ଆମରି ଭିତରେ ସ୍ୱର୍ଗ ଆଉ ନର୍କ ( Paradise Is In Our Mind )

ଗୁଣ – ସତ୍ୟ 

ଉପ ଗୁଣ – ଜାଗ୍ରତ ରହିବା 

A5FF2AC3-6C69-4402-A086-85C59C8DAF1F

ଜେନ ମାଷ୍ଟର ହାକୁଇନ୍ ତାଙ୍କର ବିଚକ୍ଷଣତା ପାଇଁ ପ୍ରସିଦ୍ଧ ଥିଲେ |

ଥରେ ଜଣେ ସାମୁରାଇ ତାଙ୍କୁ ପଚାରିଲେ, “ସ୍ୱର୍ଗ କେଉଁଠି ? ନର୍କ କେଉଁଠି ? ସ୍ୱର୍ଗ,ନର୍କର ଦ୍ୱାର କେଉଁଠୁ ଖୋଲେ ?”

ସାମୁରାଇ ଜଣକ କେବଳ ଦୁଇଟି କଥା ଜାଣିଥିଲେ | ତାହା ହେଉଛି ସ୍ୱର୍ଗ ଆଉ ନର୍କ | ଅନ୍ୟ କୌଣସି ଜୀବନ ସମ୍ବନ୍ଧିତ ଦାର୍ଶନିକ ତଥ୍ୟ ବିଷୟରେ ତାଙ୍କର ଜ୍ଞାନ ନଥିଲା | ତେଣୁ ନର୍କ ଦ୍ୱାର ଜାଣିଥିଲେ କେମିତି ନର୍କରୁ ଖସି ପଳାଇ ସ୍ୱର୍ଗ ଦ୍ୱାର ଦେଇ ସ୍ୱର୍ଗ ଭିତରେ ପଶି ପାରିବେ,ସେତିକି ସେ ଜାଣିବାକୁ ଚାହୁଁଥିଲେ |

ହାକୁଇନ୍ ତାଙ୍କୁ ପଚାରିଲେ,” ତୁମେ କିଏ ?”

123EC531-8BC7-4566-A36C-6D60AF92D9D7

ଯୋଦ୍ଧା ଜଣକ ଉତ୍ତର ଦେଲେ,” ମୁଁ ହେଉଛି ସାମୁରାଇ ଦଳର ନେତା | ସମ୍ରାଟ ମୋତେ ସମ୍ମାନ ଦିଅନ୍ତି | ମୋ ସାମନାରେ ସେ ନତ ମସ୍ତକ ହୁଅନ୍ତି |”

ହାକୁଇନ୍ ତାଙ୍କ ଉତ୍ତର ଶୁଣି ହସିବାରେ ଲାଗିଲେ ଓ କହିଲେ, “ ଆଚ୍ଛା ! ସତରେ ? କିନ୍ତୁ ତୁମେ ତ ଜମା ଜଣେ ସାମୁରାଇ ଭଳିଆ ଦେଖା ଯାଉନାହଁ ! ବରଂ ତୁମେ ଜଣେ ରାସ୍ତାକଡ଼ର ଭିକାରୀ ଭଳି ଲାଗୁଛ !”

ସାମୁରାଇଙ୍କୁ ଏକଥା ବଡ ବାଧିଗଲା |

ସେ କଣ ପାଇଁ ସେଠିକୁ ଆସିଥିଲେ,ଭୁଲିଗଲେ | ଖଣ୍ଡା ବାହାର କରି ହାକୁଇନଙ୍କୁ ମାରିବାକୁ ବସୁଥିଲେ,

ହାକୁଇନ୍ ତାଙ୍କୁ ରୋକି ଦେଲେ ଓ ହସି ହସି କହିଲେ,” ଏଇଟା ହେଉଛି ନର୍କର ଦ୍ୱାର | ରାଗ ବେଳେ ଖଣ୍ଡା ହାତରେ ଧରିଥିଲେ ଅହଂକାର ଏହି ଦ୍ଵାରକୁ ଖୋଲିବା ପାଇଁ ତୁମକୁ ସାହାଯ୍ୟ କରିଥାଏ |”

ତାଙ୍କ କଥା ଶୁଣି ସାମୁରାଇ ଶାନ୍ତ ପଡିଗଲେ | ଖଣ୍ଡାକୁ ଖୋଳ ଭିତରେ ରଖିଦେଲେ |

ସେତେବେଳେ ହାକୁଇନ୍ କହିଲେ,” ଏବେ ତୁମେ ସ୍ୱର୍ଗ ଯିବା ପାଇଁ ଦ୍ୱାର ଖୋଲିଦେଲ !”

ଶିକ୍ଷା : ଏହା ନିରାଟ ସତ୍ୟ ଅଟେ ଯେ ସ୍ୱର୍ଗ,ନର୍କ ଆମରି ଭିତରେ ଅଛି ଓ ଏମାନଙ୍କ ଦ୍ୱାର ଆମରି ଭିତରେ ଅଛି |ଆମେ ଅସାଵଧାନ ରହିଲେ ନର୍କର ଦ୍ୱାର ଖୋଲି ଯାଏ | ଯଦି ଆମେ ସତର୍କ ରହୁ ଓ ପ୍ରତ୍ୟେକ ପଦକ୍ଷେପ ଜଗିରଖି ନେଉ ,ତାହେଲେ ସ୍ୱର୍ଗର ଦ୍ୱାର ଖୋଲିଯାଏ | କିନ୍ତୁ ଲୋକମାନେ ବିଶ୍ୱାସ କରନ୍ତି ଯେ ସ୍ୱର୍ଗ,ନର୍କ ବାହାର ଦୁନିଆରେ କେଉଁଠି ଗୋଟାଏ ଥାଏ | ମୃତ୍ୟୁ ପରେ କୁଆଡ଼କୁ ଯିବା ସ୍ଥିର ହୋଇଥାଏ | କିନ୍ତୁ ପ୍ରକୃତରେ ଏହି ଜୀବନରେ ହିଁ ଆମକୁ ସ୍ୱର୍ଗ,ନର୍କର ଅଭିଜ୍ଞତା ମିଳିଥାଏ | ସେମାନଙ୍କର ଦ୍ୱାର ସବୁବେଳେ ଉନ୍ମୁକ୍ତ ଥାଏ | ଆମର ପ୍ରତ୍ୟେକ କାର୍ଯ୍ୟ ବା ନିଷ୍ପତ୍ତି ସେମାନଙ୍କ ଆଡକୁ ନେଇଥାଏ | ତେଣୁ ସତତ ଜାଗ୍ରତ ରହିଲେ ଆମେ କେଉଁଠିକୁ ଯିବା ଅର୍ଥାତ ଆମର ଗତି କୁଆଡ଼କୁ ହେବ,ସ୍ଥିର ହୋଇଥାଏ |

https://saibalsanskaar.wordpress.com

ବନ୍ଧନ ( The Elephant And The Rope )

ଗୁଣ – ସତ୍ୟ, ଆଶାବାଦୀ ରହିବା 

ଉପ ଗୁଣ – ନିଜର ଶକ୍ତି ସାମର୍ଥ୍ୟ ଉପରେ ଭରସା ରଖିବା,ସ୍ୱାଧୀନ ରହିବା

C778D37A-027C-4145-9D66-D7565F68E051.jpeg

ହାତୀପଲଟିଏ ରାସ୍ତା ଅତିକ୍ରମ କରୁଥିଲେ |

ଜନସାଧାରଣ ମଧ୍ୟ ସେହି ରାସ୍ତାରେ ଯିବାଆସିବା କରୁଥିଲେ |

ସେମାନଙ୍କ ମଧ୍ୟରୁ ଜଣଙ୍କ ଆଖି ସେହି ହାତୀପଲ ଉପରେ ପଡିଲା |

ସେମାନଙ୍କ ଗତିବିଧିକୁ ଦେଖି ଲୋକଟି ଆଶ୍ଚର୍ଯ୍ୟାନ୍ଵିତ ହେଲା |

ମନେ ମନେ ଭାବିଲା,”କି ଆଶ୍ଚର୍ଯ୍ୟର କଥା ! ଏତେ ବଡ ବଡ ଜନ୍ତୁ ଗୁଡିକର କେବଳ ଗୋଡ ଛୋଟ ଛୋଟ ଦଉଡ଼ିରେ ହାଲୁକା ଭାବରେ ବନ୍ଧା ଅଛି ! ନା ଶିକୁଳି ଅଛି ନା ପିଞ୍ଜରା ! ତଥାପି ସେମାନେ ଏକାଠି ଚୁପଚାପ ଚାଲିଛନ୍ତି,ସତେ ଯେମିତି କିଏ ସେମାନଙ୍କୁ ବଡ଼ କସି କରି ବାନ୍ଧି ରଖିଛି ! “

