ତ୍ରି ସ୍ତରୀୟ ଯାଞ୍ଚ ( Triple Filter Test )

ଗୁଣ – ସାଧୁତା
ଉପ ଗୁଣ – ସଚ୍ଚୋଟତା ,ଉତ୍ତମ କାର୍ଯ୍ୟ କରିବା

IMG_1473

ମହାନ ଦାର୍ଶନିକ ସକ୍ରେଟିସଙ୍କୁ କିଏ ନ ଜଣେ !
ମହାଜ୍ଞାନୀ ବୋଲି ସିଏ ବିଶ୍ଵ ପ୍ରସିଦ୍ଧ |
ଦିନେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ |
ଏମିତି କଥାବାର୍ତ୍ତା ହେଉ ହେଉ ସାଙ୍ଗ ଜଣକ ତାଙ୍କୁ କହିଲେ ,” ମୁଁ ତୁମର ଜଣେ ପୁରୁଣା ସାଙ୍ଗ ବିଷୟରେ ବହୁତ କିଛି ଶୁଣିବାକୁ ପାଇଲି !”
ସକ୍ରେଟିସ ସାଙ୍ଗେ ସାଙ୍ଗେ ତାଙ୍କୁ ଚୁପ କରାଇ ଦେଲେ ଓ ପଚାରିଲେ, “କିଛି ଶୁଣିବା ପୂର୍ବରୁ ମୁଁ ତୁମକୁ ତିନୋଟି ପ୍ରଶ୍ନ ପଚାରିବି | ଯଦି ତୁମର ଉତ୍ତର ମୋତେ ସନ୍ତୋଷଜନକ ଲାଗିଲା , ତାହେଲେ ତୁମ କଥା ଶୁଣିବି | ”
ଏକଥା ଶୁଣି ତାଙ୍କ ସାଙ୍ଗ ଆଶ୍ଚର୍ଯ୍ୟାନ୍ଵିତ ହୋଇ କହିଲେ , “ଠିକ ଅଛି | ପଚାର | ମୁଁ ବି ଏହି ତିନୋଟି ପ୍ରଶ୍ନ ଶୁଣିବାକୁ ଚାହେଁ | ”

ସକ୍ରେଟିସ କହି ଚାଲିଲେ ,”ତୁମେ ମୋ ସାଙ୍ଗ ବିଷୟରେ ଯାହା କହିବାକୁ ଚାହଁ ,ତାକୁ ପ୍ରଥମେ ତିନୋଟି ସ୍ତରରେ ପରୀକ୍ଷା କରିବି | ଯଦି ତୁମେ ଏଥିରେ ଉତ୍ତୀର୍ଣ୍ଣ ହେଲ ,ତାହେଲେ ତୁମ କଥା ଶୁଣିବି |”

ବନ୍ଧୁ ଜଣକ ଟିକେ ଚିନ୍ତିତ ଦେଖାଗଲେ |
ସକ୍ରେଟିସ ହସି ହସି କହିଲେ,”ବ୍ୟସ୍ତ ହୁଅନି | ମୁଁ ତୁମକୁ ସମୟ ଦେଉଛି | ମୋତେ କିଛି କହିବା ପୂର୍ବରୁ ପ୍ରଥମେ ତୁମେ ଭାବ | ତା ଉପରେ ଚିନ୍ତା କର | ତାପରେ ମୋତେ କହିବ |”
ଏତିକି କହି ଟିକେ ଅପେକ୍ଷା କରି ସେ ପ୍ରଥମ ପ୍ରଶ୍ନଟି ପଚାରିଲେ , “ବନ୍ଧୁ ! ତୁମେ ଯାହା କହିବାକୁ ଚାହୁଁଚ ,ତାହାର ସତ୍ୟତା କେତେ ?”
ତାଙ୍କ ସାଙ୍ଗ ଟିକେ ଥତମତ ହୋଇଗଲେ ଓ କହିଲେ , “ମୁଁ ତ ଏ ବିଷୟରେ ଭାବିନି ! ଯାହା ଶୁଣିଲି ,ତାହା କହି ଦେବି ବୋଲି ଭାବିଲି |”
ସକ୍ରେଟିସ କହିଲେ ,”ଠିକ ଅଛି | ଏବେ ଦ୍ଵିତୀୟ ପ୍ରଶ୍ନଟି ଶୁଣ |”
ପ୍ରଶ୍ନଟି ଥିଲା ,”କଣ ଏହା ମୋର ତଥାକଥିତ ସାଙ୍ଗ ବିଷୟରେ ଭଲ ସନ୍ଦେଶ ଦେବ ?
ତୁରନ୍ତ ତାଙ୍କ ସାଙ୍ଗ ଉତ୍ତର ଦେଲେ,”ବିଲକୁଲ ନୁହେଁ | ”
ସକ୍ରେଟିସ କହିଲେ,”ତାହେଲେ ଏହା ସତ୍ୟ ନୁହେଁ ଓ ଭଲ ମଧ୍ୟ ନୁହେଁ | ତେଣୁ ମୁଁ ବର୍ତ୍ତମାନ ତୁମକୁ ଶେଷ ତଥା ତୃତୀୟ ପ୍ରଶ୍ନଟି ପଚାରିବି |”
ଏଥର ସକ୍ରେଟିସ ଶେଷ ତଥା ତୃତୀୟ ପ୍ରଶ୍ନଟି ପଚାରିଲେ ,” ତୁମେ ଯାହା କହିବାକୁ ଚାହଁ ,ତାହା ମୋ ପାଇଁ କେତେ ଦରକାରୀ ବା ଉପଯୋଗୀ ?
ତାଙ୍କ ସାଙ୍ଗ ମୁହଁରୁ ଆଉ କଥା ବାହାରିଲା ନାହିଁ |
ସେ କେବଳ ମୁଣ୍ଡ ହଲାଇଲେ , ଯାହାର ଉତ୍ତର ଥିଲା ,”ନା ”
ସକ୍ରେଟିସଙ୍କୁ ଆଉ କିଛି କହିବାକୁ ପଡ଼ିଲାନି |
ତାଙ୍କ ସାଙ୍ଗ ଠିକ ବୁଝି ଯାଇଥିଲେ ଯେ ଯେଉଁ କଥା ସତ୍ୟ ଉପରେ ଆଧାରିତ ନୁହେଁ ଏବଂ ଅନ୍ୟର ଅଯଥା ନିନ୍ଦା କରେ ;ତା ବ୍ୟତୀତ ଅନ୍ୟର କୌଣସି କାମରେ ଆସେନି ,ସେପରି କଥାବାର୍ତ୍ତା କରିବା ଅନୁଚିତ|

ଶିକ୍ଷା : ସବୁବେଳେ ସତ କହିବା ଉଚିତ |
ଆବଶ୍ୟକ ଥିଲେ ହିଁ କଥା କହିବା ଉଚିତ |
ଅଯଥା ଗପସପ କରିବା ବା ଗୁଜବ ପ୍ରଚାର କରିବା ଅନୁଚିତ | କାରଣ ଏସବୁ ଆମର ସମୟ ଓ ଶକ୍ତିର ଅପଚୟ କରିଥାଏ | ନିରର୍ଥକ କାମରେ ଆମର ସମୟ ଓ ଶକ୍ତିକୁ ନଷ୍ଟ କରିବା ଠିକ ନୁହେଁ | ସବୁବେଳେ ତାତ୍ପର୍ଯ୍ୟପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରିବା ଉଚିତ |
http://www.inspirationpeak.com/cgi-bin/stories.cgi?record=150 http://saibalsanskaar.wordpress.com

Advertisements

ବଂଶୀର କାହାଣୀ ( Story About The Flute Of Krishna )

