ଆସୁଥିବା ପ୍ରତ୍ୟେକ ଦିନ ଆମ ପାଇଁ ଉପହାର ( Each Day Is A Gift )

ଗୁଣ – ଆଶାବାଦୀ ରହିବା 

ଉପ ଗୁଣ – ମନୋଭାବ 

7B781723-9361-41DD-B464-ED874299A91A

ବୟାନବେ ବର୍ଷୀୟା ବୃଦ୍ଧା ଜଣକ ନର୍ସିଙ୍ଗ ହୋମକୁ ଚାଲିଯିବା ପାଇଁ ମନ ସ୍ଥିର କରି ନେଇଥିଲେ | ନିକଟରେ ତାଙ୍କର ସ୍ୱାମୀଙ୍କ ଦେହାନ୍ତ ହୋଇ ଯାଇଥିଲା | ତେଣୁ ଘରେ ଏକୁଟିଆ ପଡି ରହିବାର କୌଣସି କାରଣ ନଥିଲା |ଯେଉଁଦିନ ସେ ଯିବେ, ସେଦିନ ସେ ସକାଳୁ ଉଠି ପଡି ଆଠଟା ସୁଦ୍ଧା ନିଜକୁ ସଜବାଜ କରି ନେଇଥିଲେ |ଓଠରେ ଲାଲ ଲିପିଷ୍ଟିକ୍ ଲଗାଇବାକୁ ଭୁଲି ନଥିଲେ | ମୁଣ୍ଡ ବାଳକୁ ସଜାଡ଼ି ଢଙ୍ଗରେ ବାନ୍ଧି ଦେଇ ଥିଲେ | ନର୍ସିଙ୍ଗ ହୋମ୍ ଲବିରେ ବସି ନିଜ ରୁମ୍ ପାଇବା ପାଇଁ ଅପେକ୍ଷା କରି ରହିଥିଲେ | 

ବହୁତ ସମୟ ଅପେକ୍ଷା କଲା ପରେ ଯାଇ ତାଙ୍କୁ ରୁମ୍ ମିଳିଥିଲା | ତଥାପି ସେ ହସ ହସ ମୁହଁରେ  ନିଜ ରୁମକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ |

ସେ ଯେତେବେଳେ ବାଡ଼ି ଧରି ଛିଡା ହୋଇଗଲେ ଓ ଲିଫ୍ଟ ଆଡକୁ ଚାଲିବାକୁ ଲାଗିଲେ,ମୁଁ ଟିକେ ତାଙ୍କ ରୁମର ବର୍ଣ୍ଣନା କରିବାକୁ ଲାଗିଲି | 

କହିଲି,” ଆଜ୍ଞା ! ରୁମଟି ନିହାତି ଛୋଟ | ଭଲ ଫର୍ଣ୍ଣିଚର୍ ନାହିଁ | “

ଏମିତି ବର୍ଣ୍ଣନା ଶୁଣିଲା ପରେ ମଧ୍ୟ ସେ ଉତ୍ସାହ ଦେଖାଇବାକୁ ପଛଘୁଞ୍ଚା ଦେଲେ ନାହିଁ | ତାଙ୍କ ଉତ୍ସାହ ଦେଖି ଲାଗିଲା ସତେ ଯେମିତି ସେ ମାତ୍ର ଆଠ ବର୍ଷୀୟ ଛୋଟ ପିଲାଟିଏ !

ମୁଁ ତାଙ୍କୁ ବାସ୍ତବ ଜଗତକୁ ଫେରାଇ ଆଣିବାର ଉଦ୍ଦେଶ୍ୟରେ କହିଲି,” ମାଡ଼ାମ ! ଟିକେ ଅପେକ୍ଷା କରନ୍ତୁ | ନିଜ ରୁମକୁ ଆଗ ଦେଖି ନିଅନ୍ତୁ !”