A7A1526B-A589-4C23-B7C1-F8B133029600.jpeg

ଏ କଥା ସ୍ପଷ୍ଟ ଥିଲା ଯେ ହାତୀମାନେ ଚାହିଁଲେ ଯେ କୌଣସି ସମୟରେ ସେଠୁ ମୁକୁଳି ବାହାରି ଯାଇ ପାରିବେ ! 

କିନ୍ତୁ କୌଣସି ଏକ କାରଣ ଯୋଗୁ ସେମାନେ ସ୍ୱାଧୀନ ହେବାକୁ ଚେଷ୍ଟା କରୁ ନଥିଲେ |

ପାଖରେ ମାହୁନ୍ତ ଛିଡା ହୋଇଥିଲା | ସେ ତାକୁ ଏହାର କାରଣ ପଚାରିଲା |

ମାହୁନ୍ତ କହିଲା,ଯେହେତୁ ପିଲାଦିନରୁ ସେମାନଙ୍କୁ ଦଉଡ଼ିରେ ବାନ୍ଧି ରଖାଯାଇଛି,ସେମାନଙ୍କର ସେହି ଅଭ୍ୟାସ ରହି ଯାଇଛି | ବଡ ହେଲା ପରେ ମଧ୍ୟ ସେମାନେ ଭାବୁଛନ୍ତି ଯେ ସେମାନେ ଏହି ବନ୍ଧନରୁ ମୁକ୍ତ ହୋଇ ପାରିବେ ନାହିଁ |

ଏ କଥା ଶୁଣି ଲୋକଟି କାବା ହୋଇଗଲା ଓ ଭାବିଲା,” ବଡ ଅଦ୍ଭୁତ କଥା ! ଯେ କୌଣସି ସମୟରେ ହାତୀ ଦଳଟି ନିଜକୁ ମୁକ୍ତ କରି କୁଆଡେ ବି ଯାଇ ପାରିବ ! ଅଥଚ ସେମାନେ ନିଜକୁ ବନ୍ଧନରେ ଅଛନ୍ତି ବୋଲି ବିଶ୍ୱାସ କରୁଥିବାରୁ ବନ୍ଦୀ ଭଳି ଏକାଠି ଚାଲୁଛନ୍ତି !”

ଶିକ୍ଷା : ହାତୀମାନଙ୍କ ଭଳି ବହୁତ ଲୋକ କେବେ କେମିତି  ବିଫଳତାର ସମ୍ମୁଖୀନ ହେଲେ,ସାରା ଜୀବନ ତାକୁ ଧରି ବସି ଯା’ନ୍ତି | ଆଗକୁ ବଢ଼ନ୍ତି ନାହିଁ | ବର୍ଷ ବର୍ଷ ଧରି ସେଇ ବିଫଳତାର କାହାଣୀକୁ କହି ହେଉଥାନ୍ତି |ଫଳରେ ଧୀରେ ଧୀରେ ସେମାନେ ନିଜ ଉପରୁ ବିଶ୍ୱାସ ହରାନ୍ତି  | ଜୀବନରେ କେବେ ଆଗକୁ ବଢି ପାରିବେ,ସେକଥା ସେମାନେ ଆଉ ଭାବି ପାରନ୍ତି ନାହିଁ | 

ଅପର ପକ୍ଷରେ ଆମେ ଯଦି ସେହି ବିଫଳତାକୁ ନିଜ ଜୀବନରେ ଉପରକୁ ଉଠିବା ପାଇଁ ପ୍ରଥମ ସୋପାନ ବୋଲି ଧରି ନେଉ ଓ ଜୀବନ ପଥରେ ଆଗେଇ ଚାଲୁ,ତାହେଲେ ଆମେ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ କରି ପାରିବା | 

ତେଣୁ ଆଶାବାଦୀ ରହିବା ଦରକାର | ସକାରାତ୍ମକ ଭାବନା ରଖିବା ଦରକାର | 

ଏ ଦୁନିଆ ବହୁତ ବଡ | ବହୁତ ସୁଯୋଗ ଜୀବନରେ ଆସିବ | ତେଣୁ ହାରି ନଯାଇ ଆଗକୁ ବଢି ଚାଲିବା ଦରକାର | ସେଥିପାଇଁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡିବ | ହୀନ ଭାବନାରୁ ଉପରକୁ ଉଠି ଜିତିବା ପଥରେ ପାଦ ଦେବାକୁ ପଡିବ |

http://inspirationalstorytellers.com/the-elephant-and-the-rope/

https://saibalsanskaar.wordpress.com

ତୃପ୍ତିରେ ଶାନ୍ତି ( The Oldman And His God )

ଗୁଣ – ସତ୍ୟ 

ଉପ ଗୁଣ – ସାଧୁତା , ସନ୍ତୋଷ 

କିଛି ବର୍ଷ ପୂର୍ବର ଘଟଣା | 

ସେଦିନ ମୁଁ ତାମିଲନାଡୁ ରାଜ୍ୟର ତାଞ୍ଜାଭୁର ଜିଲ୍ଲା ଗସ୍ତ କରୁଥିଲି |

ସଂଧ୍ୟା ହୋଇ ଆସୁଥାଏ | 

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ସେଠି ପ୍ରବଳ ବର୍ଷା ଚାଲିଥାଏ | ତା ସହିତ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ଚାଲିଥାଏ | 

EB00FFD1-BD2F-4C35-9102-54BD10DF0560

ମୋ ଡ୍ରାଇଭର ଗୋଟିଏ ଗାଁ’ରେ ପହଁଚି ଗାଡ଼ି ବନ୍ଦ କଲା ଓ କହିଲା ,”ଏ ବର୍ଷାରେ ଆଗକୁ ଯାଇ ହେବନି | ଗାଡ଼ିରେ ବସି ସମୟ ବିତେଇବା ଅପେକ୍ଷା ,ମାଡ଼ାମ,ଆପଣ ଏଇ ପାଖାପାଖି କେଉଁଠି ବିଶ୍ରାମ ନେବାର ବ୍ୟବସ୍ଥା କରି ନିଅନ୍ତୁ |”

ଅଜଣା ଅଶୁଣା ଜାଗାରେ ଅଟକି ଯାଇ ମୁଁ ଚିନ୍ତାଗ୍ରସ୍ତ ହେଇଯାଇଥିଲି | ତଥାପି ମୁଁ ସାହସ କରି ଛତା ଧରି ପ୍ରବଳ ବର୍ଷା ହେଉଥିବା ସତ୍ତ୍ୱେ ମୁଁ ସେଇ ଛୋଟ ଗାଁ ଭିତରକୁ ଚାଲିଲି | 