ଗୁଣ : ପ୍ରେମ
ଉପ ଗୁଣ : ସମର୍ପଣ ,ବିଶ୍ଵାସ

IMG_1472.JPG

କୃଷ୍ଣଙ୍କ ବଂଶୀ ଉପରେ ସୁନ୍ଦର କାହାଣୀଟିଏ ଅଛି |
ଆମେ ସମସ୍ତେ ଜାଣୁ ଯେ କୃଷ୍ଣ ସବୁବେଳେ ହାତରେ ବଂଶୀଟିଏ ଧରିଥାନ୍ତି |ଏହି ବଂଶୀର ଉତ୍ପତି କେମିତି ହେଲା ସେ ବିଷୟରେ ଟିକେ ଜାଣିବା |
ସବୁଦିନ କୃଷ୍ଣ ବଗିଚାକୁ ଯାଆନ୍ତି ଓ ପ୍ରତ୍ୟେକ ଗଛ ପାଖରେ ଟିକେ ସମୟ ପାଇଁ ଛିଡା ହୋଇ ରହନ୍ତି |ପ୍ରତ୍ୟେକ ଗଛକୁ ଆଦର କରନ୍ତି |ବଡ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ସେମାନଙ୍କୁ ଦେଖନ୍ତି |ତାଙ୍କର ଏହି ଆଦର ବଗିଚାର ପ୍ରତ୍ୟେକ ବୃକ୍ଷକୁ ଆନନ୍ଦରେ ଅଧୀର କରିଥାଏ |ସେମାନେ ମଧ୍ୟ ଆନନ୍ଦର ସହ ପବନର ସାହାରା ନେଇ କୃଷ୍ଣଙ୍କୁ ଛୁଇଁବାକୁ ଚେଷ୍ଟା କରିଥାନ୍ତି |ସବୁଦିନ ଏପରି ସ୍ନେହର ବିନିମୟ ହୋଇଥାଏ |

ଦିନେ କୃଷ୍ଣ ବଡ ତରବର ହୋଇ ବଗିଚାରେ ପହଁଚି ପ୍ରଥମେ ସେ ବାଉଁଶ ଗଛ ପାଖକୁ ଗଲେ |ବାଉଁଶ ଗଛ କୃଷ୍ଣଙ୍କୁ ଏମିତି ଅବସ୍ଥାରେ ଦେଖି ପଚାରିଲା ,”ହେ କୃଷ୍ଣ ! କଣ ହେଲା ? ବଡ ଅଧୀର ଲାଗୁଛନ୍ତି !”
କୃଷ୍ଣ କହିଲେ ,”ମୁଁ ତୋତେ କିଛି ମାଗିବାକୁ ଚାହେଁ |ତୁ ଦେଇ ପାରିବୁ କି ? ମନେ ରଖିଥା ,ଏଇଟା ଏତେ ସହଜ ନୁହେଁ |”
ବାଉଁଶ ଗଛ ଉତ୍ତରରେ କହିଲା,”ଯଦି ମୋର ଦେବାର ଶକ୍ତି ଥିବ, ନିଶ୍ଚୟ ଦେବି |”
କୃଷ୍ଣ କହିଲେ ,” ଜୀବନ ଦାନ କରି ପାରିବୁ ? ତୋତେ କାଟି ମୁଁ କିଛି ତିଆରି କରିବାକୁ ଯାଉଛି |”
ବାଉଁଶ ଗଛ ଟିକେ ସମୟ ପାଇଁ ଭାବିଲା ଓ କହିଲା ,” ଅନ୍ୟ କିଛି ଉପାୟ ଅଛି କି ? ମୋ ବଦଳରେ ଆଉ କୌଣସି ଗଛ କାମରେ ଆସି ପାରିବ କି ?”
କୃଷ୍ଣ ଉତ୍ତର ଦେଲେ,”ଅସମ୍ଭବ ! ”
ବାଉଁଶ ଗଛ ଏପରି ଉତ୍ତର ଶୁଣି ବିଳମ୍ବ ନକରି ସିଧା କହିଲା ,” ତୁମ ପାଦ ତଳେ ନିଜକୁ ସମର୍ପଣ କରୁଛି |”

କୃଷ୍ଣ ବାଉଁଶ ଗଛକୁ କାଟି ସେଥିରୁ ଗୋଟିଏ ଅଂଶ ବାହାର କରି ନେଲେ ଓ ସେଥିରେ କଣାଗୁଡିଏ ତିଆରି କଲେ |ବାଉଁଶ ଗଛକୁ ଓ ବାଉଁଶକୁ ଏହି ପ୍ରକ୍ରିୟାରେ ବହୁତ କଷ୍ଟ ହେଲା |କଷ୍ଟରେ ସେ କାନ୍ଦିବାକୁ ଲାଗିଲା |କିନ୍ତୁ ଏ ସବୁ ସହିଲା ପରେ ବାଉଁଶ ବାଉଁଶ ହେଇ ନଥିଲା | ତାର ପରିବର୍ତ୍ତନ ହୋଇଯାଇଥିଲା |ଏତେ ଘୋଷଡା ହେଲା ପରେ ତାର ପୂର୍ବ ରୂପ ଆଉ ନଥିଲା |ତାର ଚେହେରା ବଦଳି ଯାଇଥିଲା |ତାର କାମ ତଥା ସ୍ଵଭାଵ ମଧ୍ୟ ବଦଳି ଯାଇଥିଲା |ସେ ଗୋଟିଏ ଖୂବ ସୁନ୍ଦର ବଂଶୀ ରୂପରେ ନିଜକୁ ଦେଖିବାକୁ ପାଇଲା |

ଏହି ପ୍ରକ୍ରିୟାର ପରିଣତି ଏମିତି ହୋଇଥିଲା ଯେ ବଂଶୀ ରୂପରେ ସେ କୃଷ୍ଣଙ୍କ ପାଖରେ ଚବିଶ ଘଣ୍ଟା ରହି ପାରିଲା |

ଗୋପୀମାନଙ୍କୁ ଏକଥା ଜମା ଭଲ ଲାଗୁ ନଥିଲା |ସେମାନେ ବଂଶୀ ଉପରେ ଈର୍ଷାନ୍ଵିତ ହୋଇ ଉଠୁଥିଲେ |ସେମାନେ ତାକୁ କହୁଥିଲେ ,”ଦେଖେ,କୃଷ୍ଣ ଆମର ଅତି ପ୍ରିୟ ଭଗବାନ ହୋଇ ମଧ୍ୟ ଆମ ସହ ଅଳ୍ପ ସମୟ ବିତାଉଛନ୍ତି |କିନ୍ତୁ ଶୋଇଲାଠୁ ଉଠିବା ପର୍ଯ୍ୟନ୍ତ ସବୁବେଳେ ତୋତେ ପାଖରେ ରଖୁଛନ୍ତି | ଆମେ ଏହାର ରହସ୍ୟ ଜାଣିବାକୁ ଚାହୁଁ ,”କେମିତି ତୁ କୃଷ୍ଣଙ୍କର ଏତେ ପ୍ରିୟ ହୋଇ ଯାଇଛୁ ?”
ବଂଶୀ କହିଲା ,”ଏହାର ଗୋଟିଏ ମାତ୍ର କାରଣ ଅଛି |ମୋର ନିଜତ୍ଵ ବୋଲି କିଛି ନାହିଁ |ମୁଁ ନିଜକୁ ହଜାଇ ଦେଇଛି |କୃଷ୍ଣ ଯେତେବେଳେ ଯେମିତି ଚାହାନ୍ତି, ସେମିତି ଭାବରେ ମୋତେ ବ୍ୟବହାର କରନ୍ତି |ମୁଁ କେବେ ବି ପ୍ରତିବାଦ କରେ ନାହିଁ |”
ଏହାକୁ କହନ୍ତି ସମ୍ପୂର୍ଣ୍ଣ ଆତ୍ମ ନିବେଦନ |ଜଣେ ଯେତେବେଳେ ନିଜକୁ ଭଗବାନଙ୍କ ପାଦ ତଳେ ସମର୍ପଣ କରିଦିଏ, ସେ ଡରିବା ଛାଡି ଦିଏ |ଭଗବାନ ତାକୁ ଯେମିତି ଚାହାନ୍ତି ସେମିତି ରୂପେ ବ୍ୟବହାର କରିଥାନ୍ତି |ସେଥିରେ ତାର ନିଜର କିଛି ନଥାଏ |
ଏଠି ମନେ ରଖିବାକୁ ହେବ ଯେ ଆମେ ଭଗବାନଙ୍କ ପ୍ରତିବିମ୍ବ ଛଡ଼ା ଆଉ କିଛି ନୁହେଁ |ଆମେ ଆଉ ଭଗବାନ ଅଲଗା ନୁହଁ |ଆମେ ଏକ ଅଟୁ |

