ଜିଭ ଓ କାନ ଭିତରେ ଯୁଦ୍ଧ 

The Great Battle 

ଗୁଣ – ସଦାଚରଣ 

ଉପଗୁଣ – ଚୁଗୁଲି କରିବା ଓ ବଦନାମ କରିବାଠୁ ଦୂରରେ ରହିବା 

କୌଣସି ଏକ ସମୟରେ ଗୋଟିଏ ଦୁଷ୍ଟ ଯାଦୁଗର ରହୁଥିଲା | ଦିନେ ରାତିରେ ସେ ଗୋଟିଏ ସହରରେ ପହଁଚିଲା ଓ ସେଇଠୁ ଶୋଇଥିବା ହଜାର ହଜାର ଲୋକଙ୍କ ଜିଭକୁ ଚୋରାଇନେଲା | ସେଇ ଜିଭଗୁଡିକ ଉପରେ ସେ ଯାଦୁ କଲା | ଯାହାଫଳରେ ଜିଭ କେବଳ ନିନ୍ଦା କରିବା,ସମାଲୋଚନା କରିବା,ଅପବାଦ ପ୍ରଚାର କରିବା,ପରସ୍ପରର ବଦନାମ କରିବା ଆଦି ଖରାପ ଗୁଣ ଶିଖିଗଲା | ତାପରେ ସେ ଜିଭଗୁଡିକ ଯେଉଁମାନଙ୍କଠୁ ନେଇଥିଲା,ସେମାନଙ୍କୁ ଫେରାଇ ଦେଲା | ଏତେ ବଡ଼ ଘଟଣା ଘଟିଗଲା ଅଥଚ କାହା ମନରେ କିଛି ବି ସନ୍ଦେହ ହେଲା ନାହିଁ |

କିନ୍ତୁ ଅଳ୍ପ ଦିନ ଭିତରେ ସହରରେ ବିରାଟ ପରିବର୍ତ୍ତନ ଘଟିବାରେ ଲାଗିଲା | ସେଠାକାର ଲୋକମାନେ ପରସ୍ପର ବିଷୟରେ କେବଳ ଖରାପ କଥା କହିବାରେ ଲାଗିଲେ | ଫଳରେ ସହରର ଶାନ୍ତିଭଙ୍ଗ ହେଲା | ଅଶାନ୍ତି ଚାରିଆଡେ ଖେଳିଗଲା | ରାଗଦ୍ଵେଷ ବଢ଼ିବାରେ ଲାଗିଲା | ଏସବୁ ଦେଖି ଦୁଷ୍ଟ ଯାଦୁଗର ମନରେ ସନ୍ତୋଷ ଆସିଗଲା | ସେ ଭାରି ଖୁସି ହୋଇଗଲା | ଆଉ ଗୋଟିଏ ଭଲ ଯାଦୁଗର ଏସବୁ ବିଷୟରେ ନଜର ରଖିଥିଲା | ତାକୁ ଏସବୁ ଭଲ ଲାଗୁ ନଥିଲା | ତେଣୁ ସେ ନିଜ ଯାଦୁ ଶକ୍ତିର ପ୍ରୟୋଗ କରି ସହରର ସବୁ ଲୋକଙ୍କ କାନକୁ ବଶ କଲା | ଏହା ଦ୍ୱାରା କାନ ଯେତେବେଳେ ଲୋକମାନଙ୍କୁ ଖରାପ କଥା କହିବା ଶୁଣୁଥିଲା,ସେ ସାଙ୍ଗେ ସାଙ୍ଗେ ନିଜକୁ ବନ୍ଦ କରି ଦେଉଥିଲା | ତେଣୁ କାନକୁ ଆଉ ଖରାପ କଥା ଶୁଣା ଯାଉ ନଥିଲା |