ଗାଆଁର ନା ମୋତେ ଏବେ ବି ମନେ ପଡୁ ନାହିଁ | ସେଠି ବିଜୁଳି ନଥିଲା | ଏମିତି ଅନ୍ଧାର ଆଉ ବର୍ଷା ଭିତରେ ଚାଲିବା କିଛି ସହଜ ନଥିଲା | କିଛି ବାଟ ଚାଲିଛି ଦୂରରୁ ମୋତେ ଗୋଟେ ମନ୍ଦିର ଦେଖାଗଲା | ମୋତେ ଲାଗିଲା ,ଏଇଟା ହିଁ ସବୁଠୁ ବଢିଆ ଜାଗା | ଏଇଠି ବସି ରାତିଟା କଟାଇ ଦେବି | ତେଣୁ ମୁଁ ସେଇ ଆଡକୁ ଚାଲିଲି | ଅଧା ରାସ୍ତା ହୋଇଛି ପୁଣିଥରେ ପ୍ରବଳ ବେଗରେ ବର୍ଷା ମାଡି ଆସିଲା | ଛତା ହାତରୁ ଖସି ଖଣ୍ଡେ ଦୂରରେ ପଡିଲା | ମୁଁ ପୂରା ଓଦା ହୋଇଗଲି | ମନ୍ଦିରରେ ପହଁଚିଲା ବେଳକୁ ମୁଁ ପୂରା ଓଦା ସର ସର | ମନ୍ଦିର ପାଖରେ ପହଁଚିଛି,ଭିତରୁ କାହାର ଡାକ ଶୁଣାଗଲା | କେହି ଜଣେ ବୟସ୍କ ବ୍ୟକ୍ତି ମୋତେ ମନ୍ଦିର ଭିତରକୁ ଆସିଯିବା ପାଇଁ ଡାକୁଥିଲେ | ମୁଁ ତାମିଲ ଭାଷା ବୁଝି ନ ପାରିଲେ ମଧ୍ୟ ତାଙ୍କ ସ୍ଵରରୁ ମୋ ପ୍ରତି ବ୍ୟସ୍ତତା ଅନୁଭବ କରି ପାରୁଥିଲି | ସମୟ ବିତିବା ସହ ମୋର ଅନୁଭୂତି ମଧ୍ୟ ଅଧିକ ହୋଇ ଚାଲିଥିଲା | ହୃଦୟର ଭାଷା ବୁଝିବାକୁ ଆଉ ସମୟ ଲାଗୁ ନଥିଲା |

F5170926-6FF6-4788-B239-81AFDA2AEBF0

ମନ୍ଦିରରେ ପହଁଚି ଦେଖିଲି ଜଣେ ଅଶୀ ବର୍ଷର ବୁଢା ଛିଡା ହୋଇଛନ୍ତି | ତାଙ୍କ ପାଖରେ ନ ହାତିଆ ଶାଢ଼ୀ ପିନ୍ଧି ଜଣେ ବୁଢ଼ୀ ଲୋକ ଛିଡା ହୋଇଛନ୍ତି | ସେ ବୁଢାଙ୍କୁ କିଛି କହିଲେ ଓ ହାତରେ ତଉଲିଆଟେ ଧରି ମୋ ପାଖକୁ ଆସିଲେ | ମୁଁ ସେଥିରେ ମୁହଁ ପୋଛୁ ପୋଛୁ ଜାଣି ପାରିଲି ଯେ ବୁଢାଙ୍କୁ କିଛି ଦେଖା ଯାଏ ନାହିଁ | ସେମାନଙ୍କ ରହୁଥିବା ଢ଼ଙ୍ଗରୁ ଜାଣି ପାରିଲି ଯେ ସେମାନେ ନିହାତି ଗରିବ ଲୋକ | 

ଏମିତିକି ଶିବ ମନ୍ଦିରଟି ଏତେ ବଡ଼ ନଥିଲା | ମନ୍ଦିର ଭିତରେ ଶିବ ଲିଙ୍ଗ ପାଖରେ ଛୋଟ ଦୀପଟିଏ ଜଳୁଥିଲା | ସେଥିରୁ ଯାହା ଆଲୁଅ ମିଳୁଥିଲା | କିନ୍ତୁ ସବୁଠୁ ବଡ କଥା ହେଉଛି ମନ୍ଦିର ଭିତରେ ବଡ ଶାନ୍ତି ଥିଲା | ସେଠି ପହଁଚି ଭଗବାନଙ୍କ ଉପସ୍ଥିତି ଓ ତାଙ୍କ ସହ ଅନ୍ତରଙ୍ଗତା ଆଗ ଅପେକ୍ଷା ଆହୁରି ଗାଢ଼ ଭାବରେ ଅନୁଭୂତ ହେଲା |

ମୁଁ ଅଧା ଖଣ୍ଡିଆ ତାମିଲରେ ବୃଦ୍ଧଙ୍କୁ ଶିବଙ୍କ ମଙ୍ଗଳ ଆରତୀ କରିବାକୁ କହିଲି | ସେ ଖୁସିର ସହ ଆରତୀ କଲେ | ମୁଁ ଶହେ ଟଙ୍କିଆ ନୋଟଟିଏ ଆରତୀ ଥାଳିରେ ରଖି ଦେଲି | ସେ ତାକୁ ଛୁଇଁ ଚମକି ପଡିଲେ ଓ ସାଙ୍ଗେ ସାଙ୍ଗେ ହାତ କାଢି ନେଲେ | ସେ କହିଲେ,” ମୁଁ ଜାଣି ପାରୁଛି,ଏଇଟା ଦଶ ଟଙ୍କିଆ ନୋଟ ନୁହଁ ! କାରଣ ଏଠି ଦଶ ଟଙ୍କାରୁ ଅଧିକ କେହି ଦିଅନ୍ତି ନାହିଁ | ମୁଁ ଜାଣିନି,ତୁମେ କିଏ ? କିନ୍ତୁ ଜାଣିଥାଅ, ଭଗବାନ ଭାବଭକ୍ତିକୁ ହିଁ ଦେଖନ୍ତି | ମୋ ପାଇଁ ତୁମେ,ଏଠାକୁ ଆସୁଥିବା ଅନେକ ଶିବ ଭକ୍ତମାନଙ୍କ ଭିତରୁ ଜଣେ ମାତ୍ର ! ଦୟା କରି ପଇସା ଫେରାଇ ନିଅ |”

67D77C5B-E0DF-4240-841B-62866AEC6EC5

ତାଙ୍କ କଥା ଶୁଣି ମୁଁ ଅବାକ୍ ହୋଇଗଲି | କଣ ଉତ୍ତର ଦେବି ବୁଝି ପାରିଲିନି | ମୁଁ କେବଳ ତାଙ୍କ ସ୍ତ୍ରୀଙ୍କ ଆଡକୁ ଚାହିଁ ରହିଲି | ହୁଏତ ସେ ମୋତେ ଏହି ପରିସ୍ଥିତିରୁ ଉଦ୍ଧାର କରି ପାରିବେ ଓ ବୃଦ୍ଧଙ୍କୁ ପଇସା ନେବା ପାଇଁ ମନାଇ ପାରିବେ ! କିନ୍ତୁ ସେ ମଧ୍ୟ ଅଟଳ ମହାମେରୁ ଭଳି ଚୁପଚାପ ଛିଡା ରହିଲେ | ସାଧାରଣତଃ ଘରେ ସ୍ତ୍ରୀମାନେ ହିଁ ବରକୁ ଲୋଭ କରିବା ଶିଖାଇ ଥାଏ | କିନ୍ତୁ ଏଠି ବିପରୀତ ଘଟଣା ଘଟୁଥିଲା | ସେ ସ୍ୱାମୀଙ୍କ କଥାକୁ ସମର୍ଥନ କଲେ ଓ ପଇସା ଫେରାଇ ନେବା ପାଇଁ ଅନୁରୋଧ କଲେ | 