ଶିକ୍ଷା : ଆମ ପାଇଁ କଣ ଭଲ ଭଗବାନଙ୍କଠୁ ଅଧିକ କେହି ଜାଣନ୍ତି ନାହିଁ |ସେ ଆମ ପାଇଁ ସବୁବେଳେ ସବୁଠୁ ଉତ୍କୃଷ୍ଟ ଯୋଜନା କରିଥାନ୍ତି |ଆମେ ଆମ କାମ କରି ସାରି ତାଙ୍କ ଉପରେ ପରିଣାମ ଛାଡ଼ିଦେବା ଉଚିତ |ଆମର ଦୃଷ୍ଟି ସୀମିତ |ଜୀବନରେ ଆସୁଥିବା ସମସ୍ୟା ଆମକୁ ବ୍ୟତିବ୍ୟସ୍ତ କରିଦେଇଥାଏ |କିନ୍ତୁ ଆମେ ଭୁଲିଯାଉ ଯେ ଏଗୁଡିକ ଆମକୁ ଜୀବନ ପାଇଁ ଆବଶ୍ୟକ |ଏଗୁଡିକ ଆମକୁ ଅନେକ ଉଚିତ ଶିକ୍ଷା ଦେଇ ଯାଇଥାନ୍ତି |ଆମେ ଯେତେବେଳେ ସମ୍ପୂର୍ଣ୍ଣ ରୂପରେ ଭଗବାନଙ୍କ ନିକଟରେ ସମର୍ପଣ କରି ଦେଉ, ଭଗବାନ ଆମର ଯତ୍ନ ନେଇଥାନ୍ତି |
http://saibalsanskaar.wordpress.com

ମମତାମୟୀ ମାଆ (A Mother’s Love)

ଗୁଣ – ପ୍ରେମ
ଉପ ଗୁଣ – ତ୍ୟାଗ ,ନିଃସର୍ତ୍ତ ପ୍ରେମ

IMG_1471

ମୁନା ତା ମା’ ବିଷୟରେ ଭାବି ଚାଲିଥିଲା |
ମା’ର ଗୋଟିଏ ଆଖି ଥିଲା | ମୁନାକୁ ଏ କଥା ଜମା ଭଲ ଲାଗୁ ନଥିଲା | ସତ କହିବାକୁ ଗଲେ ଲୋକମାନେ ତା ମା’କୁ ଦେଖିଲେ ଡରି ଯାଉଥିଲେ |
ମୁନା ଚେଷ୍ଟା କରି ମଧ୍ୟ ମା’କୁ ଭଲ ପାଇ ପାରୁ ନଥିଲା |
ମା’ ବୋଲି ଦୁନିଆକୁ ଦେଖାଇବାକୁ ଲାଜ ଲାଗୁଥିଲା |
ମା’ ସ୍କୁଲର ପିଲାମାନଙ୍କ ପାଇଁ ଓ ଶିକ୍ଷକମାନଙ୍କ ପାଇଁ ରୋଷେଇ କରି ଘର ଚଳାଉଥିଲା |
ମୁନା ପ୍ରାଥମିକ ସ୍କୁଲରେ ପଢୁଥିଲା ବେଳେ ଦିନେ ମା’ ତାକୁ ସ୍କୁଲରେ ଦେଖା କରିବାକୁ ଆସିଥିଲା |
ତାକୁ ସେଠି ଦେଖି ମୁନା ଲାଜରେ ମରିଗଲା ଭଳି ଅନୁଭବ କରିଥିଲା | ମନେ ମନେ ମା’ ଉପରେ ବିରକ୍ତ ହୋଇଥିଲା | ତାକୁ ଦେଖି ରାଗରେ ଦୌଡ଼ି ଦୂରକୁ ପଳାଇଥିଲା | ତାକୁ ଦେଖି ମଧ୍ୟ ଅଣଦେଖା କରିଥିଲା |
ତାପର ଦିନ ସ୍କୁଲରେ ମୁନାର ସାଙ୍ଗମାନେ ମୁନା ଉପରେ ହସିଥିଲେ ଓ ଚିଡ଼ାଇଥିଲେ | ସେମାନେ ପରସ୍ପରକୁ କହିବାରେ ଲାଗିଥିଲେ ,”ଜାଣିଛ ,ମୁନା ମା’ର ଗୋଟିଏ ଆଖି !”
ସେଦିନ ସତରେ ମୁନାର ମନ ହେଇଥିଲା କେଉଁଠି ଯାଇ ଲୁଚି ଯିବାକୁ ଯେମିତି ତାକୁ ଆଉ କେହି ଦେଖି ପାରିବେନି କି ତା ଉପରେ ହସି ପାରିବେନି |
ମୁନା ଘରକୁ ଫେରିଲା ପରେ ମା ଉପରେ ବହୁତ ରାଗିଥିଲା | ତା ଉପରେ ପାଟି କରିଥିଲା |
ମା’କୁ ରାଗ ତମତମ ହୋଇ ପଚାରିଥିଲା ,” ମୋତେ ଅପମାନିତ କରିବା ପାଇଁ ସ୍କୁଲକୁ ଆସିବା ଦରକାର ଥିଲା ? ଏହାଠୁ ଭଲ ହୋଇଥାନ୍ତା କି ମୋର ମା ନଥା’ନ୍ତା !”
ଏତେ କଥା ଶୁଣିଲା ପରେ ମଧ୍ୟ ମୁନାର ମା କିଛି କହି ନଥିଲେ |
ମୁନା ମଧ୍ୟ ଭାବି ପାରି ନଥିଲା ଯେ ସେ ତାର ଜନ୍ମଦାତ୍ରୀ ମା’କୁ କଣ କହୁଛି ! ସେ କେବଳ ରାଗ ଅପମାନରେ ଜଳୁଥିଲା | ମା’କୁ କେମିତି ଲାଗୁଥିବ ସେକଥା ମୁନାର ମୁଣ୍ଡରେ ପଶୁ ନଥିଲା |
ମୁନା କେବଳ ସୁଯୋଗ ଖୋଜୁଥିଲା କେମିତି ସେ ତାର ଘର ଓ ମା’ଠୁ ନିସ୍ତାର ପାଇବ |
ସେ ମନ ଦେଇ ପାଠ ପଢିବାରେ ଲାଗିଲା | ସେ ଏମିତି ବି ଗୋଟିଏ ଭଲ ଛାତ୍ର ଥିଲା ଓ କଠିନ ପରିଶ୍ରମ କରୁଥିଲା | ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ତତ୍ପର ଥିଲା | କିଛି ଦିନ ପରେ ତାକୁ ବିଦେଶରେ ପାଠ ପଢିବା ପାଇଁ ନିମନ୍ତ୍ରଣ ଆସିଗଲା |

