ଶିବ ଭକ୍ତ ନନ୍ଦନାର 

A Great Devotee Nandanar

ଗୁଣ : ପ୍ରେମ 

ଉପଗୁଣ : ବିଶ୍ୱାସ ,ଭକ୍ତି 

ତାମିଲ ନାଡୁ ରାଜ୍ୟର ଏକ ଛୋଟ ଗାଁ ଆଥନୁରରେ ଶିବଙ୍କର ପରମ ଭକ୍ତ ନନ୍ଦନାର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ | ପରିବାର ଚଳାଇବା ପାଇଁ ସେ ଜଣେ ବ୍ରାହ୍ମଣ ଜମିଦାରଙ୍କ ଘରେ କାମ କରୁଥିଲେ | ଥରେ ସେ ସାଙ୍ଗସାଥୀଙ୍କ ସହ ତାଙ୍କ ଗାଁ ନିକଟରେ ଥିବା ଥିରୁପ୍ପଙ୍କୁର ଶିବ ମନ୍ଦିର ଯାଇଥିଲେ | ଦଳିତ ହୋଇଥିବାରୁ ତାଙ୍କୁ ଶିବ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନଥିଲା | କିନ୍ତୁ ମନରେ ଶିବଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ଥିଲା | ମନ୍ଦିର ସାମନାରେ ଥିବା ନନ୍ଦୀଙ୍କ ବଡ଼ ମୂର୍ତ୍ତୀ ମଧ୍ୟ ମନ୍ଦିର ବାହାରୁ ଦର୍ଶନ କରିବାରେ ବାଧା ସୃଷ୍ଟି କରୁଥିଲା | ନନ୍ଦନାର ବିକଳ ହୋଇ ଶିବଙ୍କୁ ଦର୍ଶନ ଦେବା ପାଇଁ ପ୍ରାର୍ଥନା କରିଥିଲେ | ଶିବ ତାଙ୍କ ଭକ୍ତି ଦେଖି ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ | ତାଙ୍କ କୃପାରୁ ନନ୍ଦୀ ନିଜ ସ୍ଥାନରୁ ଟିକେ ଘୁଞ୍ଚି ଯାଇଥିଲେ | ଯାହାଫଳରେ ନନ୍ଦନାର ଶିବଙ୍କ ଦର୍ଶନ ପାଇଁ ପାରିଥିଲେ ଓ ତାଙ୍କ ଇଚ୍ଛା ପୂର୍ଣ୍ଣ ହୋଇଥିଲା |

ସେଇଠି ନନ୍ଦନାର ଚିଦାମ୍ବରସ୍ଥିତ ନଟରାଜ ମନ୍ଦିର ବିଷୟରେ ଅବଗତ ହୋଇଥିଲେ | ନଟରାଜଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଜାଗ୍ରତ ହୋଇଥିଲା | ସବୁବେଳେ ତାଙ୍କୁ ସେଇ ବିଷୟରେ ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ ଭାରି ମନ ହେଉଥିଲା | ତେଣୁ ଯେବେ ବି ସେ କାହାକୁ ଦେଖୁଥିଲେ,ତାକୁ ନିଜ ଆଗାମୀ ଚିଦାମ୍ବରମ୍ ଯାତ୍ରା ବିଷୟରେ ବଖାଣି ହେଉଥିଲେ | କିନ୍ତୁ ଯେତେ ଚେଷ୍ଟା କଲେ ବି ଚିଦାମ୍ବରମ୍ ଯାତ୍ରା ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରୁ ନଥିଲା | ଏମିତି ହେଲା କି ଲୋକମାନେ ତାଙ୍କ ମୁହଁରୁ ଚିଦାମ୍ବରମ୍ ନାଁ ଶୁଣିଲା କ୍ଷଣି ତାଙ୍କ ମଜା ଉଡ଼ାଇବା ଆରମ୍ଭ କରି ଦେଇଥିଲେ | ଦିନେ ସେ ନିଜ ମାଲିକଙ୍କୁ କାକୁତି ମିନତି କରି ଚିଦାମ୍ବରମ୍ ଯିବା ପାଇଁ ଛୁଟି ମାଗିଲେ | ମାଲିକ ବଡ଼ କଷ୍ଟରେ ଛୁଟି ଦେବାକୁ ରାଜି ହେଲେ | ତାଙ୍କ ସର୍ତ୍ତ ଥିଲା ଚିଦାମ୍ବରମ୍ ଯିବା ପୂର୍ବରୁ ନନ୍ଦନାରଙ୍କୁ ଜମିରେ ଅଳ୍ପ ସମୟ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ଶସ୍ୟ ଉପୁଯାଇ ଖଳାରେ ଜମା କରିବାକୁ ପଡିବ | ଏଥିରେ ନନ୍ଦନାର ରାଜି ହୋଇ ଯାଇଥିଲେ | ଭଗବାନଙ୍କ ନାଁ ନେଇ ସେ କାମଟି ଠିକ ସମୟରେ ସମ୍ପନ୍ନ କରିବାକୁ ସମର୍ଥ ହୋଇଥିଲେ ଓ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିଲେ |

ଶେଷରେ ନନ୍ଦନାର ଚିଦାମ୍ବରମ୍ ପହଁଚି ଥିଲେ | ସେ ଦଳିତ ହୋଇଥିବାରୁ ମନ୍ଦିରରେ ପ୍ରବେଶ କରିବାକୁ ସାହସ କରି ପାରି ନଥିଲେ | ସେତେବେଳେ ମନ୍ଦିରରେ ଯଜ୍ଞ ଚାଲିଥିଲା ଓ ବେଦ ପାଠ ଚାଲିଥିଲା | ମନ୍ଦିର ଭିତରୁ ଯଜ୍ଞ ଧୂଆଁ ବାହାରି  ଚାରି ଆଡ଼କୁ ମହକିତ କରୁଥିଲା ଓ ବେଦ ଧ୍ୱନୀ କାନକୁ ପବିତ୍ର  କରି ଦେଉଥିଲା | ସେ ଶିବଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରୂପାୟ ହୋଇ ମନ୍ଦିର ଚାରିପାଖରେ ବାରମ୍ବାର ପରିକ୍ରମା କରି ଚାଲିଥିଲେ | ଶେଷରେ ହାଲିଆ ହୋଇ ମନ୍ଦିର ପ୍ରାଙ୍ଗଣରେ ଶୋଇ ପଡି ଥିଲେ | ସ୍ୱପ୍ନରେ ତାଙ୍କୁ ଶିବ ଦର୍ଶନ ଦେଇଥିଲେ ଓ ପବିତ୍ର ଅଗ୍ନି ଭିତର ଦେଇ ମନ୍ଦିରରେ ପ୍ରବେଶ କରିବାକୁ ଆଦେଶ ଦେଇଥିଲେ | ତା ସହିତ ଶିବ ମନ୍ଦିରର ପୂଜାରୀମାନଙ୍କୁ ମଧ୍ୟ ମନ୍ଦିର ଭିତରେ ଚିତାଗ୍ନି ଜଳାଇବାକୁ ଆଦେଶ ଦେଇଥିଲେ |

ସକାଳୁ ଉଠି ସେ ଆଗ ମନ୍ଦିରରେ ପହଁଚି ଥିଲେ | ମନ୍ଦିରରେ ଚିତାଗ୍ନି ପ୍ରସ୍ତୁତ ହୋଇ ସାରିଥିଲା | ପୂଜାରୀମାନେ ଅପେକ୍ଷା କରି ରହିଥିଲେ | ନନ୍ଦନାରଙ୍କୁ ସେହି ମୁହୂର୍ତ୍ତରେ ସେଇଠି ଦେଖି ସେମାନେ ଜାଣି ପାରିଥିଲେ ଯେ ଏହା ତାଙ୍କ ପାଇଁ ଉଦ୍ଦିଷ୍ଟ | ସେ ବିଳମ୍ବ ନ କରି ଶିବଙ୍କ ନାମ ଉଚ୍ଚାରଣ କରି ତା ଭିତରକୁ ପ୍ରବେଶ କରିଥିଲେ ଓ ବାହାରି ଆସିଥିଲେ |

ସେ ଆଉ ପୂର୍ବଭଳି ନଥିଲେ | ତାଙ୍କର କାୟା ପରିବର୍ତ୍ତନ ହୋଇ ଯାଇଥିଲା | ସେ ଜଣେ ଅତି ଶୁଦ୍ଧପୂତ ବ୍ରାହ୍ମଣ ସନ୍ଥଙ୍କ ଭଳି ଦେଖାଯାଉଥିଲେ | ମୁଣ୍ଡର ଜଟା ଥିଲା | କାନ୍ଧରେ ଉପବୀତ ଥିଲା | ତାଙ୍କ ଶରୀରରେ ଏକ ଅପୂର୍ବ ଆଭା ଦେଖା ଯାଉଥିଲା | ସେତେବେଳେ ତାଙ୍କ ଉପରେ ସ୍ୱର୍ଗରୁ ପୁଷ୍ପବର୍ଷା ହୋଇଥିଲା | ସମସ୍ତେ ଏହି ଅପୂର୍ବ ଦୃଶ୍ୟ ଦେଖି ଆନନ୍ଦରେ ବିହ୍ଵଳିତ ହୋଇ ଉଠିଥିଲେ | ମନ୍ଦିରର ବ୍ରାହ୍ମଣ ପୂଜାରୀମାନେ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ | ନନ୍ଦନାର ନଟରାଜଙ୍କୁ ଦର୍ଶନ କରି ଭାବ ବିହ୍ଵଳିତ ହୋଇ ଉଠିଥିଲେ | ସେ ସେଇଠି ହିଁ ଦେହ ତ୍ୟାଗ କରି ଶିବଲିଙ୍ଗରେ ଆଲୋକ ରୂପରେ ଲୀନ ହୋଇ ଯାଇଥିଲେ |

ଶିକ୍ଷା : ଭାବ ଓ ଭକ୍ତି ଭଗବାନଙ୍କ ପ୍ରିୟ | ଶାସ୍ତ୍ର ଜ୍ଞାନ ଓ ବାହ୍ୟ ଆଡମ୍ବରରେ ଭଗବାନ ମିଳନ୍ତି ନାହିଁ | ଭଗବାନଙ୍କ ପାଖରେ ଜାତି ଭେଦ,ଲିଙ୍ଗ ଭେଦ ବା ବିଭିନ୍ନ ମତ ଭେଦ ମାଇନେ ରଖେ ନାହିଁ | ବାସ୍ତବରେ ତାଙ୍କ ପାଖରେ କୌଣସି ଭେଦଭାବ ନଥାଏ | ସେ ସମସ୍ତଙ୍କୁ ଏକାଭଳି ଭଲ ପାଇଥାନ୍ତି | ତେଣୁ ଆମେ ମଧ୍ୟ ଭେଦଭାବ ଭୁଲି ଯାଇ ସମସ୍ତଙ୍କୁ ଭଲ ପାଇବା ଓ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିବା |

https://saibalsanskaar.wordpress.com