ତେଣୁ ମୁଁ କିଂକର୍ତ୍ତବ୍ୟବିମୂଢ ହୋଇ ସେଠି ବସି ରହି ସେମାନଙ୍କ ସହ ଗପିବାରେ ଲାଗିଲି | ଗପଛଳରେ ପଚାରିଲି, ଗାଆଁରେ କିଏ ସେମାନଙ୍କ ଯତ୍ନ ନେଉଛି ; କେତେ ବର୍ଷ ହେଲା ସେଇଠି ରହି ଆସିଛନ୍ତି ଇତ୍ୟାଦି,ଇତ୍ୟାଦି …

ସେସମୟରେ ଆମର କମ୍ପାନୀରେ ନୂଆ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ବାହାରି ଥାଏ | ସେମାନଙ୍କର ଚିରା ଫଟା ଲୁଗାପଟାରୁ ଓ ସେମାନଙ୍କ ଜିଦ୍ଦି ଦେଖି ମୋତେ ଲାଗିଲା, ପ୍ରସ୍ତାବଟି ଦେବା ପାଇଁ ଏଇଟା ହିଁ ଠିକ ସମୟ |

ମୁଁ କହିଲି ,”ଦେଖନ୍ତୁ, ଆପଣ ଦୁହେଁ ପରିଣତ ବୟସରେ ପହଁଚିଲେଣି | ଆପଣମାନଙ୍କ ଦେଖାଚାହାଁ କରିବାକୁ କେହି  ନାହାନ୍ତି  | ଏ ବୟସରେ ଲୋକଙ୍କୁ ସଉଦାପତ୍ର ଅପେକ୍ଷା ଔଷଧର ଆବଶ୍ୟକତା ବେଶି | ତା ଛଡ଼ା ଏହି ଗାଆଁ ଟି ସହରଠୁ ଏତେ ଦୂରରେ ଅଛି | ତେଣୁ ଭାବୁଛି ମୁଁ ଆପଣଙ୍କୁ କିଛି ପଇସା ପଠାଇବି | ଆପଣ ପାଖ ପୋଷ୍ଟ ଅଫିସ ବା କୌଣସି ରାଷ୍ଟ୍ରୀୟକୃତ ବ୍ୟାଙ୍କରେ ଜମା କରିଦେବେ | ସେଥିରୁ ଯାହା ସୁଧ ଆସିବ,ସେଥିରେ ଆପଣ ଦୁହେଁ ମାସଟିଏ ଆରାମରେ ଚଳି ଯାଇ ପାରିବେ | ଯଦି କୌଣସି ମେଡ଼ିକାଲ ଇମରଜେନ୍ସି ହେଲା,ତାହେଲେ ଜମା ମୂଳଧନକୁ  ବାହାର କରିବେ |”

ମୋ କଥା ଶୁଣି ବୁଢାଙ୍କୁ ହସ ମାଡିଲା | ସେ କହିଲେ,”ତମେ ପିଲାଳିଆ କଥା କହୁଛ ! ଏ ବୟସରେ  ମୁଁ ପଇସା ନେଇ କଣ କରିବି ? “

“ତୁମେ ଜାଣିଛ ,ଶିବ ହେଉଛନ୍ତି ଏ ଦୁନିଆର ସବୁଠୁ ବଡ଼ ଡାକ୍ତର | ସେଥିପାଇଁ ତାଙ୍କୁ ବୈଦ୍ୟନାଥ କୁହାଯାଏ |

ଆମ ଗାଆଁର ଲୋକମାନେ ବହୁତ ଭଲ | ମୁଁ ସେମାନଙ୍କ ପାଇଁ ପୂଜା କରେ | ତା ବଦଳରେ ସେମାନେ ମୋତେ ଧାନଚାଉଳ ଆଦି ଯୋଗାଇ ଦିଅନ୍ତି | ଦେହ ଖରାପ ହେଲେ ଆମ ସ୍ଥାନୀୟ ଡାକ୍ତର ଚିକିତ୍ସା କରନ୍ତି | ଆମର ଆବଶ୍ୟକତା ବହୁତ କମ | ତେଣୁ ମୁଁ  କାହିଁକି ଅଜଣା ଲୋକଠୁ ପଇସା ନେବି ? ଯଦି ବ୍ୟାଙ୍କରେ ପଇସା ଅଛି ବୋଲି କିଏ ଜାଣିବ,ମୋତେ ହଇରାଣ କରିବା ପାଇଁ ଆସିପାରେ !”

“ମା ,ତୁମେ ଜଣେ ଭଲ ଲୋକ | ସେଥିପାଇଁ ଆମକୁ ପଇସା ଯାଚୁଛ | କିନ୍ତୁ ଆମେ ଦୁହେଁ ଠିକ ଅଛୁ | ଆମ ପାଖରେ ଯାହା ଅଛି,ସେଥିରେ ଆମେ ସନ୍ତୁଷ୍ଟ | ଆମକୁ ଆଉ କିଛି ଦରକାର ନାହିଁ |”

ଶିକ୍ଷା : ଭଗବାନଙ୍କ ଉପରେ ସମ୍ପୂର୍ଣ ରୂପେ ଭରସା ରଖିବା ଓ ସଦାସର୍ବଦା ସନ୍ତୁଷ୍ଟ ରହିବା ଦ୍ୱାରା ଆନନ୍ଦ ପ୍ରାପ୍ତି ହୋଇଥାଏ |

ଆମର କାମନାର ଅନ୍ତ ନାହିଁ | ଯେତେ ବେଶି ଆଶା,ସେତେ ଦୁଃଖ | କାରଣ ଏଇ ଜୀବନ କାଳରେ ଆମର ବହୁତ ଆଶା ପରିପୂର୍ଣ୍ଣ ହୋଇ ନଥାଏ |

ଯେଉଁ ଲୋକର କାମନା କମ ଓ ସନ୍ତୋଷ ବେଶି,ସେ ସବୁବେଳେ ସୁଖୀ ରହେ |

0FD65AD8-441D-4496-B693-700C355E35C3

Story by Sudha Murthy from ‘The old man and his God’

https://saibalsanskaar.wordpress.com

ଗାନ୍ଧିଜୀଙ୍କ ସଚ୍ଚୋଟତା ( Gandhiji’s Story On Honesty )

ଗୁଣ – ସତ୍ୟ 

ଉପ ଗୁଣ – ସାଧୁତା 

1BAB5F6F-AC95-47B2-B016-4B54EF761929

ପିଲାଦିନେ ମୋହନ ବଡ଼ ଲାଜକୁଳା ଥିଲେ |

ଯେମିତି ସ୍କୁଲ ଘଣ୍ଟି ବାଜୁଥିଲା,ସେ ବହିବସ୍ତାନୀ ଧରି ଘରକୁ ଦୌଡୁଥିଲେ | ଅନ୍ୟ ପିଲାମାନେ ରାସ୍ତାରେ ସାଙ୍ଗମାନଙ୍କ ସହ ଗପ କରି କରି ଆସନ୍ତି | ବେଳେ ବେଳେ କେଉଁଠି ଖାଇବା ଜିନିଷ ଦେଖିଲେ,ସେଇଠି ଅଟକି ଯାଆନ୍ତି | ନହେଲେ ଖେଳିବା ପାଇଁ ରହି ଯାଆନ୍ତି | କିନ୍ତୁ ମୋହନ ସେମିତି ନଥିଲେ | ଛୁଟି ହେଲା ମାନେ ଘରକୁ ସିଧା ଚାଲନ୍ତି | ତାଙ୍କୁ ସବୁବେଳେ ଡର  ଥିଲା କାଳେ ସାଙ୍ଗମାନେ ତାଙ୍କୁ ଅଟକାଇ ଇଆଡୁ ସିଆଡ଼ୁ କଥାବାର୍ତ୍ତା କରିବେ ଓ ତାଙ୍କର ମଜା ଉଡାଇବେ !