ସେ ମୋ କଥା ସବୁ ଶୁଣିଲେ | ତାପରେ କହିଲେ,” ବୁଝିଲ,ମୋର ଖୁସି ମୋତେ ଦିଆ ଯାଇଥିବା ରୁମ୍ କେମିତିଆ,ତା ଉପରେ ନିର୍ଭର କରେ ନାହିଁ | ଏହା ମୋର ମନୋଭାବ ଉପରେ ନିର୍ଭର କରେ  | ଏଠାକୁ ଆସିବା ପୂର୍ବରୁ ମୁଁ ମନକୁ ସ୍ଥିର କରି ନେଇଥିଲି ଯେ ମୁଁ ଯେଉଁଠିକୁ ଯିବି ସେଇଠି ଖୁସିରେ ରହିବି | ସବୁ ଦିନ ସକାଳୁ ଶେଯରୁ ଉଠିଲା ପରେ ମୋର ବାର୍ଦ୍ଧକ୍ୟଗ୍ରସ୍ତ  ଶରୀରକୁ କେତେ କଷ୍ଟ ହେଉଛି,ତାହା ମୁଁ ଭାବେନି | ବରଂ ଅତୀତରେ ବିତାଇଥିବା ପ୍ରତ୍ୟେକ ଖୁସିର ମୁହୂର୍ତ୍ତକୁ ମୁଁ ମନେ ପକାଏ | ଆସୁଥିବା ପ୍ରତ୍ୟେକ ଦିନକୁ ମୁଁ ସ୍ୱାଗତ କରେ | କେମିତି ସେଇ ଦିନଟିକୁ ଖୁସିରେ କଟାଇବି,ତା ବିଷୟରେ ଭାବେ |”

ପୁଣି ସେ କହି ଚାଲିଲେ | 

“ବୃଦ୍ଧାବସ୍ଥା ବ୍ୟାଙ୍କର ଜମା ଖାତା ଭଳି | ଏଠାରେ ଜମା ହେଉଥିବା ଧନ ରାଶି ହେଉଛି ଆମର ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ | ଯାହା ଜମା କରିଥିବା,ତାହା ଆମେ ପ୍ରତ୍ୟାହାର କରିବା | ତେଣୁ ପ୍ରଥମରୁ ଖୁସି ଜମା ରଖିଥିଲେ,ଆମକୁ ବାର୍ଦ୍ଧକ୍ୟ ସମୟରେ ଖୁସି ମିଳି ପାରିବ | “

ଏତିକି କହି ସେ ମୋତେ  ଧନ୍ୟବାଦ ଦେଲେ ଓ କହିଲେ,” ତୁମେ ସତରେ ସୁନ୍ଦର ଭାବରେ କଥା କହିବା ଜାଣିଛ | ତୁମର ବର୍ଣ୍ଣନା ବଢିଆ  ଥିଲା | ଆଶା କରୁଛି ,ଭବିଷ୍ୟତରେ ମଧ୍ୟ ଆମେ ସମ୍ପର୍କରେ ରହିବା | “

ତାପର ମୁହୂର୍ତ୍ତରେ ସ୍ମିତ ହାସ୍ୟର ସହ ସେ ମୋତେ କହିଲେ,” ଜୀବନରେ ଖୁସି ରହିବାକୁ ହେଲେ ମାତ୍ର ପାଞ୍ଚୋଟି ନିୟମକୁ ଅନୁସରଣ କରାଯିବା ଦରକାର |”

ସେଗୁଡିକ ହେଲେ,

“1. ହୃଦୟରେ କାହା ପ୍ରତି ଦ୍ୱେଷ ରଖ ନାହିଁ |

 2. ସବୁବେଳେ ଚିନ୍ତାମୁକ୍ତ ରୁହ |

 3. ସରଳ ଜୀବନ ଯାପନ କର |

 4. ଦେବା ଶିଖ |

 5. ଆଶା କମ କର |”

ଶିକ୍ଷା : ଆମର ଖୁସି ବାହ୍ୟ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ | ଅପରନ୍ତୁ ଆମର ମନୋଭାବ ଏହାକୁ ନିର୍ଦ୍ଧାରିତ କରିଥାଏ | ପ୍ରତ୍ୟେକେ ମୁହୂର୍ତ୍ତରେ ଉପୁଜୁଥିବା ପରିସ୍ଥିତିକୁ ଆମେ କିପରି ମନୋଭାବ ସହ ତଥା କି ଉପାୟରେ ସମ୍ଭାଳୁଛେ,ତା ଉପରେ ଧ୍ୟାନ ଦେବା ଅତି ଜରୁରୀ  | ଏହା ଦ୍ୱାରା ଆମେ ଏଥିରୁ ଖୁସି ପାଇ ପାରିବା କି ନାହିଁ ଜଣା ପଡିଥାଏ  | ଯଦି ଆମେ ଏହି ସରଳ ତଥ୍ୟକୁ  ମନେ ରଖିବା,ତାହେଲେ ଆମେ ସବୁବେଳେ ଖୁସି ରହି ପାରିବା |

https://saibalsanskaar.wordpress.com

http://www.moral-stories.org/each-day-is-a-gift/