ଚମତ୍କାର ( Miracle )

ଗୁଣ – ପ୍ରେମ

ଉପ ଗୁଣ – ବିଶ୍ୱାସ,ଦୃଢ଼ତା

D9593DDE-16AD-40A0-876B-6CC5E94F5AE2

ପିଲାଟି ମାତ୍ର ଆଠ ବର୍ଷର ଥିଲା | କିନ୍ତୁ ଅନ୍ୟର ଦୁଃଖ ବୁଝି ସମାଧାନ କରିବାକୁ ତାର ସାହସର ଅଭାବ ନଥିଲା |ତାର ଘରେ ବାପାମା ଛୋଟ ଭାଇର ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ଥିଲେ | ପିଲାଟି ବହୁତ ଦିନ ଧରି କୌଣସି ଏକ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲା | ସେଥିପାଇଁ ଘର ଖର୍ଚ୍ଚ ବହୁତ ମାତ୍ରାରେ ବଢି ଯାଇଥିଲା | ଆଗରୁ ସେମାନେ ଗୋଟେ ବଡ ଘରେ ରହୁଥିଲେ | ବଢୁଥିବା ଖର୍ଚ୍ଚକୁ ସମ୍ଭାଳିବା ପାଇଁ ସେମାନେ ଗୋଟେ ଛୋଟ ଘରକୁ ଚାଲିଯାଇଥିଲେ | ଧୀରେ ଧୀରେ ପଇସା ମଧ୍ୟ ସରି ଆସୁଥିଲା | ଡାକ୍ତରଖାନାର ଖର୍ଚ୍ଚ କିଛି କମ ନଥିଲା | ଏଥରକ ଡାକ୍ତର ପିଲାଟିର ବଡ ଅପରେସନ କରିବାକୁ ପଡିବ ବୋଲି ଜଣାଇ ଦେଇଥିଲେ | ସେଥିପାଇଁ ପଇସା କେଉଁଠୁ ଆସିବ ଭାବି ଭାବି ପିଲାଟିର ବାପାମା ବିଚଳିତ ଥିଲେ | 

ପିଲାଟିର ଆଖି ଆଗରେ ଏସବୁ ଘଟଣା ଘଟୁଥିଲା | ତେଣୁ ସେ ମଧ୍ୟ ଅଶାନ୍ତି ଅନୁଭବ କରୁଥିଲା | ଭାଇ ପାଇଁ କଣ କଲେ ତାର ସ୍ୱାସ୍ଥ୍ୟ ସୁଧୁରିବ,ସେ ବିଷୟରେ ତା ମନରେ ବହୁତ ସମୟରେ ବିଚାର ଚାଲୁଥିଲା |

DFD1BEF3-2127-47CE-AD13-DD4F4B982BD2

ଦିନେ ସେ ତା ବାପା ମାଆଙ୍କୁ କହୁଥିବାର ଶୁଣିଲା ଯେ କୌଣସି ‘ଚମତ୍କାର’ହିଁ ତାର ସାନ ଭାଇକୁ ରକ୍ଷା କରି ପାରିବ | ଏକଥା ତା କାନରେ ପଡିବା ମାତ୍ରେ ସେ ସାଙ୍ଗେ ସାଙ୍ଗେ ତାର ମାଟି ସରାରେ ଜମା କରି ରଖିଥିବା ପଇସାକୁ ବାହାର କରି ସାବଧାନତାର ସହ ଗଣିବାରେ ଲାଗିଲା | ଯାହା ପଇସା ସେଥିରୁ ମିଳିଲା ତାକୁ ହାତରେ ଜାବୁଡି ଧରି ଘର ପାଖ ଔଷଧ ଦୋକାନକୁ ଦୌଡ଼ି ଗଲା | ଦୋକାନରେ ପହଁଚି ପଇସା ସବୁ ଦୋକାନୀର କାଉଣ୍ଟରରେ ରଖିଲା ଓ କହିଲା ,”ମୋର ଭାଇ ବହୁତ ବିମାର ଅଛି | ତା ପାଇଁ ‘ଚମତ୍କାର’ ଦରକାର |ସେହି ଚମତ୍କାର କିଣିବାକୁ ଆସିଛି  |”

ଔଷଧ ଦୋକାନୀ ବୁଝି ପାରିଲା ନାହିଁ | ତେଣୁ ସେ ପଚାରିଲା ,” କଣ କିଣିବା ପାଇଁ ଆସିଛୁ ?”