 

ଦିନେ ସ୍କୁଲ ଇନସ୍ପେକ୍ଟର ମିଷ୍ଟର ଗାଇଲସ୍ ମୋହନଙ୍କ ସ୍କୁଲ ପରିଦର୍ଶନରେ ଆସିଥିଲେ | ସେ ତାଙ୍କ ଶ୍ରେଣୀରେ ପିଲାମାନଙ୍କୁ ପାଂଚୋଟି ଇଂରାଜୀ ଶବ୍ଦ ଲେଖିବାକୁ ଦେଇଥିଲେ | ମୋହନ କେବଳ ଚାରୋଟି ଶବ୍ଦ ଠିକ ଲେଖି ପାରିଥିଲେ | ପଞ୍ଚମ ଶବ୍ଦଟି ‘kettle‘ ଥିଲା | ମୋହନଙ୍କୁ ଏହି ଶବ୍ଦଟିର ସ୍ପେଲିଙ୍ଗ୍ ଆସୁ ନଥିଲା | 

6C2766EA-83B9-4C52-A592-AC39F8D49A35293F51B7-32EC-49A0-8D0B-187FADF80EDF

 

ଶିକ୍ଷକଙ୍କ ନଜର ମୋହନଙ୍କ ଉପରେ ପଡିଲା | ସେ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ | ଇନସ୍ପେକ୍ଟରଙ୍କ ପଛରେ ଛିଡ଼ା ହୋଇ ଶିକ୍ଷକ ପାଖ ପିଲାଠୁ କପି କରି ସ୍ପେଲିଙ୍ଗ୍ ଲେଖିବାକୁ ଈଶାରା କରିଥିଲେ | କିନ୍ତୁ ମୋହନ ଏ କଥାକୁ ଧ୍ୟାନ ଦେଇ ନଥିଲେ | ଶିକ୍ଷକଙ୍କ ଈଶାରାକୁ ଉପେକ୍ଷା କରିଥିଲେ | ସେଦିନ ମୋହନଙ୍କୁ ଛାଡି ଆଉ ସବୁ ପିଲାମାନେ ଦିଆଯାଇଥିବା ପାଞ୍ଚୋଟି ଶବ୍ଦର ସ୍ପେଲିଙ୍ଗ୍ ଠିକ ଲେଖିଥିଲେ | ମୋହନ କେବଳ ଚାରୋଟି ଠିକ ଲେଖି ପାରିଥିଲେ |

 

ଇନ୍ସପେକ୍ଟର ଚାଲିଗଲା ପରେ ଶିକ୍ଷକ ମୋହନଙ୍କ ଉପରେ ବିରକ୍ତ ହୋଇଥିଲେ ଓ କପି ନ କରିଥିବାରୁ ଗାଳି ଦେଇଥିଲେ | ଶ୍ରେଣୀର ସବୁ ପିଲାମାନେ ତାଙ୍କ ଉପରେ ହସି ଥିଲେ | ମୋହନଙ୍କ ମଜା ଉଡାଇ ଥିଲେ |

ସେଦିନ ମୋହନ କାହାକୁ କିଛି ନ କହି ଚୁପଚାପ ଘରକୁ ଫେରିଥିଲେ |

AC5841C4-4A61-4C9D-95B5-79D09C5C75E2

ଏତେ କଥା ହେଲା ପରେ ବି ମୋହନ ଦୁଃଖୀ ହୋଇ ନଥିଲେ | କାରଣ ସେ ଜାଣିଥିଲେ ଯେ ସେ କିଛି ଭୁଲ କାମ କରି ନାହାନ୍ତି | କେବଳ ତାଙ୍କୁ ଏଇ କଥା ଦୁଃଖ ଦେଇଥିଲା ଯେ ତାଙ୍କ ଶିକ୍ଷକ ତାଙ୍କୁ କପି କରିବାକୁ ବାଧ୍ୟ କରୁଥିଲେ !

ଶିକ୍ଷା – ସାଧୁ ଆଚରଣ ସବୁଠୁ ଉତ୍ତମ | ଠକେଇବା ଓ ଅସାଧୁତା ଆମ ଜୀବନକୁ ଆଗେଇ ନେଇ ପାରିବନି କିମ୍ବା ସଫଳତା ଆଣି ପାରିବନି | ତେଣୁ ପିଲାଦିନରୁ ସତ କଥା କହିବା ଶିଖିବା ଦରକାର ଓ ସଚ୍ଚୋଟ ରହିବା ଆବଶ୍ୟକ | ଯେଉଁମାନେ ଏହି ନୀତି ଦ୍ୱାରା ପରିଚାଳିତ ହୁଅନ୍ତି ,ସେମାନଙ୍କ ଜୀବନ ସୁଖଶାନ୍ତିରେ କଟେ | 

http://www.mkgandhi-sarvodaya.org/story.htm

https://saibalsanskaar.wordpress.com

ସବୁଠୁ ସୁଖୀ କିଏ ? ( The Crow And The Peacock )

ଗୁଣ – ସତ୍ୟ 

ଉପ ଗୁଣ – ସନ୍ତୋଷ 

କୁଆଟିଏ ଜଙ୍ଗଲରେ ଖୁସି ମନରେ କାଳାତିପାତ କରୁଥିଲା |

B1269CD9-67F8-43CE-A42E-DFF8BB606A9F

ଯେତେବେଳ ପର୍ଯ୍ୟନ୍ତ ସେ ହଂସକୁ  ଦେଖି ନଥିଲା,ସେ ନିଜ ଜୀବନରେ ସନ୍ତୁଷ୍ଟ ଥିଲା |

ଦିନେ ହଂସକୁ ପୋଖରୀରେ ପହଁରୁଥିବାର ଦେଖିଲା |

79423B10-CDCA-4A97-A814-ECF34DAE28F0

ହଂସ ଶରୀରର ଶ୍ଵେତ ବର୍ଣ୍ଣକୁ ଦେଖି ସେ ସହି ପାରିଲା ନାହିଁ | ନିଜର କଳା ରଙ୍ଗ ତାକୁ ଖାଇ ଗୋଡ଼ାଇଲା | ସେ ଭାବିଲା,ହଂସ ନିଶ୍ଚୟ ଏ ଦୁନିଆରେ ସବୁଠୁ ସୁଖୀ ପକ୍ଷୀ ହୋଇଥିବ !

ସେ ହଂସ ପାଖକୁ ଯାଇ ନିଜ ଭାବନା ବ୍ୟକ୍ତ କଲା |

ହଂସ କହିଲା,”ଯେ ପର୍ଯ୍ୟନ୍ତ ମୁଁ ଶୁଆ  ପକ୍ଷୀକୁ ଦେଖି ନଥିଲି ,ମୁଁ ନିଜକୁ ଦୁନିଆରେ ସର୍ବଶ୍ରେଷ୍ଠ ବୋଲି ମନେ କରୁଥିଲି | କିନ୍ତୁ ଶୁଆ ଶରୀରରେ ଲାଲ ଓ ସବୁଜ ରଙ୍ଗକୁ ଦେଖି ଜାଣି ପାରୁଛି ଯେ ଶୁଆ ନିଶ୍ଚୟ ଏ ଦୁନିଆର ସବୁଠୁ ସୁଖୀ !”

କୁଆ ବିଳମ୍ବ ନ କରି ଶୁଆ ପାଖରେ ପହଁଚିଲା |

1DCFEF89-B8CA-4E67-86E2-51A17E8C6D2D

ଶୁଆ ସବୁ କଥା ଶୁଣି କହିଲା ,”ମୁଁ ମଧ୍ୟ ନିଜକୁ ସବୁଠୁ ସୁଖୀ ଭାବୁଥିଲି ଯେ ପର୍ଯ୍ୟନ୍ତ ମୁଁ ମୟୁର ପକ୍ଷୀକୁ ଦେଖି ନଥିଲି ! ମୋର ପାଖରେ ମାତ୍ର ଦୁଇଟି ବର୍ଣ୍ଣ ଅଛି,କିନ୍ତୁ ମୟୁର ଶରୀର ବିଭିନ୍ନ ରଙ୍ଗରେ ରଂଜିତ ଅଟେ | ତେଣୁ ମୋ ମତରେ ସେ ସବୁଠୁ ସୁଖୀ !”