ଏମିତି ସମୟ ତା ପଥରେ ଗଡି ଚାଲିଲା | ସମୟରେ ସୁଅରେ ଯେ କେତେ ବର୍ଷ ବିତିଗଲା ମୁନା ମନେ ରଖି ପାରିନି |
ମୁନା ପାଠ ପଢ଼ିସାରିଲା ପରେ ବଢିଆ ଚାକିରୀ ପାଇଲା | ବାହା ହେଲା ଘରଦ୍ଵାର କିଣି ପିଲାଛୁଆ ଧରି ଆରାମ ଜୀବନ ବିତାଇବାରେ ଲାଗିଲା | ହଠାତ ଗୋଟେ ଦିନ ତାର ମା ସନ୍ଧ୍ୟା ସମୟରେ ତା ଘରେ ପହଁଚିଗଲା | ବହୁତ ଦିନ ବିତି ଯାଇଥିଲା | ତା ମା ତାକୁ ବା ତାର ପିଲାମାନଙ୍କୁ ଏତେ ଦିନ ହେଲା ଦେଖି ନଥିଲା | ଯେମିତି ଜେଜେମା’ଙ୍କୁ ପିଲାମାନେ ଦେଖିଲେ,ସେମାନେ ଅନ୍ୟମାନଙ୍କ ଭଳି ହସିବାରେ ଲାଗିଲେ ଓ ମଜା ଉଡ଼ାଇବାରେ ଲାଗିଲେ |
ମୁନା ମା ଉପରେ ରାଗି ଗଲା | ବିନା ସୂଚନା ଦେଇ ଏମିତି ହଠାତ ଘରେ ପହଁଚିବା ତାକୁ ପସନ୍ଦ ଆସି ନଥିଲା |
ମୁନା ରାଗ ସମ୍ଭାଳି ନପାରି ଚିତ୍କାର କଲା ,”ବାହାର ଏଠୁ ! ମୋ ଘରକୁ ତୋର ଆସିବା ଦରକାର ନାହିଁ | ତୋତେ ଦେଖିଲେ ମୋ ପିଲାଏ ଡରୁଛନ୍ତି ,ଶୀଘ୍ର ଏଠୁ ଯା |”
ଏତେ ପାଟି କଲା ପରେ ବି ମା କିଛି କହିଲାନି | ଚୁପ ରହିଲା | କେବଳ ଗଲା ବେଳେ ଏତିକି କହିଲା , “ମୁଁ ଭୁଲରେ ଆସି ଯାଇଥିଲି | କ୍ଷମା କରିଦେବୁ | ”
ଧୀରେ ଧୀରେ ତାର ଚେହେରା ଅନ୍ଧାର ଭିତରେ ଅପସରି ଗଲା | ଆଉ ସେ ଦେଖାଗଲାନି | ତାପରେ ଯାଇ ମୁନା ଶାନ୍ତ ହେଲା |
କିଛି ଦିନ ପରେ ମୁନାକୁ ତାର ପିଲା ଦିନର ସ୍କୁଲରେ ବନ୍ଧୁମିଳନ ପାଇଁ ଗୋଟିଏ ଚିଠି ଆସିଲା | ମୁନା ତା ସ୍ତ୍ରୀକୁ ନଜଣାଇ ସେଠିକୁ ଯିବାକୁ ମନସ୍ଥ କଲା | ବହୁତ ବର୍ଷ ପରେ ତାର ଜାଗାକୁ ଫେରିଲା | ବନ୍ଧୁ ମିଳନ ପରେ ତାକୁ କୌତୁହଳ ହେଲା ଜାଣିବା ପାଇଁ ଯେ ମା କଣ କରୁଛି !
ସେ ଘରକୁ ଲୁଚି ଲୁଚି ଗଲା | କିନ୍ତୁ ପଡୋଶୀମାନେ ତାକୁ ଦେଖିଦେଲେ | ସେମାନଙ୍କଠୁ ଜାଣିଲା ଯେ ତାର ମା ଏ ଦୁନିଆରେ ଆଉ ନାହିଁ ଆଉ ତା ମା ତା ପାଇଁ ଗୋଟେ ଚିଠି ଛାଡି ଯାଇଛନ୍ତି | ଏକଥା ଶୁଣି ମଧ୍ୟ ମୁନାର ଆଖିରୁ ଟୋପାଏ ଲୁହ ବି ଖସିଲା ନାହିଁ | ଚିଠିଟି ଧରି ଘରକୁ ଫେରି ଆସିଲା |
ସେଥିରେ ଲେଖା ହୋଇଥିଲା ,
ମୋର ଆଦରର ପୁଅ,
ମୁଁ ଦିନରାତି ତୋତେ ମନ ପକାଏ | ତୋ ଘରକୁ ଆସିବା ଓ ମୋତେ ଦେଖି ତୋ ପିଲାଙ୍କର ଡରିବା ଘଟଣା ପାଇଁ ମୁଁ ବହୁତ ଦୁଃଖିତ | ମୁଁ ଶୁଣିଲି ତୁ ବନ୍ଧୁ ମିଳନ ପାଇଁ ଏଠିକୁ ଆସୁଛୁ | କିନ୍ତୁ ମୋ ଦେହ ଏତେ ଖରାପ ଅଛି ଯେ ଲାଗୁନି ସେପର୍ଯ୍ୟନ୍ତ ମୁଁ ବଞ୍ଚିଥିବି !
ସବୁବେଳେ ମୋ ଯୋଗୁ ତୋତେ ଲଜ୍ଜ୍ୟାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ | ତେଣୁ ଯିବା ପୂର୍ବରୁ ମୁଁ ତତେ କିଛି କହିବାକୁ ଚାହେଁ | ତୁ ଛୋଟ ଥିଲୁ ସେଇ ସମୟରେ ଦୁର୍ଘଟଣାଟିଏ ଘଟିଥିଲା | ସେଥିରେ ତୋର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା | ମୁଁ ମା ହୋଇ ତୋର ଏ କଷ୍ଟ ସହି ପାରି ନଥିଲି | ମୋ ଅତି ଆଦରର ପୁଅକୁ ଗୋଟିଏ ଆଖି ସହ ଜୀବନ ବିତାଇବା କେମିତି ଦେଖି ପାରିଥାନ୍ତି ! ତେଣୁ ମୁଁ ମୋର ଗୋଟିଏ ଆଖି ତୋତେ ଦେଇ ଦେଇଥିଲି | ମୁଁ ସେଥିପାଇଁ ଏବେ ବି ଗର୍ବିତ ଅନୁଭବ କରୁଛି ଯେ ମୋ ବଦଳରେ ମୋ ପୁଅ ମୋ ଆଖିରେ ଏ ଦୁନିଆକୁ ଦେଖି ପାରୁଛି …… ଇତି
ତୋର ମା
ଶିକ୍ଷା :
ଆମେମାନେ ସବୁବେଳେ ଆମର ପିତାମାତାଙ୍କୁ ସମ୍ମାନ କରିବା ଉଚିତ | ସେମାନଙ୍କୁ ସ୍ନେହ ଆଦର ଦେବା ଦରକାର | ସେମାନେ ଆମ ପାଇଁ ଭଗବାନଙ୍କ ଆଶୀର୍ବାଦ ସ୍ଵରୂପ ଅଟନ୍ତି | ଭଗବାନ ସବୁ ସମୟରେ ଆମ ପାଖରେ ଉପସ୍ଥିତ ରହି ନ ପାରନ୍ତି ,ସେଥିପାଇଁ ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପତ୍ତି ‘ବାପାମା’ଙ୍କୁ’ଆମ ଜୀବନରେ ପଠାଇଥାନ୍ତି | ବାପାମା’ଙ୍କ ଭଳି ଏ ଦୁନିଆରେ ଆମକୁ କେହି ଅଧିକ ଭଲ ପାଇଁ ପାରିବ ନାହିଁ କି ତାଙ୍କ ଭଳି ଆମ ପାଇଁ କେହି ତ୍ୟାଗ କରି ପାରିବେନି |
ସେମାନେ ଯେତେବେଳେ ଏ ଦୁନିଆ ଛାଡି ଚାଲିଯା’ନ୍ତି ସେତେବେଳେ ଆମେ ତାଙ୍କର ମହତ୍ତ୍ଵ ବୁଝିଥାଉ | ନହେଲେ ଆମେମାନେ ଆମ ନିତିଦିନିଆ ଜୀବନରେ ବ୍ୟସ୍ତ ରହି ତାଙ୍କ କଥା ଭୁଲିଯାଉ |
ଚାଲ,ଏହି କାହାଣୀରୁ କିଛି ଶିଖିବା |
ଏହି କାହାଣୀଟି ଆମକୁ ହୃଦୟବୋଧ କରାଇ ଥାଏ କେମିତି ଆମ ବାପାମା ନିଜ କଥା ନ ଭାବି ପିଲାଙ୍କ ମଙ୍ଗଳ ପାଇଁ ସବୁ କିଛି ତ୍ୟାଗ କରିବାକୁ ତତ୍ପର ଥାଆନ୍ତି | ଆମେ ଏହି କଥା ହୃଦୟଙ୍ଗମ କରି ସେମାନଙ୍କୁ ମଧ୍ୟ ସେଭଳି ଭଲ ପାଇବକୁ ଚେଷ୍ଟା କରିବା ଓ ସେମାନେ କେମିତି ସବୁବେଳେ ଖୁସି ରହିବେ ସେ ବିଷୟରେ ସଜାଗ ରହିବା ଓ ଏଥିରେ ବିଳମ୍ବ କରିବା ନାହିଁ |
http://academictips.org/blogs/my-mom-only-had-one-eye/

http://saibalsanskaar.wordpress.com

ଭଲମନ୍ଦ ( Positives In Negatives )