55EA7FA8-5EA7-4655-8B50-27B5CC60D577.jpeg

ପିଲାଟି ଦୋକାନୀକୁ ବୁଝାଇବାରେ ଲାଗିଲା | ସେ କହିଲା,” ମୋର ଭାଇର ଦେହ ବହୁତ ଖରାପ ଅଛି | ତାର ମୁଣ୍ଡ ଭିତରେ କିଛି ଗୋଟିଏ ବଢ଼ିବାରେ ଲାଗୁଛି | ମୋ ବାପା କହୁଛନ୍ତି କେବଳ ‘ଚମତ୍କାର’ ହିଁ ତାକୁ ରକ୍ଷା କରି ପାରିବ | ତେଣୁ ମୁଁ ସେହି ‘ଚମତ୍କାର’ କିଣିବାକୁ ଆସିଛି | ଏହାର ଦାମ କେତେ ? ”

ଔଷଧ ଦୋକାନୀ ଦୁଃଖିତ ହୋଇ କହିଲେ,” କଣ କରିବା ? ଏଠି ତ ଚମତ୍କାର ମିଳେ ନାହିଁ |”

ପିଲାଟି ପ୍ରତ୍ୟୁତ୍ତରରେ କହିଲା,”ଆପଣ ଚିନ୍ତା କରନ୍ତୁ ନାହିଁ | ଚମତ୍କାର କିଣିବା ପାଇଁ ମୋ ପାଖରେ ପଇସା ଅଛି |କେବଳ ଦାମ କହନ୍ତୁ | ଦରକାର ପଡିଲେ ମୁଁ ଆଉରି ପଇସା ଆଣି ଆପଣଙ୍କୁ ଦେବି  |”

ସେହି ସମୟରେ ଦୋକାନରେ ଜଣେ ଭଦ୍ର ବ୍ୟକ୍ତି ଔଷଧ କିଣୁଥିଲେ | ସେ ଦୁହିଁଙ୍କ କଥାବାର୍ତ୍ତା ତାଙ୍କ କାନରେ ପଡିଲା | ସେ ତା ଆଡକୁ ଟିକେ ଝୁଙ୍କି ଆସି ପଚାରିଲେ,” ତୋ ଭାଇକୁ କି ପ୍ରକାର ଚମତ୍କାର ଦରକାର ? “

Father and daughter standing with frowned, angry faces

ପିଲାଟିର ଆଖି ଲୁହରେ ଭରିଗଲା | ସେ କହିଲା,”ବାପା ମାଆଙ୍କୁ କହୁଥିଲେ ଯେ ଭାଇର ଦେହ ଅତି ଖରାପ |ତାକୁ ଠିକ କରିବାକୁ ହେଲେ ଗୋଟେ ବଡ ଅପେରସନ କରିବାକୁ ପଡିବ | ସେଥିପାଇଁ ବହୁତ ପଇସା ଦରକାର | କିନ୍ତୁ ତାଙ୍କ ପାଖରେ ଏତେ ପଇସା ନାହିଁ | ତେଣୁ ମୁଁ  ମୋ ଜମା ପଇସା ନେଇ ‘ଚମତ୍କାର’ କିଣିବାକୁ ଏଠିକୁ ଆସିଛି |”

ଭଦ୍ର ବ୍ୟକ୍ତି ଜଣକ ତାକୁ କୋମଳ ସ୍ୱରରେ ପଚାରିଲେ,” କହ, ତୋ ପାଖରେ କେତେ ପଇସା ଅଛି ?”

