର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ | ପରିବାର ଚଳାଇବା ପାଇଁ ସେ ଜଣେ ବ୍ରାହ୍ମଣ ଜମିଦାରଙ୍କ ଘରେ କାମ କରୁଥିଲେ | ଥରେ ସେ ସାଙ୍ଗସାଥୀଙ୍କ ସହ ତାଙ୍କ ଗାଁ ନିକଟରେ ଥିବା ଥିରୁପ୍ପଙ୍କୁର ଶିବ ମନ୍ଦିର ଯାଇଥିଲେ | ଦଳିତ ହୋଇଥିବାରୁ ତାଙ୍କୁ ଶିବ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନଥିଲା | କିନ୍ତୁ ମନରେ ଶିବଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ଥିଲା | ମନ୍ଦିର ସାମନାରେ ଥିବା ନନ୍ଦୀଙ୍କ ବଡ଼ ମୂର୍ତ୍ତୀ ମଧ୍ୟ ମନ୍ଦିର ବାହାରୁ ଦର୍ଶନ କରିବାରେ ବାଧା ସୃଷ୍ଟି କରୁଥିଲା | ନନ୍ଦନାର ବିକଳ ହୋଇ ଶିବଙ୍କୁ ଦର୍ଶନ ଦେବା ପାଇଁ ପ୍ରାର୍ଥନା କରିଥିଲେ | ଶିବ ତାଙ୍କ ଭକ୍ତି ଦେଖି ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ | ତାଙ୍କ କୃପାରୁ ନନ୍ଦୀ ନିଜ ସ୍ଥାନରୁ ଟିକେ ଘୁଞ୍ଚି ଯାଇଥିଲେ | ଯାହାଫଳରେ ନନ୍ଦନାର ଶିବଙ୍କ ଦର୍ଶନ ପାଇଁ ପାରିଥିଲେ ଓ ତାଙ୍କ ଇଚ୍ଛା ପୂର୍ଣ୍ଣ ହୋଇଥିଲା |

ସେଇଠି ନନ୍ଦନାର ଚିଦାମ୍ବରସ୍ଥିତ ନଟରାଜ ମନ୍ଦିର ବିଷୟରେ ଅବଗତ ହୋଇଥିଲେ | ନଟରାଜଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଜାଗ୍ରତ ହୋଇଥିଲା | ସବୁବେଳେ ତାଙ୍କୁ ସେଇ ବିଷୟରେ ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ ଭାରି ମନ ହେଉଥିଲା | ତେଣୁ ଯେବେ ବି ସେ କାହାକୁ ଦେଖୁଥିଲେ,ତାକୁ ନିଜ ଆଗାମୀ ଚିଦାମ୍ବରମ୍ ଯାତ୍ରା ବିଷୟରେ ବଖାଣି ହେଉଥିଲେ | କିନ୍ତୁ ଯେତେ ଚେଷ୍ଟା କଲେ ବି ଚିଦାମ୍ବରମ୍ ଯାତ୍ରା ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରୁ ନଥିଲା | ଏମିତି ହେଲା କି ଲୋକମାନେ ତାଙ୍କ ମୁହଁରୁ ଚିଦାମ୍ବରମ୍ ନାଁ ଶୁଣିଲା କ୍ଷଣି ତାଙ୍କ ମଜା ଉଡ଼ାଇବା ଆରମ୍ଭ କରି ଦେଇଥିଲେ | ଦିନେ ସେ ନିଜ ମାଲିକଙ୍କୁ କାକୁତି ମିନତି କରି ଚିଦାମ୍ବରମ୍ ଯିବା ପାଇଁ ଛୁଟି ମାଗିଲେ | ମାଲିକ ବଡ଼ କଷ୍ଟରେ ଛୁଟି ଦେବାକୁ ରାଜି ହେଲେ | ତାଙ୍କ ସର୍ତ୍ତ ଥିଲା ଚିଦାମ୍ବରମ୍ ଯିବା ପୂର୍ବରୁ ନନ୍ଦନାରଙ୍କୁ ଜମିରେ ଅଳ୍ପ ସମୟ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଶସ୍ୟ ଉପୁଯାଇ ଖଳାରେ ଜମା କରିବାକୁ ପଡିବ | ଏଥିରେ ନନ୍ଦନାର ରାଜି ହୋଇ ଯାଇଥିଲେ | ଭଗବାନଙ୍କ ନାଁ ନେଇ ସେ କାମଟି ଠିକ ସମୟରେ ସମ୍ପନ୍ନ କରିବାକୁ ସମର୍ଥ ହୋଇଥିଲେ ଓ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିଲେ |

ଶେଷରେ ନନ୍ଦନାର ଚିଦାମ୍ବରମ୍ ପହଁଚି ଥିଲେ | ସେ ଦଳିତ ହୋଇଥିବାରୁ ମନ୍ଦିରରେ ପ୍ରବେଶ କରିବାକୁ ସାହସ କରି ପାରି ନଥିଲେ | ସେତେବେଳେ ମନ୍ଦିରରେ ଯଜ୍ଞ ଚାଲିଥିଲା ଓ ବେଦ ପାଠ ଚାଲିଥିଲା | ମନ୍ଦିର ଭିତରୁ ଯଜ୍ଞ ଧୂଆଁ ବାହାରି  ଚାରି ଆଡ଼କୁ ମହକିତ କରୁଥିଲା ଓ ବେଦ ଧ୍ୱନୀ କାନକୁ ପବିତ୍ର  କରି ଦେଉଥିଲା | ସେ ଶିବଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରୂପାୟ ହୋଇ ମନ୍ଦିର ଚାରିପାଖରେ ବାରମ୍ବାର ପରିକ୍ରମା କରି ଚାଲିଥିଲେ | ଶେଷରେ ହାଲିଆ ହୋଇ ମନ୍ଦିର ପ୍ରାଙ୍ଗଣରେ ଶୋଇ ପଡି ଥିଲେ | ସ୍ୱପ୍ନରେ ତାଙ୍କୁ ଶିବ ଦର୍ଶନ ଦେଇଥିଲେ ଓ ପବିତ୍ର ଅଗ୍ନି ଭିତର ଦେଇ ମନ୍ଦିରରେ ପ୍ରବେଶ କରିବାକୁ ଆଦେଶ ଦେଇଥିଲେ | ତା ସହିତ ଶିବ ମନ୍ଦିରର ପୂଜାରୀମାନଙ୍କୁ ମଧ୍ୟ ମନ୍ଦିର ଭିତରେ ଚିତାଗ୍ନି ଜଳାଇବାକୁ ଆଦେଶ ଦେଇଥିଲେ |

ସକାଳୁ ଉଠି ସେ ଆଗ ମନ୍ଦିରରେ ପହଁଚି ଥିଲେ | ମନ୍ଦିରରେ ଚିତାଗ୍ନି ପ୍ରସ୍ତୁତ ହୋଇ ସାରିଥିଲା | ପୂଜାରୀମାନେ ଅପେକ୍ଷା କରି ରହିଥିଲେ | ନନ୍ଦନାରଙ୍କୁ ସେହି ମୁହୂର୍ତ୍ତରେ ସେଇଠି ଦେଖି ସେମାନେ ଜାଣି ପାରିଥିଲେ ଯେ ଏହା ତାଙ୍କ ପାଇଁ ଉଦ୍ଦିଷ୍ଟ | ସେ ବିଳମ୍ବ ନ କରି ଶିବଙ୍କ ନାମ ଉଚ୍ଚାରଣ କରି ତା ଭିତରକୁ ପ୍ରବେଶ କରିଥିଲେ ଓ ବାହାରି ଆସିଥିଲେ |

ସେ ଆଉ ପୂର୍ବଭଳି ନଥିଲେ | ତାଙ୍କର କାୟା ପରିବର୍ତ୍ତନ ହୋଇ ଯାଇଥିଲା | ସେ ଜଣେ ଅତି ଶୁଦ୍ଧପୂତ ବ୍ରାହ୍ମଣ ସନ୍ଥଙ୍କ ଭଳି ଦେଖାଯାଉଥିଲେ | ମୁଣ୍ଡର ଜଟା ଥିଲା | କାନ୍ଧରେ ଉପବୀତ ଥିଲା | ତାଙ୍କ ଶରୀରରେ ଏକ ଅପୂର୍ବ ଆଭା ଦେଖା ଯାଉଥିଲା | ସେତେବେଳେ ତାଙ୍କ ଉପରେ ସ୍ୱର୍ଗରୁ ପୁଷ୍ପବର୍ଷା ହୋଇଥିଲା | ସମସ୍ତେ ଏହି ଅପୂର୍ବ ଦୃଶ୍ୟ ଦେଖି ଆନନ୍ଦରେ ବିହ୍ଵଳିତ ହୋଇ ଉଠିଥିଲେ | ମନ୍ଦିରର ବ୍ରାହ୍ମଣ ପୂଜାରୀମାନେ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ | ନନ୍ଦନାର ନଟରାଜଙ୍କୁ ଦର୍ଶନ କରି ଭାବ ବିହ୍ଵଳିତ ହୋଇ ଉଠିଥିଲେ | ସେ ସେଇଠି ହିଁ ଦେହ ତ୍ୟାଗ କରି ଶିବଲିଙ୍ଗରେ ଆଲୋକ ରୂପରେ ଲୀନ ହୋଇ ଯାଇଥିଲେ |

ଶିକ୍ଷା : ଭାବ ଓ ଭକ୍ତି ଭଗବାନଙ୍କ ପ୍ରିୟ | ଶାସ୍ତ୍ର ଜ୍ଞାନ ଓ ବାହ୍ୟ ଆଡମ୍ବରରେ ଭଗବାନ ମିଳନ୍ତି ନାହିଁ | ଭଗବାନଙ୍କ ପାଖରେ ଜାତି ଭେଦ,ଲିଙ୍ଗ ଭେଦ ବା ବିଭିନ୍ନ ମତ ଭେଦ ମାଇନେ ରଖେ ନାହିଁ | ବାସ୍ତବରେ ତାଙ୍କ ପାଖରେ କୌଣସି ଭେଦଭାବ ନଥାଏ | ସେ ସମସ୍ତଙ୍କୁ ଏକାଭଳି ଭଲ ପାଇଥାନ୍ତି | ତେଣୁ ଆମେ ମଧ୍ୟ ଭେଦଭାବ ଭୁଲି ଯାଇ ସମସ୍ତଙ୍କୁ ଭଲ ପାଇବା ଓ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିବା |

https://saibalsanskaar.wordpress.com