ଗୁଣ – ସତ୍ୟ
ଉପ ଗୁଣ – ଆଶାବାଦୀ ରହିବା

IMG_1470

ସ୍ତ୍ରୀ ଲୋକ ଜଣକ ଡାଇନିଙ୍ଗ୍ ଟେବଲ୍ ପାଖରେ ବସି ତାଙ୍କର ବାକି ଥିବା କାମ ବିଷୟରେ ଚିନ୍ତା କରୁଥିଲେ ଓ ମନେ ମନେ ବିରକ୍ତ ହେଉଥିଲେ |
ସମୟ ପାଖ ହେଇ ଆସୁଛି | ବହୁତ ଶୀଘ୍ର ତାଙ୍କୁ ଏ ବର୍ଷର ଟ୍ୟାକ୍ସ ପେମେଣ୍ଟର ହିସାବ କରିବାକୁ ପଡିବ | ତା ସହ ଯେଉଁ ଘର କାମ ସବୁ ବାକି ଅଛି ,ସେସବୁ ଶୀଘ୍ର ଶୀଘ୍ର ଶେଷ କରିବାକୁ ପଡିବ |
ପୁଣି ଡିସେମ୍ବରରେ ‘ଥାଂକ୍ସ ଗିଭିଙ୍ଗ ‘ ଆସୁଛି ! ସେଥିପାଇଁ ପୁଣି ବହୁତ କିଛି ପ୍ରସ୍ତୁତ କରିବାକୁ ପଡିବ |
ଯଦିଓ ‘ଥାଂକ୍ସ ଗିଭିଙ୍ଗ୍ ଦିବସ’ ପାଖ ହୋଇ ଆସୁଥିଲା ,ତାଙ୍କୁ କାହାକୁ ବି ଧନ୍ୟବାଦ ଦେବାକୁ ମନ ହେଉ ନଥିଲା | ସେ ମନ ଭିତରେ ଜମା ଆନନ୍ଦ ଅନୁଭବ କରୁ ନଥିଲେ |
ଏତିକି ବେଳେ ତାଙ୍କ ନଜର ପଡିଲା ତାଙ୍କ ଝିଅ ଉପରେ |
ଝିଅ ଗୋଟିଏ ଖାତା ଧରି କଣ ସବୁ ଗାରଉଥିଲା | ସେ ବି ରାଗରେ କଡ଼ମଡ଼ ହେଉଥିଲା |
ତାକୁ ପଚାରିଲେ,”କଣ ହେଲା ? କଣ କରୁଛୁ ? ”
ଝିଅ କହିଲା ,”ଶିକ୍ଷକ ଘର ପାଇଁ ବହୁତ କାମ ଦେଇଛନ୍ତି |”

ସେ କହି ଚାଲିଲା ,” ଯଦିଓ ଲୋକମାନେ ‘ଥାଙ୍କସ୍ ଗିଭିଙ୍ଗ୍’ ଦିବସ ପାଇଁ ଅପେକ୍ଷା କରିଥାନ୍ତି , ତଥାପି ଏ ସମୟରେ ଘରେ ଘରେ ବହୁତ ଗଣ୍ଡଗୋଳ ହୋଇଥାଏ | ଏହାର କାରଣ ଖୋଜିବା ପାଇଁ ଶିକ୍ଷକ ଆମକୁ କହିଛନ୍ତି ଓ ତାରି ଉପରେ ଗୋଟିଏ ଛୋଟ ପାରା ଲେଖିବାକୁ ଦେଇଛନ୍ତି | ତା ସହିତ ଶିକ୍ଷକ କହିଛନ୍ତି ,ଯେଉଁ ଜିନିଷ ସବୁ ଆମକୁ ଖୁସି ଦିଏ ବା ଯାହା ପାଇଁ ଆମେ କୃତଜ୍ଞ ରହୁ ,ସେଗୁଡିକର ତାଲିକା ତିଆରି କରିବା ପାଇଁ  ଓ ଯେଉଁ ଜିନିଷ କରିବାକୁ ପ୍ରଥମେ ଭଲ ଲାଗେନି ,କିନ୍ତୁ ପରେ ତାର ପରିଣାମ ଭଲ ହୁଏ ,ସେପରି ଜିନିଷଗୁଡିକର ତାଲିକା ତିଆରି କରିବା ପାଇଁ  |”

ଝିଅଠୁ ଏକଥା ଶୁଣି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହେଲା | ସେ ଟିକେ ଝୁଙ୍କି ପଡି ଝିଅର ଖାତାକୁ ଚାହିଁଲେ |ଖାତାରେ ଝିଅ ଲେଖିଥିଲା :
ମୁଁ ବିଦ୍ୟାଳୟର ବାର୍ଷିକ ପରୀକ୍ଷାକୁ ଅଶେଷ ଧନ୍ୟବାଦ ଦେବାକୁ ଚାହେଁ କାରଣ ଏହା ମୋତେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାକୁ ସୁଯୋଗ ଦେଇଥାଏ |
ମୁଁ ପିତା ଲାଗୁଥିବା ଔଷଧଗୁଡ଼ିକୁ ଧନ୍ୟବାଦ ଦେବାକୁ ଚାହେଁ କାରଣ ଏଗୁଡିକ ମୋତେ ସୁସ୍ଥ ହେବାକୁ ସୁଯୋଗ ଦେଇଥାନ୍ତି |
ମୁଁ ଆଲାର୍ମ ଘଡିକୁ ଧନ୍ୟବାଦ ଦେବାକୁ ଚାହେଁ କାରଣ ଏହା ମୋତେ ସକାଳୁ ସକାଳୁ ଜଣାଇ ଦିଏ ଯେ ମୁଁ ଏବେ ମଧ୍ୟ ଜୀବିତ ଅଛି |

ଏସବୁ ପଢିଲା ପରେ ତାଙ୍କର ମନ ବଦଳିଗଲା | ସେ ଅନୁଭବ କଲେ ଏ ଜୀବନରେ ବହୁତ ଜିନିଷ ଅଛି ଯାହା ପାଇଁ ଆମେ କୃତଜ୍ଞ ରହିବା ଉଚିତ |

ଶିକ୍ଷା : ଆମେମାନେ ସାଧାରଣତଃ ଜୀବନରେ ଘଟୁଥିବା ନକାରାତ୍ମକ ଜିନିଷ ବିଷୟରେ ଅଭିଯୋଗ କରିଥାଉ ଏବଂ ଏହି ପ୍ରକାର ଜିନିଷର ମଧ୍ୟ ସକାରାତ୍ମକ ପ୍ରଭାବ ଥାଇପାରେ ,ତାହା ଭୁଲି ଯାଉ | ତେଣୁ ଚାଲ ,ଆଜିଠୁ ଆମେ ନକାରାତ୍ମକ ମଧ୍ୟରେ ସକାରାତ୍ମକ ଦିଗକୁ ଖୋଜିବା ଓ ଆମ ପାଖରେ ଯାହା ଅଛି ,ସେଥିପାଇଁ କୃତଜ୍ଞତା ପ୍ରକାଶ କରିବା |
http://saibalsanskaar.wordpress.com

ଗ୍ଲାସଟେ କ୍ଷୀରର ଚମତ୍କାରିତା ( A Glass Of Milk paid In Full )

ଗୁଣ – ସଦାଚରଣ
ଉପ ଗୁଣ – କୃତଜ୍ଞତା

IMG_1469

 