ପିଲାଟି କହିଲା,” ଏଗାର ଟଙ୍କା ଅଛି | କିନ୍ତୁ ଏହା କମ ପଡିଲେ,ମୁଁ ଆହୁରି ଆଣି ଦେବି |”

ଭଦ୍ର ବ୍ୟକ୍ତି ଜଣକ ମୁରକି ହସଟିଏ ଦେଇ କହିଲେ,” ବହୁତ ବଢିଆ ! ’ଚମତ୍କାରର’ ଦାମ ମଧ୍ୟ ଠିକ ଏଗାର ଟଙ୍କା |”

ସେ ପିଲାଟିର ହାତକୁ ଧରି କହିଲେ,” ଚାଲ,ତୋ ଘରକୁ ଯିବା | ମୁଁ ତୋର ଭାଇ ଆଉ ବାପାମାଆଙ୍କୁ ଦେଖା କରିବାକୁ ଚାହେଁ | ଦେଖିବା କି ପ୍ରକାର ଚମତ୍କାର ତୋ ଭାଇ ପାଇଁ ଦରକାର | “

ଭଦ୍ର ବ୍ୟକ୍ତି ଜଣକ ତା ଘରେ ପହଁଚି ପିଲାଟିର ଭାଇର ଭଲ ଭାବରେ ଜାଞ୍ଚ କଲେ ଓ ତାର ବାପାମାଙ୍କ ଅନୁମତି ନେଇ ବିନା ମୂଲ୍ୟରେ ଆବଶ୍ୟକ ଅପେରସନ କଲେ | ଅପରେସନ ସଫଳତାର ସହ ହେଲା | କିଛି ସପ୍ତାହ ପରେ ପିଲାଟିର ଭାଇ ସୁସ୍ଥସବଳ ହୋଇ ଶେଯରୁ ଉଠି ବସିଲା |

***************************

ଦିନେ ଏମିତି ଏକ ଅପରାହ୍ନରେ ପରିବାରର ସମସ୍ତେ ବସି ପଡି ଗପସପ କରୁଥିଲେ | ସେତେବେଳେ ଅପରେସନ କଥା ଉଠିଲା | ପିଲାଟିର ମା କହିଲେ,ସତ କହିବାକୁ ଗଲେ ଅପରେସନଟି ଏକ ‘ଚମତ୍କାର’ ଥିଲା |ଆଉ କିଏ ଅପରେସନ କରିଥିଲେ,କେତେ ଖର୍ଚ୍ଚ ହୋଇଥାନ୍ତା  କେଜାଣି ?

ପିଲାଟିର ମୁହଁରେ ଏକ ଛୋଟ ହସଟିଏ ଖେଳିଗଲା |

ସେ କହିଲା ,ମାତ୍ର ଏଗାର ଟଙ୍କା !

ଆମେ ଜାଣୁ ତା ସହ ପିଲାଟିର ଦୃଢ ସଂକଳ୍ପ ଓ ବିଶ୍ୱାସ ମଧ୍ୟ ଯୋଡ଼ି ହୋଇଥିଲା |

ଦୃଢ ସଂକଳ୍ପ ଚମତ୍କାର କରିବାର ସାମର୍ଥ୍ୟ ରଖିଥାଏ |

ଶିକ୍ଷା – କାହାଣୀଟି ଭାଇଭଉଣୀଙ୍କ ଭିତରେ ଥିବା ଅନାବିଳ ସ୍ନେହ ଦର୍ଶାଇଛି | ଭଉଣୀର ଦୃଢ଼ତା ଯୋଗୁ ଭାଇଟି ସୁସ୍ଥ ହୋଇ ପାରିଲା |  ସ୍ନେହ,ବିଶ୍ୱାସ ଓ ଦୃଢ଼ତା କିଛି ବି କରିପାରେ ! ଏହାକୁ ଆମେ ଚମତ୍କାର କହୁ |