ବର୍ତ୍ତମାନ ସହରରେ କାନ ଆଉ ଜିଭ ଭିତରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା | ଜିଭ ଜୋରସୋରରେ କଦର୍ଯ୍ୟ କଥା କହି ଚାଲୁଥିଲା ବେଳେ କାନ ନିଜକୁ ବନ୍ଦ କରି ଏହାକୁ ଅବରୁଦ୍ଧ କରି ଦେଉଥିଲା | ବହୁତ ଦିନ ପର୍ଯ୍ୟନ୍ତ ଏହା ଚାଲୁ ରହିଲା | କିନ୍ତୁ ଧୀରେ ଧୀରେ ସମୟ ସହ ପରିସ୍ଥିତି ବଦଳିବାକୁ ଲାଗିଲା | ଜିଭ ଫିକା ପଡ଼ିବାକୁ ଲାଗିଲା | କାରଣ ତା କଥା ଶୁଣିବାକୁ କେହି ନଥିଲେ | ଜିଭର ବୁଦ୍ଧି ହେଲା ସେ କଥା କହୁଥିବ ଓ ଅନ୍ୟମାନେ ତା କଥା ଶୁଣୁଥିବେ  | ଏଥିରେ ତାକୁ ଭାରି ମଜା ଲାଗେ ଓ ସେ ସନ୍ତୁଷ୍ଟ ହୋଇଯାଏ | ସେ ଏଥରକ ନିଜକୁ ବଦଳାଇବାକୁ ସ୍ଥିର କଲା | ତେଣୁ ସେ ଖରାପ କଥା କହିବା ବନ୍ଦ କରି ଭଲ କଥା କହିବା ଆରମ୍ଭ କଲା | ଲୋକମାନେ ମଧ୍ୟ ପୂର୍ବ କଥା ଭୁଲି ତା କଥା ଶୁଣିବାରେ ଲାଗିଲେ | କାନ ପାଖରେ ନିଜକୁ ବନ୍ଦ କରିବାର ଆବଶ୍ୟକତା ରହିଲା ନାହିଁ | ଯାଦୁ କାମ କରିବା ବନ୍ଦ କରିଦେଲା  |

କିନ୍ତୁ ଏବେ ବି ଦୁଷ୍ଟ ଯାଦୁଗରକୁ ସୁଯୋଗ ମିଳିଲା କ୍ଷଣି ସେ ତାର ଯାଦୁ କରିବାକୁ ଭୁଲେ ନାହିଁ | କିନ୍ତୁ ଭଲ ଯାଦୁଗର ଠିକ ସମୟରେ ତାର ଯାଦୁ ପ୍ରୟୋଗ କରିଏହାକୁ  ନିଷ୍ଫଳ କରିଦିଏ | ଲୋକମାନେ ମଧ୍ୟ ଧୀରେ ଧୀରେ ବୁଝିବାରେ ଲାଗିଲେ ଯେ ଖରାପ କଥା ଶୁଣିବା ବନ୍ଦ କରିବାକୁ ପଡ଼ିବ |

ଶିକ୍ଷା – ସବୁବେଳେ ଭଲ କଥା କୁହ ଓ ଭଲ କଥା ଶୁଣ |

ଆମ ଆଖପାଖ ଲୋକ ସବୁବେଳେ ଭଲ କହିବେ ଓ ଚୁଗୁଲି କରିବେ ନାହିଁ,ଏ କଥା ଆଶା କରିବା ମୂର୍ଖାମୀ ଛଡ଼ା ଆଉ କିଛି ନୁହେଁ | କିନ୍ତୁ ଏଭଳି ପରିସ୍ଥିତିରେ ପ୍ରକୃତରେ ଆମକୁ କଣ ଶୁଣିବା ଦରକାର,ତାହା ଆମକୁ ଚୟନ କରିବାକୁ ପଡ଼ିବ ଓ ତା ସହିତ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ | ଏହି ଶିକ୍ଷାକୁ ଆମ ଜୀବନରେ ବାସ୍ତବରେ ପ୍ରୟୋଗ କରିବାକୁ ପଡ଼ିବ |

https://saibalsanskaar.wordpress.com