ଗରିବ ପିଲାଟିଏ ଘର ଘର ବୁଲି ଜିନିଷ ବିକି ଚଳୁଥିଲା | ସେଥିରୁ ଯାହା ମିଳୁଥିଲା ସେ ତାକୁ ପାଠ ପଢିବା ପାଇଁ ବିନିଯୋଗ କରୁଥିଲା | ସ୍କୁଲ ଯାଇ ପାରୁଥିଲା |
ଦିନେ ଦେଖିଲା ବେଳକୁ ପକେଟରେ ମାତ୍ର ଅଳ୍ପ ପଇସା ଅଛି | କଣ କରିବ ? ଭୋକରେ ଆଖିକୁ କିଛି ଦେଖା ଯାଉ ନଥିଲା | ସେ ସ୍ଥିର କଲା ଯେ ପାଖରେ ଥିବା କୌଣସି ଘରକୁ ଯାଇ ଖାଇବା ମାଗି ସେଦିନଟି ଚଳାଇଦେବ |
ଚାଲୁ ଚାଲୁ ଗୋଟିଏ ଘରେ ପହଁଚିଲା | କବାଟ ବାଡେଇବାରୁ ଜଣେ ସ୍ତ୍ରୀ ଲୋକ ଦୁଆର ଖୋଲିଲେ | ତାଙ୍କୁ ଦେଖି ପିଲାଟିକୁ ଆଉ ଖାଇବା ମାଗିବାକୁ ସାହସ ହେଲା ନାହିଁ | ସେ କେବଳ ପାଣି ଗ୍ଲାସଟିଏ ମାଗିଲା |
ସ୍ତ୍ରୀ ଲୋକଟି ଦୟାଳୁ ଥିଲେ | ପିଲାଟିକୁ ଦେଖି ତାଙ୍କୁ ଲାଗିଲା , ଏ ଭୋକରେ ଅଛି | ତେଣୁ ସେ ବଡ ଗ୍ଲାସରେ କ୍ଷୀର ଆଣି ତାକୁ ପିଇବାକୁ ଦେଲେ | ପିଲାଟି ଖୁସିରେ ଧୀରେ ଧୀରେ କ୍ଷୀର ପିଇବାରେ ଲାଗିଲା | ପିଇ ସାରିଲା ପରେ ସେ ପଚାରିଲା ,”ମା ! କେତେ ପଇସା ଦେବି ?”
ମହିଳା ଜଣକ ସ୍ନେହର ସହ କହିଲେ,”ନା ,ନା ,କିଛି ପଇସା ଦେବା ଦରକାର ନାହିଁ | କାହାକୁ ଟିକେ ସାହାଯ୍ୟ କରି ତା ବଦଳରେ ପଇସା ନେବା ଠିକ ନୁହେଁ | ମୋ ମା ସବୁବେଳେ ଏ କଥା ମୋତେ ଶିଖାଇଛନ୍ତି| ”
ଏକଥା ଶୁଣି ପିଲାଟି ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇ ଫେରି ଆସିଲା |
ଏ ଘଟଣାଟି ତାକୁ ବଡ଼ ଅନୁପ୍ରାଣିତ କରିଥିଲା | ତାର କ୍ଷୁଧା କେବଳ ମେଣ୍ଟି ନ ଥିଲା ; ତା ସହ ତାର ନୈତିକ ମନୋବଳ ମଧ୍ୟ ବଢିଥିଲା | ଭଗବାନଙ୍କ ଅସୀମ କରୁଣା ପ୍ରତି ସେ ସଚେତନ ହୋଇଥିଲା ତଥା ମଣିଷ ସମାଜ ପ୍ରତି ତାର ବିଶ୍ଵାସ ସୁଦୃଢ ହୋଇଥିଲା |

ସେ ପିଲାଟି ଆଉ କେହି ନୁହେଁ ସେ ହେଉଛନ୍ତି ବିଶ୍ଵ ପ୍ରସିଦ୍ଧ ଡାକ୍ତର ହାୱାର୍ଡ଼ କେଲୀ |

ଏମିତି ବହୁତ ବର୍ଷ ବିତିଗଲା | ସମୟ ସହ ଗତି କରୁ କରୁ ସ୍ତ୍ରୀ ଲୋକ ଜଣକ ବୃଦ୍ଧାବସ୍ଥାରେ ପହଁଚିଥିଲେ | ତାଙ୍କ ଦେହ ଭୀଷଣ ଖରାପ ହୋଇଯାଇଥିଲା | ସ୍ଥାନୀୟ ଡାକ୍ତରମାନେ କଣ କରିବେ ବୁଝି ପାରୁ ନଥିଲେ | ଶେଷରେ ତାଙ୍କୁ ନିକଟସ୍ଥ ବଡ ସହରର ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା | ସେଠି ସବୁ ବିଶେଷଜ୍ଞମାନେ ପରୀକ୍ଷା କରି ଘୋଷଣା କରିଥିଲେ ଯେ ତାଙ୍କର ଅବସ୍ଥା ସଙ୍କଟଜନକ |
ତାଙ୍କର ଅବସ୍ଥା ଦେଖି ସେଠାକାର ଡାକ୍ତରମାନେ ଆଉ ବିଳମ୍ବ ନକରି ହୱାର୍ଡ଼ କେଲୀଙ୍କୁ ଡକାଇ ପଠାଇଲେ | କେଲୀ ଯେତେବେଳେ ରୋଗୀ କେଉଁଠୁ ଆସିଛନ୍ତି ଜାଣିବାକୁ ପାଇଲେ,ପ୍ରଥମେ ସେ ଚମକି ପଡିଲେ | ତତକ୍ଷଣାତ ସେ ସବୁ କାମ ଛାଡି ହସ୍ପିଟାଲରେ ପହଁଚିଲେ ଓ ରୋଗିଣୀଙ୍କ ର ରୁମ୍ ନମ୍ବର ଖୋଜି ତାଙ୍କ ପାଖରେ ପହଁଚିଗଲେ |
ରୋଗିଣୀଙ୍କୁ ଦେଖୁ ଦେଖୁ ଚିହ୍ନିପାରିଲେ | ସେ ନିଜ ରୁମକୁ ଫେରି ମନରେ ସ୍ଥିର କଲେ ଯେ ଯେମିତି ହେଲେ ବି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବେ | ସେଦିନଠାରୁ ରୋଗିଣୀଙ୍କୁ ବିଶେଷ ଧ୍ୟାନ ଦେବାରେ ଲାଗିଲେ | ବହୁତ ଦିନ ଧରି ବୃଦ୍ଧା ଜଣକ ତାଙ୍କ ଚିକିତ୍ସାଧୀନ ରହିଲେ | ଶେଷରେ ଡାକ୍ତର କେଲୀ ଏହି ଜୀବନମରଣ ଯୁଦ୍ଧରେ ଜିତିଲେ |ବୃଦ୍ଧାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେବାରେ ଲାଗିଲା |

ଶେଷରେ ସେଇ ଦିନଟି ଆସିଗଲା ଯେବେ ରୋଗିଣୀ ଘରକୁ ଯିବା ପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲେ |ତାଙ୍କର ମେଡ଼ିକାଲ ବିଲ୍ ତିଆରି ହୋଇଗଲା | ଡାକ୍ତରଙ୍କୁ ପାଖକୁ ଫାଇନାଲ ସ୍ଵୀକୃତି ଓ ଦସ୍ତଖତ ପାଇଁ ପଠାଇ ଦିଆଗଲା |ଡାକ୍ତର କିଛି ସମୟ ପାଇଁ ତା ଆଡକୁ ଚାହିଁଲେ ଓ ତା ଉପରେ କିଛି ଲେଖି ସେହି ବିଲ୍ ଟି ବୃଦ୍ଧାଙ୍କ ପାଖକୁ ପଠାଇ ଦେଲେ |
ବିଲ୍ ଟି ଖୋଲି ଦେଖିବାକୁ ବୃଦ୍ଧଙ୍କୁ ବଡ ଡର ଲାଗୁଥିଲା | ସେ ମନେ ମନେ ଭାବୁଥିଲେ କେମିତି ଏତେ ବଡ ବିଲ୍ ର ପେମେଣ୍ଟ କରିବେ | ସେ ଜାଣିଥିଲେ ,ଏହା ତାଙ୍କ ଆର୍ଥିକ ଶକ୍ତିର ବାହାରେ | ତାଛଡା ତାଙ୍କ ସାରା ଜୀବନର ସଂଚୟ ମଧ୍ୟ ଏଥି ପାଇଁ ଯଥେଷ୍ଟ ହେବ ନାହିଁ !
ଏହି ସମୟରେ ହଠାତ ତାଙ୍କ ଆଖି ବିଲ୍ ଉପରେ ଥିବା ଲେଖା ଉପରେ ପଡିଲା | ସେଥିରେ ଲେଖା ହୋଇଥିଲା ,ଗୋଟିଏ ଗ୍ଲାସ କ୍ଷୀର ଦ୍ଵାରା ବିଲ୍ ର ପ୍ରାପ୍ୟ ମିଳି ସାରିଛି | ସେଥିରେ କେଲୀଙ୍କ ଦସ୍ତଖତ ଥିଲା | ବୃଦ୍ଧଙ୍କର ଆନନ୍ଦାଶ୍ରୁ ଦେଖିଲା ଭଳି ଥିଲା | ସେ ହୃଦୟର ସହ କେଲୀଙ୍କୁ ଧନ୍ୟବାଦ ଦେଲେ | ଭଗବାନଙ୍କୁ ପ୍ରାର୍ଥନା କରି କହିଲେ,”ହେ ଭଗବାନ ! ସମସ୍ତଙ୍କୁ ଏପରି ମହାନ ହୃଦୟ ଓ ଉଦାର ହାତ ଦିଅ | ତୁମର କରୁଣା ମଣିଷ ଭିତର ଦେଇ ଏମିତି ପ୍ରବାହିତ ହେଇ ସମସ୍ତଙ୍କ ପାଖରେ ପହଞ୍ଚୁ |”