କୁଆ ମୟୁରକୁ ଦେଖିବା ପାଇଁ ଇଆଡ଼େ ସିଆଡେ ଉଡି ବୁଲିଲା | ଶେଷରେ ସେ ମୟୁରକୁ ଗୋଟିଏ ଚିଡ଼ିଆ ଖାନାରେ ଦେଖିବାକୁ ପାଇଲା | ସେଠି ଲୋକମାନେ ତାକୁ ଦେଖିବାକୁ ଗଦା ହୋଇଥିଲେ |

367B70CA-87DA-42FF-83E6-CCDB1D53C3F3

ଲୋକମାନେ ସେଠୁ ଚାଲିଗଲା ପରେ କୁଆ ଧୀରେ କରି ମୟୁରକୁ କହିଲା,”ମୟୁର ! ତୁମେ କେତେ ସୁନ୍ଦର ! ତୁମକୁ ଦେଖିବାକୁ ଅଗଣିତ ଲୋକ ଏଠିକୁ ଆସୁଛନ୍ତି !”

“ମୋର ଭାଗ୍ୟକୁ ଦେଖ ! ମୋତେ ଦେଖିଲା କ୍ଷଣି ଲୋକମାନେ ମୋତେ ଦୂର ଦୂର ମାର ମାର କରୁଛନ୍ତି | ତେଣୁ ମୁଁ ଭାବୁଛି,ଏ ଦୁନିଆରେ ତୁମଠୁ ଅଧିକ ସୁଖୀ ଆଉ କେହି ନାହିଁ !”

ମୟୁର ଟିକେ ଭାବି ଉତ୍ତର ଦେଲା | ସେ କହିଲା ,”ଦିନ ଥିଲା ଯେବେ ମୁଁ ନିଜକୁ ସବୁଠୁ ସୁଖୀ ବୋଲି ଭାବୁଥିଲି | କିନ୍ତୁ ମୋର ସୌନ୍ଦର୍ଯ୍ୟ ମୋର କାଳ ହେଲା | ଲୋକମାନେ ମୋତେ ଚିଡ଼ିଆ ଖାନାକୁ ନେଇଗଲେ | ସେଠି ବନ୍ଦୀ କରି ରଖିଲେ | ସେଠି ଯାଇ ଦେଖିଲି,କୁଆ  ଗୋଟିଏ ମାତ୍ର ପକ୍ଷୀ ଯାହାକୁ ଚିଡ଼ିଆ ଘରେ ରଖା ଯାଏ ନାହିଁ ! ତେଣୁ ଗଲା କିଛି ଦିନ ହେଲା ମନରେ ଆସୁଛି ଯଦି ମୁଁ କୁଆ ହୋଇଥାନ୍ତି କେତେ ଭଲ ହୋଇଥା’ନ୍ତା ! ଏମିତିଆ ଦିନ ଦେଖିବାକୁ ପଡି ନଥା’ନ୍ତା ! ମୁଁ ମଧ୍ୟ ମୁକ୍ତ ଗଗନରେ ଆନନ୍ଦରେ ଵିହରଣ କରୁଥା’ନ୍ତି !”

ଗଳ୍ପଟିକୁ ସମୀକ୍ଷା କଲେ ଜଣା ପଡେ ଯେ ଦୁନିଆର ଏହା ଏକ ସାଧାରଣ ନିତିଦିନିଆ ଘଟଣା ବା ସମସ୍ୟା : କୁଆ ଅନୁସାରେ ହଂସ ସବୁଠୁ ସୁଖୀ | ହଂସ ଅନୁସାରେ ଶୁଆ ସବୁଠୁ ସୁଖୀ | ଇଆଡ଼େ ଶୁଆ ଭାବୁଛି ମୟୁରଠୁ ଅଧିକ ସୁଖୀ ଏ ଦୁନିଆରେ ଆଉ କେହି ନାହିଁ ! ଆଉ ସବୁଠୁ ମଜାର କଥା ହେଉଛି ମୟୁର ଭାବୁଛି କୁଆଠୁ ଅଧିକ ସୁଖୀ ଆଉ କେହି ନାହିଁ !

ଶିକ୍ଷା : ସବୁବେଳେ ଅନ୍ୟ ସହ ନିଜକୁ ତୁଳନା କଲେ,ଖୁସି ମିଳେନି | ବରଂ ଆମେ ଦୁଃଖୀ ହୋଇଥାଉ |

ଅନ୍ୟର ଖୁସିରେ ଖୁସି ହେଲେ ଆମକୁ ସୁଖ ପ୍ରାପ୍ତି ହୋଇଥାଏ |

ଆମ ପାଖରେ ଯାହା ଅଛି ସେଥିରେ କେମିତି ଖୁସି ରହି ପାରିବା,ସେକଥା ଶିଖିବା ଉଚିତ |

ସୁଖ ବାହାରେ ଖୋଜିଲେ ମିଳେନି | ଏହା ଆମ ଭିତରେ ଥାଏ | ସୁଖ ଓ ଦୁଃଖ ଆମ ମାନସିକ ସ୍ଥିତି ଉପରେ ନିର୍ଭର କରେ | ତେଣୁ ଆମ ମନ ସେଥିପାଇଁ ଦାୟୀ |

ଆମ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ଓ କୃତଜ୍ଞ ରହିବାକୁ ଚେଷ୍ଟା କରିବା |

ଅନ୍ୟର ଜୀବନ କେମିତି ଚାଲିଛି ଆମେ ଜାଣୁନା  | ବାହାରୁ କାହାର ଜୀବନ ବିଷୟରେ ଅନୁମାନ ଲଗାଇ ଈର୍ଷାନ୍ୱିତ ହେବା ବା ଦୁଃଖିତ ହେବା ଲଜ୍ଜ୍ୟାଜନକ କଥା |

http://btg.krishna.com/crow-story-changed-my-life

https://saibalsanskaar.wordpress.com

ସଚ୍ଚୋଟତା : ଏକ ଉତ୍ତମ ନାଗରିକର ଲକ୍ଷଣ ( Good Samaritan Saves The Day For This Senior Citizen )