ଶିକ୍ଷା : ଯେମିତି ବିହନ ବୁଣିବା ,ସେମିତି ଫସଲ ଅମଳ କରିବା |
ଆମେ କାହାକୁ ସାହାଯ୍ୟ କଲେ ,ଆଉ କିଏ ଆମକୁ ସାହାଯ୍ୟ କରିବ |
କେହି ଯଦି ଆମକୁ ସାହାଯ୍ୟ କରିଥାନ୍ତି ,ଆମେ ତାକୁ କଦାପି ଭୁଲିବା ନାହିଁ |
ମନରେ ପ୍ରତ୍ୟାଶା ରଖି କାହାକୁ ସାହାଯ୍ୟ କରିବା ଠିକ ନୁହେଁ |
ଚାଲ,ଯେତେପାର ସେତେ ଲୋକଙ୍କୁ ସାହାଯ୍ୟ କରିବା | ସେମାନଙ୍କ ଅଭାବଅସୁବିଧା ଦୂର କରିବାକୁ ଚେଷ୍ଟା କରିବା |
ସମସ୍ତଙ୍କୁ ଭଲ ପାଇବା ଓ ତା ଦ୍ଵାରା ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା |

http://saibalsanskaar.wordpress.com

କର୍ତ୍ତବ୍ୟଶୀଳ ଡାକ୍ତର ( The Dutyful Doctor )

ଗୁଣ – ସଦାଚାର
ଉପ ଗୁଣ – ବିଚାରଶୀଳ ହେବା ,ଅଯଥା ସମାଲୋଚନା ନ କରିବା

IMG_1468.JPG

ଡକ୍ଟରଜଣକ ତରବର ହୋଇ ହସ୍ପିଟାଲରେ ପଶିଲେ | ତାଙ୍କ ପାଇଁ ଗୋଟିଏ ଜରୁରୀ ଅପରେସନ ଅପେକ୍ଷା କରିଥିଲା | ହସ୍ପିଟାଲ୍ ରେ ପଶିବା କ୍ଷଣି ପ୍ରଥମେ ସେ ନିଜ ଡ୍ରେସ୍ ବଦଳାଇଲେ ଓ ସିଧା ଅପରେସନ ଥିଏଟର ଆଡକୁ ଚାଲିଲେ | ସେଠି ପହଁଚିଲା ବେଳକୁ ଯେଉଁ ପିଲାଟିର ଅପରେସନ ହେବ ତାର ବାପା ବ୍ୟାକୁଳତା ସହ ତାଙ୍କୁ ଅପେକ୍ଷା କରିଥିଲେ ଓ ଚିନ୍ତିତ ହୋଇ ଏପଟ ସେପଟ ହେଉଥିଲେ |
ଡାକ୍ତରଙ୍କୁ ଦେଖିବା ମାତ୍ରେ ସେ ଚିତ୍କାର କରି କହିବା ଆରମ୍ଭ କଲେ ,”ଏତେ ଡେରି କାହିଁକି ହେଲା ? ମୋ ପିଲାର ଜୀବନ ସଂକଟରେ ଅଛି | ତୁମର କିଛି ଦାୟିତ୍ଵବୋଧ ଅଛି କି ନାହିଁ ?”
ଡାକ୍ତର ହସିଲେ ଓ କହିଲେ ,”ମୁଁ ବଡ ଦୁଃଖିତ | ମୁଁ ହସ୍ପିଟାଲରେ ନଥିଲି | ବାହାରେ ଥିଲି | ଫୋନ ପାଇବା ମାତ୍ରେ ମୁଁ ଚାଲି ଆସିଲି | ଆପଣ ଟିକେ ଶାନ୍ତ ହୁଅନ୍ତୁ | ତାହେଲେ ମୁଁ ମୋର କାମ ଭଲ ଭାବରେ କରି ପାରିବି |
ପିଲାଟିର ବାପା କହି ଚାଲିଲେ ,”କଣ କହୁଛନ୍ତି ? ମୁଁ ଶାନ୍ତ ରହିବି ! ନିଜ ପିଲା ଏମିତି ଅବସ୍ଥାରେ ଥିଲେ ଆପଣ ଶାନ୍ତ ରହି ପାରିଥାନ୍ତେ କି ? “ତାଙ୍କର ରାଗ ବଢି ଚାଲିଥିଲା |
କିନ୍ତୁ ଡାକ୍ତର ଅବିଚଳିତ ଥିଲେ | ତାଙ୍କ ମୁଁହରେ ମୃଦୁ ହସଟିଏ ଲାଖି ରହିଥିଲା | ସେ କହିଲେ ,”ବାଇବେଲରେ ଯୀଶୁ କଣ କହିଛନ୍ତି ? ଆମେ ଧୂଳିରୁ ଆସିଛୁ,ଧୂଳିରେ ମିଶିବୁ | ମୁଁ ମଧ୍ୟ ଏଇଆ ହିଁ କହିବି | ଡାକ୍ତର ହେଲେ ମଧ୍ୟ ମୋର ଶକ୍ତି ଅସୀମ ନୁହେଁ ! ମୁଁ କାହାର ଜୀବନ କାଳ ବଢ଼ାଇ ପାରିବି ନାହିଁ | କିନ୍ତୁ ମୁଁ ମୋର କର୍ତ୍ତବ୍ୟ କରିବି |ଭଗବାନଙ୍କ କୃପାରୁ ତୁମ ପୁଅ ଶୀଘ୍ର ଠିକ ହୋଇଯିବ |”
ଏକଥା ଶୁଣି ପିଲାଟିର ବାପା ଗୁଣୁଗୁଣୁ ହୋଇ କହିଲେ ,”କହିବା ବଡ ସହଜ | ନିଜ ଉପରେ ପଡିଲେ ଜାଣିବ |”

ଅସ୍ତ୍ରୋପଚାର ବହୁତ ସମୟ ଧରି ଲାଗି ରହିଲା | କିଛି ଘଣ୍ଟା ପରେ ଡାକ୍ତର ଖୁସି ହୋଇ ଅପରେସନ ଥିଏଟରରୁ ବାହାରିଲେ | ବାହାରେ ପିଲାର ବାପା ଜଗି ବସିଥିଲେ | ତାଙ୍କୁ କହିଲେ ,”ଭଗବାନଙ୍କ କୃପାରୁ ତୁମ ପୁଅର ଜୀବନ ରହିଗଲା | ” ତାପରେ ତାଙ୍କ ଉତ୍ତରକୁ ଅପେକ୍ଷା ନକରି ସେ ନିଜ କାମରେ ବାହାରି ଗଲେ | ଯାଉ ଯାଉ କହିଗଲେ ,”ଆଉ କିଛି ଜାଣିବାକୁ ଥିଲେ ,ନର୍ସଙ୍କୁ ପଚାରି ବୁଝି ନେବେ |”

ପିଲାଟିର ବାପାଙ୍କୁ ଡାକ୍ତରଙ୍କ ଏପରି କଥାବାର୍ତ୍ତା ଜମା ପସନ୍ଦ ଆସୁନଥିଲା | ଡାକ୍ତର ସେଠୁ ଯିବା ମାତ୍ରେ ସେ ମନ୍ତବ୍ୟ ଦେଲେ ,”କେଜାଣି କାହିଁକି ଏ ଡାକ୍ତରଙ୍କ ଏତେ ବହପ ! ଟିକେ ଅପେକ୍ଷା କରି ପାରି ନଥାନ୍ତେ ! ଏତେ ତରବର ହୋଇ ବାହାରି ଯିବା କଣ ଦରକାର ! ମୁଁ ଟିକେ ପୁଅ ବିଷୟରେ ତାଙ୍କଠୁ ଭଲ ଭାବରେ ବୁଝାବୁଝି କରିବାକୁ ଚାହୁଁଥିଲି | ”
ଏକଥା ପାଖରେ ଛିଡା ହୋଇଥିବା ନର୍ସଙ୍କ କାନରେ ପଡିଲା | ସେ ଉତ୍ତର ଦେଲେ ,”କାଲି ଡାକ୍ତରଙ୍କ ପୁଅ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛି | ଆମେ ତାଙ୍କୁ ଡାକିବା ସମୟରେ ସେ ଶ୍ମଶାନରେ ଥିଲେ | କିନ୍ତୁ ଫୋନ ପାଇ ସେ ଏଠିକୁ ଦଉଡ଼ିକି ଆସିଛନ୍ତି | ତୁମ ପୁଅର ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରି ବର୍ତ୍ତମାନ ସେ ପୁଣିଥରେ ସେଠିକୁ ଫେରିକି ଗଲେ | ଏକଥା କହୁ କହୁ ନର୍ସଙ୍କ ଆଖିରୁ ଲୁହ ଟପ ଟପ କରି ଖସି ପଡିଲା |