ଗୁଣ – ସତ୍ୟ,ସାଧୁତା,ଦାୟିତ୍ୱବାନ ହେବା,ଉତ୍ତମ ନାଗରିକ ହେବା
C60A4A83-92A2-4DA5-9D1A-177D62DB16EF
ଏହା ଭାରତ ବର୍ଷର ଏକ ଛୋଟ ସହର ମାଂଗାଲୋରରେ ଘଟିଥିବା ଏକ ସତ୍ୟ ଘଟଣା ଅଟେ |
ଏହି ଘଟଣାରେ ଗୋଟିଏ ଅଟୋ ରିକ୍ସା ଚାଳକର ସାଧୁତା କିପରି ଏଠାରେ ରହୁଥିବା ଜାପାନୀ ଲୋକଙ୍କ ମନରେ ଭାରତୀୟମାନଙ୍କ ପ୍ରତି ଉଚ୍ଚ ଧାରଣା ଜନ୍ମେଇବାରେ ସାହାଯ୍ୟ କରିଥିଲା,ତାହା ବର୍ଣ୍ଣନା କରାଯାଇଛି | ସେଥିପାଇଁ
ଭାରତୀୟଙ୍କୁ ଜାପାନୀ ଲୋକମାନେ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ |
ଘଟଣାଟି ଏପରି ଥିଲା …..
 9DACAEB8-462B-45C8-BD49-388CED6DBD3D
ଏକଷଠି ବର୍ଷୀୟ ମହିଳା ଜାପାନୀ ପର୍ଯ୍ୟଟକ ମାକି ମଟସୂର ଛ ମାସ ହେଲା ମାଂଗାଲୋରରେ ରହୁଥିଲେ | ଦିନେ ସେଠି ବୁଲୁଥିଲା ବେଳେ ହମ୍ପଙ୍କଟା ଜାଗାରେ ସେ ଅଟୋରେ ପର୍ସଟି ଭୁଲିଗଲେ | ପରେ ଯେତେବେଳେ ସେ ଏକଥା ଜାଣିଲେ,ସେ କଣ କରିବେ ପ୍ରଥମେ ବୁଝିପାରିଲେନି | ବ୍ୟସ୍ତ ହୋଇ ଉଠିଲେ | ସେଇଠି ତାଙ୍କର ଏକମାତ୍ର ଜଣାଶୁଣା ବ୍ୟକ୍ତି ତଥା ସାଙ୍ଗ ହାରୁକା ଇଟୋ ରହୁଥିଲେ | ହାରୁକା ଇଟୋ ଜଣେ ମାର୍ଶାଲ ଆର୍ଟ ଶିକ୍ଷକ ଥିଲେ | ସେଠି ସେ ପିଲାମାନଙ୍କୁ ମାର୍ଶାଲ ଆର୍ଟ ଶିଖାଉଥିଲେ | ସେ ମାକିଙ୍କ ଲୋକାଲ ଗାର୍ଡିଆନ ହୋଇଥିଲେ |
 Woman handbag hand drawn vector fashion illustration
ଯେତେବେଳେ ପର୍ସଟି ହଜିଗଲା,ମାକି ପ୍ରଥମେ ତାଙ୍କ ସହ ଯୋଗାଯୋଗ କଲେ | ହାରୁକା ବିଳମ୍ବ ନ କରି ମାକିଙ୍କ ପାଖରେ ପହଞ୍ଚି ଗଲେ | ସେଠି ପହଁଚି ଘଟଣାଟି ତଦାରଖ କରୁଥିବା ସମୟରେ ଅଟୋବାଲାଠୁ ମାକି ଫୋନ କଲ ପାଇଲେ | କିନ୍ତୁ ସେ କଣ କହୁଛି ,ମାକି କିଛି ବୁଝି ପାରିଲେ ନାହିଁ | କିନ୍ତୁ ସେଠି ଜମିଥିବା ଲୋକମାନେ ଅଟୋ ଚାଳକର କଥା ତାଙ୍କୁ ବୁଝାଇ କହିଲେ |
କିଛି ସମୟ ଭିତରେ ମାକିଙ୍କ ଅନ୍ୟାନ୍ୟ ଜାପାନୀ ସାଙ୍ଗମାନେ ମଧ୍ୟ ଘଟଣା ସ୍ଥଳରେ ପହଁଚି ଯାଇଥିଲେ | କିନ୍ତୁ ତା ପୂର୍ବରୁ ଅଟୋ ରିକ୍ସା ଚାଳକ ତାଙ୍କୁ ଖୋଜି ଖୋଜି ସେଠି ପହଁଚି ଯାଇଥିଲା ଓ ତାଙ୍କୁ ପର୍ସଟି ଫେରାଇ ଦେଇଥିଲା |ମାକି ତାକୁ କିଛି ପଇସା ପୁରସ୍କାର ଭାବରେ ଦେବାକୁ ଚାହିଁଥିଲେ | କିନ୍ତୁ ଅଟୋ ଚାଳକ ଜମା ଏଥିରେ ରାଜି ହୋଇ ନଥିଲା | ହାରୁକାଙ୍କ ଆଖି ସାମନାରେ ଏହି ଘଟଣାଟି ଘଟିତ ହୋଇଥିଲା | ଏ ଘଟଣାର ସେ ପ୍ରତ୍ୟକ୍ଷ ସାକ୍ଷୀ ଥିଲେ |
ପରେ ହାରୁକା ସେଠାର ସମ୍ବାଦ ପତ୍ରବାଲାଙ୍କୁ ଗୋଟିଏ ଖୋଲା ଚିଠିରେ ଘଟଣାଟିର ବର୍ଣ୍ଣନା କରିବା ସହିତ ସେହି ଅପରିଚିତ ଅଟୋ ଚାଳକଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ ଓ ଲେଖିଥିଲେ,ସେହି ଅଟୋ ଚାଳକ ଯୋଗୁ ସହରର ସୁନାମ ହେଲା | ଯଦି ସେ ଠକିଥାନ୍ତା, ଜାପାନରୁ ଆସିଥିବା ଲୋକମାନେ ମାଂଗାଲୋର ସହର ତଥା ଭାରତ ବିଷୟରେ ଖରାପ ଧାରଣା ନେଇ ନିଜ ଦେଶକୁ ଫେରିଥାନ୍ତେ !
ଏହି ଅଟୋ ଚାଳକର ସଚ୍ଚୋଟତା ସମସ୍ତଙ୍କ ମନରେ ଭାରତ ବିଷୟରେ ଓ ଭାରତର ଲୋକମାନଙ୍କ ପାଇଁ ଶୁଭେଚ୍ଛା ଆଣିଦେଲା | ତାଛଡା ମାଂଗାଲୋରର ଲୋକମାନଙ୍କ ଉଦାରତାର ପରିଚୟ ଦେଲା |
Courtesy- ‘The Hindu’ paper

ଅଟୋ ଚାଳକର ସାଧୁତା ( The Honest Auto Driver )

ଗୁଣ – ସତ୍ୟ
ଉପ ଗୁଣ – ସଚ୍ଚୋଟତା

CBF1416C-0F5D-47AA-9FB0-D884CFD46AD1

ସେଦିନ ରାତିରେ ବହୁତ ଥଣ୍ଡା ପଡିଥିଲା | ଶୀତଳ ପବନ ବହି ଚାଲୁଥିଲା | ତଥାପି ଆମେ ଦୁହେଁ ଗପି ଚାଲିଥିଲୁ | ବହୁତ ଦିନ ପରେ ଦେଖା ହୋଇଥିଲା | ସେ ମୋର ବହୁତ ପୁରୁଣା ସାଙ୍ଗ ଥିଲା | ଗପୁ ଗପୁ ସମୟ କେମିତି ବିତିଗଲା,ଜଣା ପଡିଲା ନାହିଁ ! ଚାହୁଁ ଚାହୁଁ ରାତି ଦଶଟା ବାଜିଗଲା | ଅଟୋ ନେଇ ଘରକୁ ଫେରିବୁ ବୋଲି ସ୍ଥିର କଲୁ | ଠିକ ସେତିକି ବେଳକୁ ବର୍ଷା ବି ଆରମ୍ଭ ହୋଇଗଲା | ରାସ୍ତାରେ ଯେତେ ଅଟୋ ଯାଉଥିଲେ କେହି ବି ରହିବାକୁ ରାଜି ନଥିଲେ | ଆମେ ହତାଶ ହୋଇ ଯାଇଥିଲୁ | କଣ କରିବୁ ଭାବୁଛୁ,ଗୋଟିଏ ଅଟୋ ରିକ୍ସା ଆମ ସାମନାରେ ଅଟକିଲା | ଆମେ ଚଟାପଟ ତା ଭିତରେ ବସିଗଲୁ |
ଅଟୋ ଚାଳକ କେବଳ ଆମେ କୁଆଡେ ଯିବୁ ପଚାରିଲା | ପଇସା କଥା ଉଠାଇଲା ନାହିଁ | ଆମେ ବି ଘର ଠିକଣାଟି କହି ଦେଇ ଚୁପଚାପ ବସି ରହିଲୁ | କିଛି ସମୟ ପରେ ମୋତେ ଚା ପିଇବାକୁ ମନ ହେଲା |
ଏମିତି ତ ଥଣ୍ଡା ପାଗ ଥିଲା ! ତେଣୁ ମୋ ସାଙ୍ଗ ମଧ୍ୟ ରାଜି ହୋଇଗଲେ |
ଆମେ ଅଟୋ ଚାଳକକୁ ରାସ୍ତାରେ ଚା ଦୋକାନ ପାଖରେ ଅଟକିବାକୁ ଅନୁରୋଧ କଲୁ | ଚା ଦୋକାନରେ ପହଁଚିଲା ପରେ ତାକୁ ମଧ୍ୟ ଚା ପିଇବାପାଇଁ ଡ଼ାକିଲୁ |କିନ୍ତୁ ସେ ବିନମ୍ରତାର ସହ ମନା କରି ଦେଲା | ଯେତେ ଆମେ ଅନୁରୋଧ କଲେ ମଧ୍ୟ ସେ ରାଜି ହେଲା ନାହିଁ |
230C9E41-B552-40CE-814C-932D9F06A44B