ଶିକ୍ଷା : ଅନ୍ୟମାନେ କିପରି ଅବସ୍ଥାରେ ଅଛନ୍ତି ବା କିପରି ପରିସ୍ଥିତି ଦେଇ ଜୀବନ ଅତିବାହିତ କରୁଛନ୍ତି ନଜାଣି ସେମାନଙ୍କ ବିଷୟରେ ଆମେ ମନ ଭିତରେ ଏକ ଧାରଣା କରି ବସୁ | ଅନ୍ୟମାନଙ୍କ ବିଷୟରେ ପୁରା କଥା ନଜାଣି ସେମାନଙ୍କ ବିଷୟରେ ମନ୍ତବ୍ୟ ଦେଇଥାଉ | ଆମେ ଭୁଲିଯାଉ ଯେ ପ୍ରତ୍ୟେକ ମୁଦ୍ରାର ଦୁଇଟି ପାଖ ଅଛି | ଯଦି ଏକଥା ଧ୍ୟାନରେ ନରଖି ଆମେ ମନଇଚ୍ଛା କଥା ଅନ୍ୟମାନଙ୍କ ବିଷୟରେ କହୁ , ତାହେଲେ ଆମେ ସେମାନଙ୍କୁ ଦୁଃଖିତ କରିବା ସହ ନିଜର କ୍ଷତି କରୁ , ଯେଉଁଥି ପାଇଁ ପରେ ଆମକୁ ଅନୁତାପ କରିବାକୁ ପଡିଥାଏ |

http://saibalsanskaar.wordpress.com

ଏକାଗ୍ରତାର ମୂଲ୍ୟ ( The Missing Watch )

ଗୁଣ – ଶାନ୍ତି
ଉପ ଗୁଣ – ନୀରବତା ,ସ୍ଥିରତା

IMG_1466

କୃଷକଟିଏ ନିଜ ଚାଷ କାମ କରି ଖୁସିରେ ରହୁଥିଲା | ଦିନେ ସେ ଦେଖିଲା ତାର ହାତ ଘଣ୍ଟାଟି ମିଳୁ ନାହିଁ |ଚାରିଆଡ ଖୋଜାଖୋଜି କଲା | ଧାନଖଳା ମଧ୍ୟ ଦେଖିଲା | କିନ୍ତୁ କେଉଁଠି ବି ମିଳିଲା ନାହିଁ | ଘଣ୍ଟାଟି ଏମିତି କିଛି ଦାମିକା ନଥିଲା | ଏକଦମ ସାଧାରଣ ଘଣ୍ଟାଟିଏ ଥିଲା | କିନ୍ତୁ ତା ସହିତ ତାର ଏକ ନିବିଡ଼ ଭାବପୂର୍ଣ୍ଣ ସମ୍ପର୍କ ଥିଲା | ତେଣୁ ସେ ବଡ ଦୁଃଖିତ ହୋଇ ଉଠିଥିଲା |

ସେ ଧାନଖଳାକୁ ଭଲ ଭାବରେ ଖୋଜିଥିଲା | କିନ୍ତୁ ଘଣ୍ଟାଟି ମିଳି ନଥିଲା |

ସେ ମନରେ ଏକ ଉପାୟ ପାଞ୍ଚିଲା |
ତା କ୍ଷେତ ପାଖରେ ଦଳେ ପିଲା ଖେଳୁଥିଲେ | ସେମାନଙ୍କୁ ଡାକିଲା ଓ ଖୋଜିବାକୁ କହିଲା |

IMG_1467.JPG
ସେ ପିଲାଙ୍କୁ କହିଲା,”ଯଦି ତୁମେମାନେ ଘଣ୍ଟାଟି ଖୋଜି ବାହାର କରିଦେବ,ତାହେଲେ ମୁଁ ତୁମମାନଙ୍କୁ ଯଥେଷ୍ଟ ପୁରସ୍କାର ଦେବି |”
ଏକଥା ଶୁଣି ପିଲାମାନେ ଦୁଇଗୁଣା ଉତ୍ସାହିତ ହୋଇ ଘଣ୍ଟା ଖୋଜିବାରେ ଲାଗିଗଲେ | ଧାନଖଳାକୁ ଉପରତଳ କରିଦେଲେ | କିନ୍ତୁ ଘଣ୍ଟାଟି ମିଳିଲା ନାହିଁ | କୃଷକଟି ହତାଶ ହୋଇ ଖୋଜିବା ଅଭିଯାନକୁ ଛାଡିବାକୁ ବସିଥିଲା | ଏଇ ସମୟରେ ଗୋଟିଏ ଛୋଟିଆ ପିଲାଟିଏ ତା ପାଖକୁ ଆସି ତାକୁ ଆଉ ଗୋଟିଏ ଥର ଖୋଜିବାର ସୁଯୋଗ ଦେବାକୁ ଅନୁରୋଧ କଲା |
କୃଷକଟି ତା ଆଡକୁ କିଛି ସମୟ ପାଇଁ ଚାହିଁ ରହିଲା | ତାକୁ ପିଲାଟି ବଡ ସରଳ ଓ ନିଷ୍କପଟ ଲାଗିଲା | ସେ ଭାବିଲା, “ଆଉ ଗୋଟିଏ ଥର ଖୋଜିବାରେ ଅସୁବିଧା କଣ ଅଛି !”
“ଚାଲ,ଆଉଥରେ ଚେଷ୍ଟା କରି ଦେଖିବା |”
ତେଣୁ ସେ ପିଲାକୁ ଖୋଜିବା ପାଇଁ ନିଃସଂଶୟ ଭାବରେ ଅନୁମତି ଦେଇଦେଲା|

କୃଷକ ପିଲାଟିକୁ ଧାନଖଳା ପାଖକୁ ନେଇଗଲା |
କିଛି ସମୟ ପରେ ପିଲାଟି ଘଣ୍ଟାଟି ହାତରେ ଧରି ବାହାରକୁ ଆସିଲା | କୃଷକ ଆଶ୍ଚର୍ଯ୍ୟଚକିତ ହୋଇଗଲା | ସେ ପିଲାଟିକୁ ପଚାରିଲା ,”ଆରେ ! ସମସ୍ତେ ଖୋଜି ଖୋଜି ଥକି ଗଲେ , କାହାକୁ ମିଳିଲା ନାହିଁ ! ତୋତେ କେମିତି ମିଳିଗଲା ? ”
ପିଲାଟି କହିଲା,”କିଛି ନାହିଁ ! ମୁଁ ବାସ ଚୁପ୍ ଚାପ୍ ଧାନ ଖଳା ଭିତରେ ବସି ରହିଲି ଓ ଶୁଣିବାକୁ ଲାଗିଲି | ନିଃଶବ୍ଦତା ମଧ୍ୟରେ ମୋତେ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଶୁଣା ଗଲା | ମୁଁ ସେଇ ଆଡକୁ ଯାଇ ଘଣ୍ଟାଟି ଖୋଜିଲି ଓ ପାଇଗଲି |”

ଶିକ୍ଷା – ଏକ ଶାନ୍ତ ମନ ଅଶାନ୍ତ ମନ ଅପେକ୍ଷା ଭଲ ଭାବରେ ଚିନ୍ତନ କରିପାରେ | ପ୍ରତ୍ୟେକ ଦିନ ତୁମେ କିଛି ସମୟ ପାଇଁ ନୀରବତା ଅବଲମ୍ବନ କର | ଦେଖ,ମନ କେମିତି ଶାନ୍ତ ହେଇଯାଉଛି ଓ ତୁମର ଜୀବନର ଗତି ପଥକୁ କେତେ ସୁନ୍ଦର ଭାବରେ ବଦଳାଇ ଦେଉଛି !
ମନର ଶାନ୍ତି ଓ ସ୍ଥିରତା ମଣିଷକୁ ଏକାଗ୍ରତା ଦେଇଥାଏ |

http://saibalsanskaar.wordpress.com