ତାର ଜିଦ୍ଦି ଦେଖି ମୋ ସାଙ୍ଗ ଟିକେ ତା ଉପରେ ବିରକ୍ତ ହୋଇଗଲେ |
ସେ କହିଲେ ,” ଏଇ ଦୋକାନରୁ ଚା ପିଇବାରେ କିଛି ଅସୁବିଧା ଅଛି କି ?”
ଅଟୋ ଚାଳକ କହିଲା,” ନାଇଁ ଆଜ୍ଞା ! ପିଇ ପାରିବିନି | ଜମା ମନ ହେଉନି !”
ମୁଁ କହିଲି ,”ଗୋଟିଏ କପ ଚା ପିଇଲେ କଣ ବା କ୍ଷତି ହେଇଯିବ ?”
ସେ କହିଲା ,କ୍ଷମା କରନ୍ତୁ | ପିଇବାକୁ ଇଚ୍ଛା ନାହିଁ |
ମୋ ସାଙ୍ଗ ଆଉ ଟିକେ ଚିଡଚିଡ଼ ହୋଇ କହିଲେ ,”କେବେ ବାହାରୁ କିଛି ଖାଅନି କି ?”
ସେ ଶାନ୍ତ ଭାବରେ କହିଲା ,”ନାହିଁ |”
ମୋ ସାଙ୍ଗ କହି ଚାଲିଲେ ,”ଆମ ସହ ବସି ଖାଇଲେ କଣ ତମକୁ ଖରାପ ଲାଗିବ?”
ଏଥରକ ଅଟୋ ଚାଳକ ଉତ୍ତର ନ ଦେଇ ଚୁପ ରହିଲା |
ମୁଁ ମଧ୍ୟ ଅଟୋ ଚାଳକର ଜିଦ୍ଦି ଦେଖି ଭାବନାରେ ପଡ଼ିଗଲି | ମୁଁ ମୋ ସାଙ୍ଗକୁ ମନା କଲି ତାକୁ ଚା ପିଇବା ପାଇଁ ବାଧ୍ୟ କରିବାକୁ |
ଚା ପିଇ ସାରି ଆମେ ସେଠୁ ବାହାରି ଗଲୁ | ପ୍ରାୟ ଦଶ ପନ୍ଦର ମିନଟ ପରେ ଆମେ ଘରେ ପହଁଚିଲୁ | ପକେଟରୁ ପଇସା ବାହାର କରି ଦେଲା ବେଳେ ମୋ ମନ କହିଲା ତାକୁ ଆଉ ଥରେ ପଚାରିବା ପାଇଁ ଯେ କାହିଁକି ସେ ମନା କଲା |
ତାକୁ ପୁଣିଥରେ ସେଇ କଥା ପଚାରିଲି |
ବାରମ୍ବାର ସେହି ପ୍ରଶ୍ନ ଶୁଣି ସେ ଉତ୍ତର ଦେବା ପାଇଁ ବାଧ୍ୟ ହେଲା |
ସେତେବେଳେ ଦେଖିଲି,ତାର ଆଖି ଲୁହରେ ଭରି ଯାଇଥିଲା | ଶୁଣି ଚମକି ପଡ଼ିଲୁ ଯେ ଆଜି ତାର ପୁଅର ଜୀବନର ଶେଷ ଦିନ ଥିଲା | ଅନ୍ତିମ କ୍ରିୟା କରିବାକୁ ପାଖରେ ପଇସା ନଥିଲା | ତେଣୁ ସେ ପ୍ରତିଜ୍ଞା କରିଥିଲା ,ଯେ ପର୍ଯ୍ୟନ୍ତ ତାକୁ ଯଥେଷ୍ଟ ପଇସା ମିଳି ନାହିଁ,ସେ ପର୍ଯ୍ୟନ୍ତ ସେ ମୁହଁରେ ପାଣି ଟୋପାଏ ବି ଦବନି | ସେଥିପାଇଁ ସେ ଚା ପିଇବାକୁ ମନା କରିଦେଲା |
ଏ କଥା ଶୁଣିଲା ପରେ ଆମ ପାଟିରୁ କଥା ବାହାରିଲା ନାହିଁ | ଆମେ ଦୁହେଁ ଚୁପଚାପ ନିଜ ନିଜ ପକେଟରୁ ପଇସା ବାହାର କରି ତାକୁ ଦେଲୁ | ଅଧିକା ପଇସା ବି ସେ ନେଲାନି | ଯେତିକି ଦରକାର ସେତିକି ନେଇ ବାକି ଫେରାଇ ଦେଲା |

7F1D1893-977A-4578-A4C3-52C3A8268207

ମୁଁ ତାକୁ ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ସେ ନିଜ କଥାରେ ଅଟଳ ରହିଲା | ବିଲକୁଲ ଆମଠୁ ଅଧିକ ପଇସା ନେଲା ନାହିଁ | ସେ କହିଲା,ଗୋଟେ ଦି ଘଣ୍ଟା ଭିତରେ ତାକୁ ନିଶ୍ଚୟ ଆଉରି ଯାତ୍ରୀ ମିଳିଯିବେ ଓ ତାକୁ ଆବଶ୍ୟକ ଅର୍ଥ ମିଳିଯିବ | ଏତିକି କହି ସେ ଆମଠୁ ବିଦାୟ ନେଇ ତାର ଗନ୍ତବ୍ୟ ପଥରେ ଚାଲିଗଲା |
ବର୍ଷା ରାତିରେ ଆମକୁ ନେବା ପାଇଁ ସେ ଆମଠୁ ସାଧାରଣ ଭଡାଠୁ ଦୁଇ ତିନି ଗୁଣା ଅଧିକ ପଇସା ନେଇ ପାରିଥାନ୍ତା | କିନ୍ତୁ ତା ବିବେକ ତାକୁ ଏମିତି ଅନୁଚିତ କାମ କରିବାକୁ ଦେଲାନି | ଦରିଦ୍ରତା ଭିତରେ ଗତି କରୁଥିବା ସତ୍ତ୍ୱେ ତଥା ଏମିତିଆ ଶୋକାକୁଳ ଅବସ୍ଥାରେ ଥାଇ ମଧ୍ୟ ସେ ସଚ୍ଚୋଟ ମନୋବୃତ୍ତିକୁ ଜାରି ରଖିଲା ଓ ଉଚିତ ଭଡ଼ା ନେଇ ତା ବାଟରେ ଚାଲିଗଲା |
ଶିକ୍ଷା – ସଚ୍ଚୋଟତା ସର୍ବୋତ୍ତମ ନୀତି ଅଟେ |
ବିକଟ ପରିସ୍ଥିତିରେ ପ୍ରତ୍ୟେକ ମଣିଷର ପ୍ରକୃତ ସ୍ୱରୂପ ଜଣା ପଡିଥାଏ |
ସର୍ବଦା ସତ୍ୟ ପାଳନ ଓ ସାଧୁତା ଆମର ପ୍ରକୃତ ସ୍ୱଭାବ ଅଟେ | ଏହା ଆମକୁ ଶାନ୍ତି,ଆନନ୍ଦ ତଥା ସମ୍ମାନ ପ୍ରଦାନ କରିଥାଏ |

http://www.kidsworldfun.com/
https://saibalsanskaar.wordpress.com